Advertisment

ରାଜ୍ୟରେ ଭୟାବହ ରୋଗରେ ପରିଣତ ହେଲାଣି ପିସି କାରବାର

ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ଏହାର ଜବାବ ରଖି ଅର୍ଥମନ୍ତ୍ରୀ କହିଛନ୍ତି, ବିରୋଧୀ ଆଣିଥିବା ଅଭିଯୋଗ ଭିତ୍ତିହୀନ।

author-image
Chandan Shishu
Odisha Assembly

Odisha Assembly

ବିଜେଡି ସରକାର ନା ପିସି ସରକାର। ବିଧାନସଭାରେ ବିରୋଧୀ ସରକାରଙ୍କୁ ପଚାରିଛିନ୍ତି ଏହି ପ୍ରଶ୍ନ। ଲାଞ୍ଚୁଆ ଅଫିସରଙ୍କ ପାଇଁ ଏବେ ବିରୋଧୀଙ୍କ ଟାର୍ଗେଟରେ ସରକାର। ପିସି କାରବାର ଚରମ ସୀମାରେ, କୋଟିପତି ନିମାପଡ଼ା ସହକାରୀ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ। ବିଜେପି ପକ୍ଷରୁ ଅଣାଯାଇଥିବା ଏଭଳି ମୁଲତବୀ ପ୍ରସ୍ତାବକୁ ନେଇ ସରଗରମ ହୋଇଥିଲା ବିଧାନସଭା। ବିରୋଧୀଙ୍କ ଅଭିଯୋଗ ରାଜ୍ୟରେ ପିସି କାରବାର ଭୟାବହ ରୋଗରେ ପରିଣତ ହୋଇଛି। ମୁଖ୍ୟମନ୍ତ୍ରୀ ଷ୍ଟପ୍ ପିସି କହିବା ଦିନଠୁ ଅଧିକ ବଢ଼ିଛି ପିସି କାରବାର। କେବଳ ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତି ଗଠନ ଲାଗି ବିଜେଡି ସରକାର ଶୂନ୍ୟ ସହନଶୀଳତା କଥା କହୁଛନ୍ତି କିନ୍ତୁ ବାସ୍ତବରେ ଏ ବିଜେଡି ସରକାର ହେଉଛି ପିସି ସରକାର।

Advertisment

ତେବେ ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ଏହାର ଜବାବ ରଖି ଅର୍ଥମନ୍ତ୍ରୀ କହିଛନ୍ତି, ବିରୋଧୀ ଆଣିଥିବା ଅଭିଯୋଗ ଭିତ୍ତିହୀନ। ଦୁର୍ନୀତିର ମୂଳପୋଛ ଲାଗି ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। କଣ୍ଟ୍ରାରଙ୍କୁ ଲାଇସେନ୍ସ ପ୍ରଦାନଠୁ ଆରମ୍ଭ କରି ବିଲ୍ ପଇଠ ଯାଏଁ ସବୁକିଛି ଅନଲାଇନ୍‌ରେ ହେଉଛି। ୨୦୨୧ ପହିଲାରୁ ୨୦୨୨ ଜୁନ୍ ୨୩ ମଧ୍ୟରେ ରାଜ୍ୟରେ ପିସି ଆଇନ ଅଧୀନରେ ୭୫୮ଟି ମାମଲା ରୁଜୁ ହୋଇଛି।  ୨୭୨ ଜଣ ଗିରଫ ହୋଇଛନ୍ତି। ପ୍ରାୟ ୨୫୪ କୋଟି ଟଙ୍କା ଜବତ କରାଯାଇଛି। ୭୫ଟି ମାମଲାରେ ୮୮ ଜଣ ଦୋଷୀସାବ୍ୟସ୍ତ ହୋଇଥିବା ବେଳେ ୧୫ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ୍ ବନ୍ଦ କରାଯାଇଛି।  

ଆଜି ଭିଜିଲାନ୍ସ ଜାଲରେ ପଡିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀ ସଞ୍ଜୀବ ସିଂହ। ଜଣେ ସ୍କୁଲ ପିଅନଙ୍କୁ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଅଫିସକୁ ବଦଳି କରାଇଦେବା ଲାଗି ୨୦ ହଜାର ଟଙ୍କା ଲାଞ୍ଚ ନେଇ ସେ ଧରାପଡ଼ିଛନ୍ତି। ତିନିଦିନ ପରେ ସେ ଅବସର ନେଇଥାନ୍ତେ। ଗତ ସପ୍ତାହରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟର ମେଡିସିନ୍ ସ୍ପେସାଲିଷ୍ଟ ଉମାକାନ୍ତ ଖେଜୁରିଆ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଡେଥ୍ କ୍ଲେମ୍ କାଗଜପତ୍ରରେ ଦସ୍ତଖତ କରିବାକୁ ଜଣେ ବ୍ୟକ୍ତିଙ୍କ ନିକଟରୁ ୧୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ।

Advertisment

 ଆଉ ଜୁନ୍‌ରେ ୨ ଲକ୍ଷ ଟଙ୍କା ପିସି ନେଉଥିବା ବେଳେ ଭିଜିଲାନ୍ସ କବ୍ଜାରେ ପଡ଼ିଥିଲେ ପାରାଦୀପର ଅତିରିକ୍ତ ବାଣିଜ୍ୟ କର ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁ। ଏମିତିକି ନିକଟରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ନିମାପଡ଼ାର ଆରଡି ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କୁ ଗିରଫ କରିଥିଲା ଭିଜିଲାନ୍ସ।  ରାଜ୍ୟରେ ପିସି କାରବାର ରୋକିବାକୁ ଗଠନ ହୋଇଛି ୫ଟି, ମୋ ସରକାର। ଏମିତିକି ପିସି ରୋକିବାକୁ ଖୋଦ୍ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ  ହେଲେ ଏବେ ଲାଗୁଛି, ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ପରେ ରାଜ୍ୟରେ ତୃଣମୂଳ ସ୍ତରରୁ ଆରମ୍ଭ କରି ବଡ଼ ଅଧିକାରୀ ଯାଏଁ ସଭିଏଁ ହୋଇପଡ଼ିଛନ୍ତି ଲାଞ୍ଚଖୋର୍।  ପିସି ନ ଦେଲେ, ଫାଇଲ ଆଗଉନି, କାମ ହେଉନି। ଫଳରେ ପ୍ରତିଦିନ ଏମିତି ଲାଞ୍ଚୁଆ ଅଫିସରଙ୍କ ଘଟଣା ସାମ୍ନାକୁ ଆସୁଛି।

ରିପୋର୍ଟ ମନୋଜ ସ୍ବାଇଁ ହରିହର ଚାନ୍ଦ, ସୌମ୍ୟରଞ୍ଜନ ସାହୁ

Odisha Assembly
Advertisment
Advertisment