• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଉପବାଚସ୍ପତି ପଦରେ ବିଜେଡି କାହାକୁ ବସାଇବ ? ଅଭିଜ୍ଞତାକୁ ଅଗ୍ରାଧିକାର ମିଳିବ ନା ଫୋକସ୍ ରେ ରହିବ ପଶ୍ଚିମ ଓଡ଼ିଶା । ସାମ୍ବିଧାନିକ ପଦବୀ କୁ ନେଇ ଅନେକ ଚର୍ଚ୍ଚା ରାଜନୈତିକ ମହଲରେ ଲାଗି ରହିଛି । ଏହାରି ଭିତରେ ଆସନ୍ତାକାଲି ଉପବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ ହେବ ।

କିଏ ହେବେ ବିଧାନସଭାର ପରବର୍ତ୍ତୀ ଉପବାଚସ୍ପତି ? କାହା ଉପରେ ନବୀନ କରିବେ ଭରସା ? ସଂଗଠନ ସହ ତାଳ ଦେଇ କିଏ ନିଭେଇ ପାରିବେ ଗୃହ କାର୍ଯ୍ୟ ପରିଚାଳନାରେ ସକ୍ରିୟ ଭୂମିକା ? ଆସନ୍ତାକାଲି ନାମାଙ୍କନ ଦାଖଲ ସହ ୨୧ ତାରିଖରେ ହେବ ଉପବାଚସ୍ପତି ନିର୍ବାଚନ । ଶାସକ ଦଳ ବିଜେଡି ପାଖରେ ସମସ୍ୟା ହେଲା ପ୍ରାର୍ଥୀ ଚୟନ । ବାଚସ୍ପତି ଉପକୂଳ ଓଡ଼ିଶାର ହୋଇଥିବାରୁ ଉପବାଚସ୍ପତି ପଶ୍ଚିମ କିମ୍ବା ଉତ୍ତର ଓଡ଼ିଶାରୁ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଉପବାଚସ୍ପତି ପଦ ଲାଗି ବରିଷ୍ଠ ନା ଯୁବ ଚେହେରାଙ୍କ ଉପରେ ଦଳ ଭରସା କରିବ ତା’କୁ ନେଇ ଅଙ୍କ କସୁଛି ବିଜେଡି । ତେବେ ଚୂଡାନ୍ତ ନିଷ୍ପତ୍ତି ସୁପ୍ରିମୋଙ୍କ ହାତରେ ।

ଆଗକୁ ସାଧାରଣ ନିର୍ବାଚନ । ସରକାରୀ ଦଳର ଫୋକସ ଏବେ ସଂଗଠନ ଉପରେ । କାରଣ ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଜିଲ୍ଲା ତଥା ନିର୍ବାଚନ ମଣ୍ଡଳୀ ଅନୁଗୁଳରେ ସଂଗଠନ ଦୁର୍ବଳ ହେବା କାରଣରୁ ସେ ଇସ୍ତଫା ଦେଇ ସଂଗଠନ ସଜାଡିବା କାମରେ ଲାଗିଛନ୍ତି । ତେବେ ରାଜନୈତିକ ସମୀକ୍ଷକଙ୍କ ମତରେ ପଶ୍ଚିମ ଓଡ଼ିଶାରେ କୋଶଳ ରାଜ୍ୟ ଗଠନ ଟେନସନକୁ ପ୍ରଶମିତ କରିବା ପାଇଁ ପଶ୍ଚିମ ଓଡ଼ିଶାର ଜଣେ ବିଧାୟକଙ୍କୁ ଉପ ବାଚସ୍ପତି ପଦ ମିଳିପାରେ । ସେପଟେ ଆଦିବାସୀ ଜମି କିଣାବିକା ସମ୍ପର୍କିତ ପ୍ରସ୍ତାବକୁ କ୍ୟାବିନେଟରେ ପାରିତ କରି ଅଡ଼ୁଆରେ ଥିବା ସରକାର ଟ୍ରାଇବାଲ କାର୍ଡ ମଧ୍ୟ ଖେଳି ପାରନ୍ତି ।

ଅତାବିରା ବିଧାୟିକା ତଥା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନଙ୍କ ନାଁ ରେସରେ ଆଗରେ ଅଛି । ସେହିପରି ଅଭିଜ୍ଞଙ୍କ ଭିତରେ ଅମର ଶତପଥୀ, ଶଶିଭୂଷଣ ବେହେରା, ସୁଧିର ସାମଲ, ପ୍ରଫୁଲ୍ଲ ସାମଲଙ୍କ ନାଁ କୁ ନେଇ ବି ଚର୍ଚ୍ଚା ହେଉଛି।

ଆସନ୍ତା ଶୀତ ଅଧିବେଶନ ବ୍ୟତୀତ ସାଧାରଣ ନିର୍ବାଚନ ପୂର୍ବରୁ ବିଧାନସଭାର ଆଉ ଗୋଟିଏ ଅଧିବେଶନ ବସିପାରେ । ଏଥିଲାଗି ସାମ୍ବିଧାନିକ ଅଭିଜ୍ଞତା ଥିବା ବିଧାୟକଙ୍କୁ ଗୁରୁତ୍ୱ ମିଳିପାରେ ।

  • Reported by:
  • JAGDISH DAS