• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବା ପରେ ସମ୍ବଲପୁର ଅଭିମୁଖେ ମୋଦି । ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ବନ୍ଦରରେ ମୋଦି ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦିନିକିଆ ସମ୍ବଲପୁର କାର୍ଯ୍ୟକ୍ରମ ରହିଛି । ଆଇଆଇଏମ ସମ୍ବଲପୁରର ନୂଆ କ୍ୟାମ୍ପସ ଲୋକାର୍ପଣ ସହ ପାଖାପାଖି ୬୮ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।

ସମ୍ବଲପୁର ରେମେଡ ପଡ଼ିଆର ସଭାସ୍ଥଳରେ ବିଶାଳ ଗ୍ୟାରେଣ୍ଟି ଜନସମାବେଶରେ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ଦେବେ ୨୪ ପାଇଁ ପରିବର୍ତ୍ତନର ଆହ୍ୱାନ । ଆମ ସଂକଳ୍ପ ବିକଶିତ ଭାରତ-ବିକଶିତ ଓଡ଼ିଶା ନାରାରେ ଏଇଠୁ ଫୁଙ୍କିବେ ନିର୍ବାଚନୀ ମହାଲଢ଼େଇର ବିଗୁଲ୍ । ଲକ୍ଷାଧିକ ଦଳୀୟ କର୍ମୀ, ନେତା ଓ ଜନତାଙ୍କୁ ନିଜ ସରକାର ୧୦ ବର୍ଷର ଉପଲବ୍ଧି ବଖାଣିବେ ।

ବିଜେପି ଶିବିରରେ ବି ଉତ୍ସାହ ଭରି ଡବଲ୍ ଇଞ୍ଜିନ୍ ସରକାରର ମାହୋଲ ବନାଇବେ । ଏଥିପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା ରାଜନୀତି । କାରଣ ନିର୍ବାଚନକୁ ଆଉ ମାତ୍ର ଦୁଇମାସ ବାକି ଥିଲା ବେଳେ ବଜେଟ୍ ପରେ ପ୍ରଥମ ଜନସମାବେଶକୁ ସମ୍ବୋଧିତ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ । ତାହା ପୁଣି ଓଡ଼ିଶାର ବିଜେପି ଗଡ଼ ପଶ୍ଚିମ ଓଡ଼ିଶାରେ । ତେବେ ନିଜ ଭାଷଣରେ ରାଜ୍ୟ ସରକାରଙ୍କ ପ୍ରତି ମୋଦିଙ୍କ ସ୍ୱର କେତେ ଗରମ ରହିବ ତା ଉପରେ ନିର୍ଭର କରୁଛି ୨୪ ରାଜନୈତିକ ପୃଷ୍ଠଭୂମି । ହେଲେ ମୋଦିଙ୍କ ଗସ୍ତକୁ ନେଇ ଉତ୍ସାହିତ ରାଜ୍ୟ ବିଜେପି ସଭାପତି କିନ୍ତୁ କହିଛନ୍ତି ୨୪ରେ ରାଜ୍ୟରେ ବିଜେପି ସରକାର ନିଶ୍ଚିତ ।

ତେବେ ରେମେଡ ସାଧାରଣ ସଭା ପୂର୍ବରୁ ଆଇଆଇଏମ୍ ସମ୍ବଲପୁର କ୍ୟାମ୍ପସରେ ମୋଦିଙ୍କ ସରକାରୀ କାର୍ଯ୍ୟକ୍ରମ ବି ରହିଛି । ଏଠି ଶିକ୍ଷା ବିଭାଗ ଦ୍ୱାରା ୪ ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଇଆଇଏମ୍ ସମ୍ବଲପୁରର ନିଜସ୍ୱ କ୍ୟାମ୍ପସର ଲୋକାର୍ପଣ କରିବା ସହ ୬୮ ହଜାର କୋଟି ଟଙ୍କାର ଅନ୍ୟ କେତେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଯେଉଁଥିରେ ସମ୍ବଲପୁର ରେଳଷ୍ଟେସନର ନବୀକରଣର ଶୁଭ ଦିଆଯିବା ସହ, ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନକୁ ସୋନପୁର ଆଗକୁ ଲୋକାର୍ପିତ ହେବା ସହ ସୋନପୁରରୁ ପୁରୀକୁ ନୂଆ ଟ୍ରେନ ଚଳଚଳର ଶୁଭାରମ୍ଭ ହେବ ।

ଏନଟିପିସିର ଦୁଇଟି ପ୍ରକଳ୍ପର ଲୋକାର୍ପଣ ସାଙ୍ଗକୁ ବ୍ରାହ୍ମଣୀ ନଦୀରେ ଦୁଇଟିକିଆ ପୋଲର ଉଦ୍‌ଘାଟନ, ଝାରସୁଗୁଡ଼ାର ପୁରାତନ ପୋଷ୍ଟ ଅଫିସକୁ ଐତିହ୍ୟ ପ୍ରକଳ୍ପ ଭାବେ ଲୋକାର୍ପଣର ବି କାର୍ଯ୍ୟକ୍ରମ ରହିଛି ।

  • Reported by:
  • SANJAY JENA