Advertisment

ପାଣ୍ଡିଆନଙ୍କ ପଲିଟିକାଲ୍ ଲଞ୍ଚିଂ ପାଇଁ ଗଳାବାଟ ! ବିଜ୍ଞାପନ ବଦଳରେ ପେଡ୍ ନ୍ୟୁଜକୁ ଅସ୍ତ୍ର କରିଥିଲା ବିଜେଡି

ନୀତି ନ ଥାଇ ବି ପେଡ୍ ନ୍ୟୁଜ୍ ଦେଇ ପାଣ୍ଡିଆନଙ୍କ ପ୍ରଚାରରେ ମାତିଥିଲା ବିଜେଡି ସରକାର ! ବିଜ୍ଞାପନ ବଦଳରେ ପେଡ୍ ନ୍ୟୁଜ୍ ଆଉ ତା ବି ସ୍ଥିରିକୃତ ଦରଠାରୁ ଅଧିକ ଦର ପାଇଁ କିଏ ନେଇଥିଲା ନିଷ୍ପତ୍ତି ?

author-image
Santosh Kumar Sahoo
undefined

VK Pandian

ପାଣ୍ଡିଆନଙ୍କ ପଲିଟିକାଲ୍ ଲଞ୍ଚିଂ ପାଇଁ ଗଳା ବାଟ ବାହାର କରିଥିଲେ ବିଜେଡି ସରକାର! ବିଜ୍ଞାପନ ବଦଳରେ ପେଡ୍ ନ୍ୟୁଜକୁ କରିଥିଲେ ମାଧ୍ୟମ! ଗଣମାଧ୍ୟମକୁ ସ୍ଥିରିକୃତ ଦର ଠାରୁ ଅଧିକ ଦରରେ ବାଣ୍ଟିଥିଲେ ପେଡ୍ ନ୍ୟୁଜ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନଙ୍କ ଫଟୋଚିତ୍ର ଥାଇ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ଦେଉଥିଲେ ପେଡ୍ ନ୍ୟୁଜ୍ । ବଡ଼ କଥା ହେଲା ପେଡ୍ ନ୍ୟୁଜ୍ ପାଇଁ ରାଜ୍ୟ ସରକାରଙ୍କ ପାଖେ କୌଣସି ନୀତି ନଥିବା ବେଳେ ତରବରିଆ ଭାବେ ଏକ କମିଟି କରି ନିର୍ଦ୍ଧାରଣ କରିଥିଲେ ଦର ।

Advertisment

ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକସ୍ତରରେ ହୋଇଥିଲା ଏହି କମିଟି । ଆଉ ଜୁଲାଇ ୨୦୨୩ରେ ଏହି କମିଟି ଧାର୍ଯ୍ୟ କରିଥିଲା ପେଡ୍ ନ୍ୟୁଜ୍ ଦର । ଯଦି କୌଣସି ଖବର କାଗଜ ଭିତର ପୃଷ୍ଠାରେ ପେଡ୍ ନ୍ୟୁଜ୍ ଛପାଏ ତାହାଲେ ଫ୍ରଣ୍ଟ ପେଜ୍ ଅର୍ଥାତ ପ୍ରଥମ ପୃଷ୍ଠାର ବିଜ୍ଞାପନ ଦର ପାଇବ । ଆଉ ଯଦି ପ୍ରଥମ ପୃଷ୍ଠାରେ ଛପାଏ ତାହାଲେ ବିଜ୍ଞାପନ ଦରଠାରୁ ୨୫ ପ୍ରତିଶତ ଅଧିକ ଦିଆଯିବ । ଏମିତି କି ଏହି ଟଙ୍କା ବାବଦକୁ GST ମଧ୍ୟ ଛାଡ଼ କରିବାକୁ ନିଷ୍ପତ୍ତି ନେଇଥିଲା କମିଟି ।

ସାଂଘାତିକ କଥା ହେଲା କୌଣସି ପ୍ରକାର ନୂଆ ନୀତି ପାଇଁ କ୍ୟାବିନେଟ୍ ନଚେତ୍ ମୁଖ୍ୟମନ୍ତ୍ରୀଙ୍କର ଅନୁମୋଦନ ଆବଶ୍ୟକ, ହେଲେ ଏଠି କେମିତି କେବଳ ବିଭାଗୀୟ କମିଟି ନିର୍ଦ୍ଧାରଣ କଲା ପେଡ୍ ନ୍ୟୁଜ୍ ନୀତି ? କାହା ନିର୍ଦ୍ଦେଶରେ ହୋଇଥିଲା ଏଭଳି ନିଷ୍ପତ୍ତି ? ଆହୁରି ସାଂଘାତିକ କଥା ହେଲା, ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ଥିଲା ବେଳେ ବି ଏପ୍ରିଲ ୧୯ ତାରିଖରେ ନୂଆ ପେଡ୍ ନ୍ୟୁଜ୍ ପାଇଁ ଟଙ୍କା ଦେଇଥିଲା ବିଭାଗ । ପ୍ରଶ୍ନ ଉଠିଛି ଏହି ବିଜ୍ଞାପନ କେଳେଙ୍କାରୀ ପାଇଁ କେଉଁମାନେ ଦାୟୀ ?

Advertisment

ଆଉ ଏକ ବଡ଼ କଥା ହେଲା, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିନା ଅନୁମୋଦନରେ ଦିଆଯାଇଥିବା ପେଡ୍ ନ୍ୟୁଜକୁ ନୂଆ ସରକାରେ ବି କରାଯାଇଛି ମଞ୍ଜୁରୀ । ବିଧାନସଭାରେ ଦିଆଯାଇଥିବା ତଥ୍ୟକୁ ଥରେ ଦେଖନ୍ତୁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ମା' ସମଲେଇ ପ୍ରକଳ୍ପ ବାବଦ ପେଡ୍ ନ୍ୟୁଜ୍ ପାଇଁ ନୂଆ ସରକାର ଆସିବା ପରେ ଜୁନ୍ ୩୦ ଓ ଅଗଷ୍ଟ ୧୭ରେ ମିଳିଛି ଅର୍ଥ ମଞ୍ଜୁରୀ । ୧୫ କୋଟି ୨୬ ଲକ୍ଷ ଟଙ୍କାର ବିଜ୍ଞାପନରୁ କେବଳ ପ୍ରାୟ ୧୦ କୋଟି ୭୦ ଲକ୍ଷ ଟଙ୍କା ନୂଆ ସରକାର ଆସିବା ପରେ ମଞ୍ଜୁର ହୋଇଛି । ତେଣୁ ଏଠି ପ୍ରଶ୍ନ ନୂଆ ସରକାରରେ ଏହି ବିଜ୍ଞାପନ କେଳେଙ୍କାରୀକୁ କିଏ କଲା ମଞ୍ଜୁରୀ ? ଏହା ପଛରେ କାହା ଭୂମିକା ଅଛି? ସୂଚନା ଓ ଲୋକସଂପର୍କ ବିଭାଗ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଥିବା ବେଳେ କେମିତି ହେଲା ମଞ୍ଜୁରୀ? ଏନେଇ ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି ତ? ନା ତାଙ୍କ ଅଜଣତାରେ ବିଭାଗୀୟ ସଚିବ ନେଇଛନ୍ତି ନିଷ୍ପତ୍ତି? ଯାହାକୁ ନେଇ ତେଜିଛି ରାଜନୀତି।

ବିଜ୍ଞାପନ କେଳେଙ୍କାରୀ ସାମ୍ନାକୁ ଆସିବା ପରେ, ଗୋଟେ ପଟେ ପାଣ୍ଡିଆନଙ୍କ ସପକ୍ଷରେ ବିଜେଡି ବାହାରୁଥିବା ବେଳେ, ଅନ୍ୟ ପଟେ ନୂଆ ସରକାରରେ କିଛି ଅଧିକାରୀ ବି ପାଣ୍ଡିଆନଙ୍କ କେଳେଙ୍କାରୀକୁ ଧୋଇବାକୁ ଚେଷ୍ଟା କରୁଛନ୍ତି । ତେବେ ବିଜ୍ଞାପନ କେଳେଙ୍କାରୀରେ ତଦନ୍ତ ଆଉ କାର୍ଯ୍ୟାନୁଷ୍ଠାନ କେବେ ହେଉଛି ତାକୁ ଅପେକ୍ଷା ।

BJD VK Pandian Paid News
Advertisment
Advertisment