• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଥମୁନି ହିଂସାକାଣ୍ଡ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ହିଂସାକାଣ୍ଡଠାରୁ ବଳିଗଲା ତୃତୀୟ ପର୍ଯ୍ୟାୟ ନିର୍ବାଚନୀ ହିଂସାକାଣ୍ଡ । ଗୋଟିଏ ପଟେ ହିଂସାକାଣ୍ଡ ଥମିବାର ନାଁ ଧରୁନଥିବା ବେଳେ ଅନ୍ୟପଟେ ଲୋକେ ଧାରଣାରେ ବସିଲେରି । ସାନି ମତଦାନକୁ ବିରୋଧ କରି ଜାତୀୟ ରାଜପଥ ଅବରୋଧ କଲେଣି ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା- ବଲାଙ୍ଗୀର ୫୭ ନମ୍ବର NHର ଚଉଁରିଆ ପଦର ଛକରେ । ସ୍ଥାନୀୟବାସିନ୍ଦା ରାସ୍ତା ଅବରୋଧ କରିବା ସହ ହୋହଲ୍ଲା କରିଛନ୍ତି । ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଗତ ୧୮ ତାରିଖରେ ବୌଦ୍ଧ ଜିଲ୍ଲା ରକ୍ସା ପଂଚାୟତ ଚଉଁରିଆପଦରରେ ମତଦାନ ବେଳେ ବୁଥ କ୍ୟାପଚରିଂ ଅଭିଯୋଗ ହୋଇଥିଲା । ଏଣୁ ଆସନ୍ତା ୨୩ ତାରିଖରେ ସେହି ବୁଥରେ ସାନି ମତଦାନ କରିବାକୁ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ବାସିନ୍ଦା ଏହାକୁ ବିରୋଧ କରିଛନ୍ତି । ଖାଲି ସେତିକି ନୁହେଁ ଯଦି ଚାଉଁରିଆପଦର ଗାଁରେ ସାନି ମତଦାନ ହେଉଛି ତେବେ ସେହି ପଂଚାୟତର ଅମୁର୍ଡା ଏବଂ ମହିସରପିଣ୍ଡା ବୁଥରେ ମଧ୍ୟ ସାନି ମତଦାନ କରିବାକୁ ଅଡି ବସିଛନ୍ତି ସ୍ଥାନୀୟ ବାସିନ୍ଦା । ଅମୁର୍ଡା ଏବଂ ମହିସରପିଣ୍ଡା ବୁଥ୍‌ରେ ମୃତକଙ୍କ ନାଁରେ ଭୋଟ ଦିଆଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସେମାନଙ୍କ ଦାବି ପୁରଣ ନହେଲେ ରାସ୍ତାରୋକ ହଟିବ ନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । 

ଅନ୍ୟପଟେ ଗଂଜାମ ପାତ୍ରପୁର ବ୍ଲକ ଅନ୍ତର୍ଗତ ପାତ୍ରପୁର ଗାଁରେ ଭୋଟ ବାକ୍ସରେ ପାଣି ପକାଇଦେଲେ ଦୁର୍ବତ୍ତ । ପାତ୍ରପୁର ଗାଁର ୧୪ ନମ୍ବର ଓ୍ୱାର୍ଡ ଗୋଲାସାହି କୋଠଘର ବୁଥ୍‌ରେ ଭୋଟ ଚାଲିଥିବା ବେଳେ କିଛି ଦୁର୍ବତ୍ତ ଭୋଟ ବାକ୍ସରେ ପାଣି ଭରି ଦେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ କିଛି ସମୟ ଧରି ଉତ୍ତେଜନା ଦେଖାଦେଇଥିଲା । ଭୋଟଗ୍ରହଣ କେନ୍ଦ୍ରରେ ଉତ୍ତେଜନା ପରେ ଲୋକଙ୍କୁ ବୁଝାସୁଝା ପରେ ଉତ୍ତେଜନା ଥମିଥିଲା । ବାଲାଟ ପେପର ଭିଜିଥିଲେ ପୁଣିଥରେ ଭୋଟ କରିବାକୁ ପ୍ରତିଶ୍ରୁତି ପରେ ଉତ୍ତେଜନା ହ୍ରାସ ପାଇଥିଲା । ପରିସ୍ଥିତି ଶାନ୍ତ ହେବା ପରେ ପୁଣି ଧାଡ଼ିରେ ଆସି ଭୋଟ ଦେଇଥିଲେ ଲୋକେ ।

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭଳି ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଛି ପ୍ରବଳ ହିଂସା । ବିଭିନ୍ନ ସ୍ଥାନରେ ବୁଥ୍ ରିଗିଂ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଥିବା ବେଳେ ସରକାରୀ ଅଧିକାରୀ ଏବଂ ସାମ୍ବାଦିକଙ୍କୁ ମାଡ଼ ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଆଜି ବିଞ୍ଝାରପୁର ବ୍ଲକ ବାଛୋଳ ପଞ୍ଚାୟତ ୪ନମ୍ବର ବୁଥ୍‌ ଓ ୬ ନମ୍ବର ବୁଥ୍‌ରୁ ଭୋଟ୍ ବାକ୍ସ ଉଠାଇ ନେଇଛନ୍ତି ଦୁବୃର୍ତ୍ତ ।

୬ ନମ୍ବର ବୁଥ୍‌ର ଭୋଟ ବାକ୍ସ ଉଠାଇ ନେଇ ପୋଖରୀରେ ଫୋପାଡ଼ି ଦେଇଛନ୍ତି । ଉତ୍ତେଜନା ଯୋଗୁଁ ବୁଥରେ ବନ୍ଦ ରହିଛି ମତଦାନ । ସେହିପରି ଯାଜପୁର କୋରେଇ ବ୍ଲକ ଗୋଳେଇପୁର ପଞ୍ଚାୟତରେ ମଧ୍ୟ ଭୋଟିଂ ବେଳେ ଉତ୍ତେଜନା ଦେଖିବାକୁ ମିଳିଛି । ସ୍ଥାନୀୟ ସୋତି ୟୁଜିଏମ୍ଇ ସ୍କୁଲରେ ଭୋଟ୍ ଚାଲୁଥିବା ବେଳେ କିଛି ଦୁବୃର୍ତ୍ତ ବୁଥ୍ ଭିତରକୁ ପଶି ଆସିଥିଲେ । ବୁଥ୍ ଜବରଦଖଲ କରିବା ପାଇଁ ଚେଷ୍ଟା କରିବା ସହ କୋରେଇ ବିଡିଓ ରଞ୍ଜନ ପରିଡ଼ାଙ୍କ ଉପରେ ଆକ୍ରମଣ ମଧ୍ୟ କରିଥିଲେ । ପୋଲିସ୍ ବିଡିଓଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ବୁଥ୍‌ରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହି ଘଟଣା ପରେ ବୁଥ୍‌ରେ ଭୋଟିଂ ବନ୍ଦ ରଖାଯିବା ସହ ୮, ୯, ୧୦, ୧୧ର ପୋଲିଂ ପାର୍ଟି ଫେରି ଯାଇଛନ୍ତି ।