• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ନେଇ କେନ୍ଦ୍ରର ରୋକ୍ ପରେ ତେଜିଲା ରାଜନୀତି । ଏ ପ୍ରସଙ୍ଗରେ କେନ୍ଦ୍ରର ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । କାଶି ବିଶ୍ୱନାଥ, ସୋମନାଥ ଓ କେଦାରନାଥରେ ଆମ୍‌ସର ଆକ୍ଟ ପାଳନ ହୋଇଛି ତ ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ । ସେଠି ଗୋଟିଏ ମାପକାଠି ଏବଂ ଲିଙ୍ଗରାଜଙ୍କ ପାଇଁ ଆଉ ଏକ ମାପକାଠି ବୋଲି ଆପତ୍ତି ଉଠାଇଛନ୍ତି । ଲିଙ୍ଗରାଜ ଅଧ୍ୟାଦେଶ ନେଇ ଦୁଇଥର ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସ୍ପଷ୍ଟୀକରଣ ଦିଆଯାଇଛି । ଆଉଥରେ ପଚାରିଥିଲେ ଦିଆଯାଇଥାନ୍ତା ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସେପଟେ ବିଜେପି କହିଛି, ବିକାଶକୁ ବିରୋଧ କରାଯାଉନି ଦେଶରେ ସମ୍ବିଧାନ ଅଛି, ଆଇନ୍ ଅନୁସାରେ କାମ ହେବା ଆବଶ୍ୟକ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । 

ସୂଚନାଯୋଗ୍ୟ, ଲିଙ୍ଗରାଜ ମନ୍ଦିର ଓ ଆଖପାଖରେ ଥିବା ଆଉ ୮ଟି ମନ୍ଦିରକୁ ଗୋଟିଏ ସ୍ୱତନ୍ତ୍ର ଆଇନ ପରିସରକୁ ଆଣିବା ଲାଗି ରାଜ୍ୟ ସରକାରଙ୍କ ଅଧ୍ୟାଦେଶ ଉପରେ କେନ୍ଦ୍ର ସରକାର ରୋକ ଲଗାଇଛନ୍ତି । ଲିଙ୍ଗରାଜ ମନ୍ଦିର ଓ ଆଖପାଖରେ ଥିବା ଆଉ ୮ଟି ମନ୍ଦିରକୁ ସ୍ୱତନ୍ତ୍ର ଆଇନ ଭିତରେ ରଖିବା ଲାଗି ଅଧ୍ୟାଦେଶ ଆଣିଥିଲେ ରାଜ୍ୟ ସରକାର ।

ପୁରୀ ଜଗନ୍ନାଥ ମନ୍ଦିର ଭଳି ଲିଙ୍ଗରାଜ ମନ୍ଦିର ଓ ଆଖପାଖ ମନ୍ଦିରକୁ ଲିଙ୍ଗରାଜ ମନ୍ଦିର ପରିଚାଳନା ସମିତି ଅଧିନକୁ ଆଣିଥାନ୍ତେ । ଓଡ଼ିଶା ବିଧାନସଭାରେ ଅଧ୍ୟାଦେଶ ପାରିତ ହେବା ପରେ କେନ୍ଦ୍ରକୁ ପଠାଯାଇଥିଲା । ତେବେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ଅଧ୍ୟାଦେଶର ଅନେକ ଅନୁଚ୍ଛେଦ ଉପରେ ଆପତ୍ତି ଉଠାଇଥିଲେ । ଅଧ୍ୟାଦେଶଟି ପ୍ରାଚୀନ ଐତିହ୍ୟ ପ୍ରତ୍ନତାତ୍ତ୍ୱିକ ଅବଶେଷ ଆଇନ-୧୯୫୮ର ପରିପନ୍ଥି ବୋଲି କେନ୍ଦ୍ର ସରକାର ଦର୍ଶାଇଛନ୍ତି । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟପାଳଙ୍କୁ ଜଣାଯାଇଥିଲା । ଏହା ଉପରେ ସ୍ପଷ୍ଟୀକରଣ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ରାଜଭବନ ପକ୍ଷରୁ କୁହାଯାଇଛି ।