• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଅର୍ପଣ ରଥ ପରିକ୍ରମା ବଢାଉଛି ବିଜେଡି ପାଇଁ ଅଡୁଆ । ସମର୍ଥନ ଆଉ ସହଯୋଗ ବଦଳରେ ବଢୁଛି ବିରୋଧ। ପରିକ୍ରମା ପ୍ରକଳ୍ପ ନାଁରେ ପ୍ରଚାର ପ୍ରସାର ନେଇ ତେଜୁଛି ଅସନ୍ତୋଷ। ବିରୋଧର ମୁଖ୍ୟ କାରଣ ସାଜିଛି, ଅର୍ପଣ ରଥରେ ନବୀନ ଓ ପାଣ୍ଡିଆନଙ୍କ ଫଟୋ। ବଡମ୍ବା କଙ୍କଡାଯୋଡ଼ି ଗାଁରେ ଅର୍ପଣ ରଥକୁ ସରପଞ୍ଚଙ୍କ ସହ ଗ୍ରାମବାସୀଙ୍କ ତୀବ୍ର ବିରୋଧ କରିଛନ୍ତି । ରଥ ଚାରିପଟୁ ନବୀନ ଓ ପାଣ୍ଡିଆନଙ୍କ ଫଟୋ କାଢିବାକୁ ଅଡ଼ି ବସିଥିଲେ ଗ୍ରାମବାସୀ। ଶେଷରେ ଉଭୟଙ୍କ ଫଟୋ ଉପରେ ଧୋତି ଲଗାଇବାକୁ ବାଧ୍ୟ ହୋଇଥିଲା ପ୍ରଶାସନ।

ସେହିପରି ଭଦ୍ରକ ଚାନ୍ଦବାଲି ବ୍ଲକ ତୋଟାପଡ଼ା ପଞ୍ଚାୟତରେ ବି ତୀବ୍ର ବିରୋଧ କରିଥିଲେ ଗ୍ରାମବାସୀ। ଏହା ସହ ରଥ ଚାରି ପଟରେ ଲାଗିଥିବା ନବୀନ ଓ ପାଣ୍ଡିଆନଙ୍କ ଫଟୋ ଉପରେ ଲଗାଇଥିଲେ ଜଗନ୍ନାଥଙ୍କ ଫଟୋଚିତ୍ର । କିଛି ସମୟ ପାଇଁ ଉତ୍ତେଜନା ଦେଖାଦେବାରୁ ପୋଲିସ ପହଞ୍ଚି ସମାଧାନ କରିଥିଲା। ଆଉ ବାସୁଦେବପୁର ପୌରପାଳିକାରେ ତ ବିରୋଧ କରି ଅର୍ପଣ ରଥକୁ ଫେରାଇ ଦେଇଥିଲେ ସ୍ଥାନୀୟ ବାସିନ୍ଦା। ନବୀନ ଓ ପାଣ୍ଡିଆନଙ୍କ ଫଟୋ କାଢିବାକୁ ଦାବି କରି ରଥ ବୁଲାଇବାକୁ ଦେଇନଥିଲେ । ସେହିପରି କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ କନ୍ଦେଇପଶି ପଞ୍ଚାୟତରେ ବିରୋଧ କରି ରଥ ଆଗରେ ପ୍ରତିବାଦରେ ବସିଥିଲେ ଖୋଦ ପଞ୍ଚାୟତର ସମିତି ସଭ୍ୟ। ରଥଙ୍କୁ ଭାଙ୍ଗିବା ସହ ନବୀନ ଓ ପାଣ୍ଡିଆନଙ୍କ ଫଟୋ ଚିରିଥିଲେ ଗ୍ରାମବାସୀ।

ଖାଲି ଅସନ୍ତୋଷ ନୁହେଁ ଅର୍ପଣ ରଥ ପରିକ୍ରମାକୁ ନେଇ ରାଜନୀତି ବି ତେଜିଛି। ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି ବିଜେପି। ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି ମହାପ୍ରଭୁ ୯ ଦିନ ପାଇଁ ଘରୁ ବାହାରନ୍ତି, ହେଲେ ଏଠି ଗାଁ ଗାଁ ବୁଲୁଛନ୍ତି। ଟ୍ରଲି ଏବଂ ଅଟୋରେ ଜଗନ୍ନାଥଙ୍କ ମୂର୍ତ୍ତି ରଖି ଚାଉଳ ସଂଗ୍ରହ କରିବା କ’ଣ ଜଗନ୍ନାଥ ସଂସ୍କୃତି କି ବୋଲି ପଚାରିଛନ୍ତି ଅପରାଜିତା? ଅନ୍ୟପଟେ ବିଜେପି ଉପସଭାପତି ବିରଞ୍ଚି ତ୍ରିପାଠୀ ଆଜି ଟାର୍ଗେଟ୍ କରି କହିଛନ୍ତି, ଦଳୀୟ ରଙ୍ଗର ବ୍ୟାନର ଲଗାଇ ଅର୍ପଣ ରଥ ବୁଲାଉଛି ବିଜେଡି। ଜଗନ୍ନାଥଙ୍କ ରଥରେ ନବୀନ ଓ ପାଣ୍ଡିଆନଙ୍କ ଫଟୋ ଲଗାଇବା ଜଗନ୍ନାଥଙ୍କ ଅପମାନ। କଂଗ୍ରେସ ମଧ୍ୟ ଟ୍ରଲି ଏବଂ ଅଟୋରେ ମହାପ୍ରଭୁଙ୍କ ବିଗ୍ରହ ବୁଲାଇବା ନିନ୍ଦାଜନକ ବୋଲି କହିଛି। ବିଜେଡି କହିଛି ଅର୍ପଣ ରଥକୁ ଯିଏ ବିରେଧ କରୁଛି ତା କଥା ଜଗନ୍ନାଥ ପ୍ରେମୀ ବିଚାର କରିବେ।

ନିକଟରେ ଅର୍ପଣ ରଥକୁ ବିରୋଧ କରି ତେଲକୋଇରେ ସମୂହ ଇସ୍ତଫା ଦେଇଥିଲେ ୨୨ ସରପଞ୍ଚ। ଦିନକୁ ଦିନ ଅର୍ପଣ ରଥକୁ ନେଇ ବିରୋଧ ଆଉ ଅସନ୍ତୋଷ ବଢୁଥିବାରୁ, ରଥ ପରିକ୍ରମା ବିଜେଡି ପାଇଁ ମହଙ୍ଗା ହୋଇପାରେ ବୋଲି ଚର୍ଚ୍ଚା ହେଉଛି।