/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706538635.jpg)
Mallikarjun Kharge
ନିର୍ବାଚନ ପୂର୍ବରୁ ଓଡ଼ିଶାରେ କଂଗ୍ରେସ ମୁଖିଆଙ୍କ ହୁଙ୍କାର। ପ୍ରଥମ ଗସ୍ତ, ଓଡ଼ିଶା ବଞ୍ଚାଅର ନାରା। ଭୁବନେଶ୍ୱରରେ ଆୟୋଜିତ ବିଶାଳ ସମାବେଶରେ ଜିଲ୍ଲା, ବ୍ଲକ, ମଣ୍ଡଳ ଏବଂ ପଞ୍ଚାୟତ ସଭାପତିଙ୍କ ସହ ହଜାର ହଜାର କର୍ମୀଙ୍କୁ ଉଦବୋଧନ ଦେଇ ଉଭୟ ବିଜେଡି ଓ ବିଜେପି ଉପରେ ବର୍ଷିଛନ୍ତି ସଭାପତି ମଲ୍ଲିକାର୍ଜୁନ ଖଡଗେ।
ଓଡ଼ିଶାରେ ଯାହା ବି ହୋଇଛି, କଂଗ୍ରେସ ଅମଳରେ ହୋଇଛି, ନବୀନ ଓ ମୋଦି ଓଡ଼ିଶାକୁ କଣ ଦେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଖଡଗେ ? ମଂଚରୁ ନାଁ ନନେଇ ପାଣ୍ଡିଆନଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ଖଡଗେ। କହିଛନ୍ତି, ଗୋଟିଏ ଅଫିସରକୁ ବସାଇ ରାଜ୍ୟରେ ସରକାର ଚାଲିଛି। ଏଠାରେ କଣ ଲୋକ ନାହାନ୍ତି ଯେ, ବାହାରୁ ଆଣିବାକୁ ପଡ଼ିଲା, ନେତାମାନଙ୍କ କଣ ଜୀବନ ନାହିଁକି ବି ପ୍ରଶ୍ନ କରିଛନ୍ତି ଖଡଗେ।
କେବଳ ଏତିକି ନୁହେଁ, ଖଡଗେ କହିଛନ୍ତି,ବିଜୁ ବାବୁ ଓ ନବୀନଙ୍କ ମଧ୍ୟରେ ରହିଛି ବଡ଼ ଫରକ। ପଣ୍ଡିତ ନେହରୁଙ୍କ ଦୃଷ୍ଟିରେ ଓଡ଼ିଶା ବିଶେଷ ସ୍ଥାନ ନେଇଥିଲା । ବିଜୁ ପଟ୍ଟନାୟକଙ୍କ ସହ ନେହରୁଙ୍କ ଘନିଷ୍ଠ ସଂପର୍କ ଥିଲା। ହେଲେ ଏବର ପଟ୍ଟନାୟକଙ୍କର କିନ୍ତୁ ବିଜେପି ସହ ନିଘନ ସଂପର୍କ ରହିଛି ବୋଲି ଅଭିଯୋଗ କରିଛନ୍ତି ଖଡଗେ।
କେବଳ ଏତିକିରେ ସରିନଥିଲା ଖଡଗେଙ୍କ ଆକ୍ରମଣ, ଦାରିଦ୍ର୍ୟ ଓ ଦାଦନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ତ ଗଣତନ୍ତ୍ର, ନିଯୁକ୍ତି ଓ ଧନୀ-ଗରିବଙ୍କ ଉଦାହରଣ ଦେଇ ଟାର୍ଗେଟ୍ କରିଛନ୍ତି ବିଜେପିକୁ। କହିଛନ୍ତି, ମୋଦି-ନବୀନ ଧନୀଙ୍କ ସହ ଅଛନ୍ତି ଆଉ ଗରିବଙ୍କ ସହ ଅଛି କଂଗ୍ରେସ।
ଓଡ଼ିଶା ପିସିସି ପ୍ରଭାରୀ ଅଜୟ କୁମାର ବି ନେତା ଓ କର୍ମୀଙ୍କ ଆଗରେ ବଖାଣିଛନ୍ତି କଂଗ୍ରେସର ସଫଳତା ଆଉ ରାଜ୍ୟ ସରକାରଙ୍କ ବିଫଳତାର କାହାଣୀ। କହିଛନ୍ତି, ଭୁବନେଶ୍ୱରରେ ମର୍ସିଡିଜ୍ ଓ ଲାମ୍ବରଗିନି ଭର୍ତ୍ତି ହେଲେ କନ୍ଧମାଳରେ ଲୋକେ ଖାଇବାକୁ ପାଉନାହାଁନ୍ତି ।
ଏଆଇସିସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଖଡଗେଙ୍କ ଏହା ପ୍ରଥମ ଓଡିଶା ଗସ୍ତ। ସେପଟେ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଥିବା ସାଂସଦ ରାହୁଲ ଗାନ୍ଧୀ ଫେବ୍ରୁଆରିରେ ଓଡ଼ିଶାର ୪ଟି ଜିଲ୍ଲା ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ଏଭଳି ସ୍ଥିତିରେ ଖଡଗେଙ୍କ ମନ୍ତ୍ର, ଓଡ଼ିଶାର ନେତା ଓ କର୍ମୀଙ୍କ ମଧ୍ୟରେ ଜୋସ୍ ଭରି ଦେଇଛି। ତେବେ ଗୋଷ୍ଠୀ କନ୍ଦଳରେ ଭରି ରହିଥିବା କଂଗ୍ରେସରେ ଖଡଗେ ଓ ରାହୁଲଙ୍କ ଗସ୍ତ କେତେ କାମ କରୁଛି, ତାଉପରେ ନଜର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)