• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

୨୪ ନିର୍ବାଚନରେ ପରାଜୟ ପରେ ପଞ୍ଚାୟତରେ ବି ଖସିଲାଣି ବିଜେଡି। ପଞ୍ଚାୟତ ପ୍ରତିନିଧି ଏବେ ବିଜେପି ମୁହାଁ । ଯାଜପୁର ଓ କେନ୍ଦୁଝରରେ ତ ଶଙ୍ଖ ଦଳର ସ୍ଥିତି ସାଂଘାତିକ। ଦଳ ଖଣ୍ଡ ଖଣ୍ଡ ହେଉଥିବା ଦେଖି ପଞ୍ଚାୟତ ନେତାଙ୍କୁ ନେଇ ବୈଠକ କରୁଛନ୍ତି ନେତା । ଏପରିକି ନବୀନ ବି ପଞ୍ଚାୟତ ପ୍ରତିନିଧିଙ୍କ ସହ ଆଲୋଚନା କରୁଛନ୍ତି। ଆଉ ରାଜନୈତିକ ସମୀକ୍ଷକଙ୍କ ମତ ହେଲା ବିଜେଡି ପାଇଁ ଆଗକୁ ଅଧିକ ସଙ୍କଟ ଦେଖାଦେଇପାରେ ।

ବିଜେଡିକୁ ଗାଁ ଚିନ୍ତା । ଭୁଶୁଡୁଛି ପଞ୍ଚାୟତ ସଂଗଠନ । ଦଳ ଛାଡୁଛନ୍ତି ବିଜେଡି ସମର୍ଥିତ ପଞ୍ଚାୟତ ପ୍ରତିନିଧି । ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଏକାଠି ରଖିବାକୁ ଦଳପତି ଆରମ୍ଭ କଲେ ରଣନୀତି । ଦିନେ ବିଜେଡିର ଗଡ ଥିବା ଯାଜପୁର ଏବେ ଗେରୁମାମୟ ହେବାରେ ଲାଗିଛି । ଯେଉଁଥିପାଇଁ ଛନକା ପଶିଛି ଦଳରେ । କାଳ ବିଳମ୍ବ ନ କରି ପ୍ରଣବ ନିଜ ଯାଜପୁର ବାସଭବନରେ ସରପଞ୍ଚ, ସମିତି ସଭ୍ୟଙ୍କୁ ନେଇ ବୈଠକ କରିଛନ୍ତି। ବିଡ଼ମ୍ବନାର ବିଷୟ ହେଉଛି ଯିଏ ଦିନେ ରାଜ୍ୟ ସଂଗଠନ କଥା ବୁଝୁଥିଲେ, ଆଜି ସେ ନିଜ ଅଞ୍ଚଳର ପଞ୍ଚାୟତକୁ ଜଗୁଛନ୍ତି । ନିକଟରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୧୩ ଜଣ ସମିତି ସଭ୍ୟ ଓ ୮ ଜଣ ସରପଞ୍ଚଙ୍କ ସମେତ ବହୁ ଆଗଧାଡିର ନେତା, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପସ୍ଥିତିରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ।

ସେହିପରି ଦୁଇ ଦିନ ତଳେ ବରୀ ନିର୍ବାଚନ ମଣ୍ଡଳୀର ବ୍ଲକ୍ ଅଧ୍ୟକ୍ଷଙ୍କ ସମେତ ୧୧ ସମିତି ସଭ୍ୟ ଓ ୬ ସରପଞ୍ଚ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି। ସେହିପରି କେନ୍ଦୁଝର ବିଜେଡିକୁ ବି ଲାଗିଛି ଜବରଦସ୍ତ ଝଟକା। କେନ୍ଦୁଝର ସଦର ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷଙ୍କ ସହ ୭ ଜଣ ସମିତି ସଭ୍ୟ, ୧୫ ଜଣ ସରପଞ୍ଚ ବିଜେପିରେ ସାମିଲ୍ ହୋଇଛନ୍ତି । ଏହାପୂର୍ବରୁ ଗତ ଦୁଇ ତାରିଖରେ ୧୮ ଜଣ ସମିତି ସଭ୍ୟ ଓ ସରପଞ୍ଚ ଏବଂ ୮ ତାରିଖରେ ବାଂଶପାଳ ବ୍ଲକ୍ ର ୨୧ ଜଣ ସମିତି ସଭ୍ୟ ଓ ସରପଞ୍ଚ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଜେପିରେ ଯୋଗ ଦେଇଛନ୍ତି। ବିଜେପି-ବିଜେଡି ଭିତରେ ପଞ୍ଚାୟତକୁ ନେଇ ଟଣା ଓଟରା ଲାଗିଥିବାବେଳେ କଂଗ୍ରେସ ନିଜ ଅସଜଡା ଘରକୁ ନେଇ ଚିନ୍ତାରେ ।

ଗୋଟିଏ ପଟେ ପଞ୍ଚାୟତ ସ୍ତରରେ ବିଜେଡି ଛାଡୁଛନ୍ତି ନେତା । ଅନ୍ୟପଟେ ନବୀନ ନିବାସରେ ହଲ୍‌ଚଲ୍ । ଗତକାଲି ନବୀନ ନିବାସରେ ବେଗୁନିଆ ଓ ପାଲଲହଡା ଅଞ୍ଚଳର ପଞ୍ଚାୟତ ପ୍ରତିନିଧିମାନେ ଆସି ନବୀନଙ୍କୁ ଭେଟିଛନ୍ତି । ଆଉ ନବୀନ, ସମସ୍ତଙ୍କୁ ଏକ୍ ରହିବାକୁ ପରାମର୍ଶ ଦେଇଛନ୍ତି। ଯେଉଁ ସବୁ ନିର୍ବାଚନ ମଣ୍ଡଳୀରେ ଦଳ ଜିତିଛି ଓ ଯେଉଁଠି ପଞ୍ଚାୟତ ସ୍ତରରେ ଦଳ ଭଲ ସ୍ଥିତିରେ ଅଛି, ସେହି ସବୁ ଅଞ୍ଚଳରେ ପଞ୍ଚାୟତ ସଂଗଠନକୁ ସୁଦୃଢ କରିବାକୁ ବିଜେଡି ପ୍ରସ୍ତୁତି କରୁଛି।

ଅଢେଇ ବର୍ଷ ପରେ ରାଜ୍ୟରେ ହେବ ପଞ୍ଚାୟତ ନିର୍ବାଚନ। ଏହାପରେ ପରେ ମହାନଗର ନିଗମ ନିର୍ବାଚନ ହେବ । ଏହାପୂର୍ବରୁ ଶାସକ ଓ ବିରୋଧୀ ନିଜ ଗଡ ସଜାଡିବାକୁ ଜୋରଦାର ପ୍ରୟାସ ଆରମ୍ଭ କରିଦେଇଛନ୍ତି ।

 

  • Reported by:
  • JAGDISH DAS , NIRANJAN REDDY , Gulam

OTV is now on Whatsapp

Join and get latest news update delivered to you via whatsapp

Join Now