ୱାକଫ୍ ବିଲ୍ ସମର୍ଥନ ପ୍ରସଙ୍ଗରେ ଦୁଇ ଫାଳ ବିଜେଡି । କାହାର ଭିତିରିଆ ନିର୍ଦ୍ଦେଶରେ ବଦଳିଲା ଦଳର ଆଭିମୁଖ୍ୟ, ତାକୁ ନେଇ ଦଳୀୟ ନେତାଙ୍କ ଭିତରେ ଚାଲିଛି ଟଣାଓଟରା । ଏହା ପଛରେ ପାଣ୍ଡିଆନଙ୍କ ହାତ ଥିବା ଦଳେ ବିଷ ଓଗାଳୁ ଥିବାବେଳେ ଆଉ ଦଳେ ତାଙ୍କ ସପକ୍ଷରେ ବାହାରିବାକୁ ନେଇ ଦଳ ଭିତରେ ତେଜିଛି ଅସନ୍ତୋଷ । ହଠାତ୍ ରାଜ୍ୟସଭାରେ ବିଲ୍ ସପକ୍ଷରେ ଦଳୀୟ ଭୋଟ୍ ପଡିବା ପାଇଁ ଭିକେ ପାଣ୍ଡିଆନଙ୍କୁ ଖୋଲାଖୋଲି ଭାବେ ଦାୟୀ କରିଥିଲେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ । ଅପରପକ୍ଷେ, ବିବାଦରେ ପାଣ୍ଡିଆନ ନାଁ ଉଠିବା ମାତ୍ରେ ସପକ୍ଷରେ ବାହାରି ପଡିଛନ୍ତି ଦଳର ଅନ୍ୟ ୪ ସାଂସଦ । ଦେବାଶିଷଙ୍କ ମନ୍ତବ୍ୟକୁ କଡ଼ା ନିନ୍ଦା କରିବା ସହ ପାଣ୍ଡିଆନଙ୍କ ପାଇଁ ଓକିଲାତି କରିଛନ୍ତି । ଏପରିକି ପାଣ୍ଡିଆନଙ୍କୁ ଅଯଥା ବଦନାମ୍ କରାଯାଉଥିବା ଲେଖିଛନ୍ତି ।
ଅଧିକ ପଢ଼ନ୍ତୁ: ଟ୍ୱିଟ୍ ପରଠୁ ଧରାଛୁଆଁ ଦେଉନାହାନ୍ତି ସସ୍ମିତ, ବିଷ ଉଗାଳିଲେ ମୁନା ଖାନ୍
ରାଜ୍ୟସଭାରେ ସସ୍ମିତ ପାତ୍ର ୱାକଫ୍ ବିଲ୍ ସମର୍ଥନରେ ଭୋଟ ଦେବାକୁ ନେଇ ଦେବାଶିଷ ସାମାନ୍ତରାୟ ଭିକେ ପାଣ୍ଡିଆନଙ୍କୁ ଦାୟୀ କରିଥିଲେ । ପୂରା ଷଡଯନ୍ତ୍ର ପଛରେ ପାଣ୍ଡିଆନ ଥିବା ଖୋଲାଖୋଲି କହିଥିଲେ । ଏହା ପରେ ବିଜେଡିର ୪ ସାଂସଦ ନିରଞ୍ଜନ ବିଶି, ମାନସ ମଙ୍ଗରାଜ, ସୁଲତା ଦେଓ ଏବଂ ସାଂସଦ ଶୁଭାଶିଷ ଖୁଣ୍ଟିଆ ପାଣ୍ଡିଆନଙ୍କ ସମର୍ଥନରେ ବାହାରି ଦେବାଶିଷଙ୍କୁ କାଉଣ୍ଟର କରିଛନ୍ତି । ଏହାସହ କଟକ ମେୟର ସୁବାସ ସିଂ ମଧ୍ୟ ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ କରି ପାଣ୍ଡିଆନଙ୍କ ସପକ୍ଷରେ ବାହାରିଛନ୍ତି ।
ନିରଞ୍ଜନ ବିଶି କହିଛନ୍ତି, ''ଭିକେ ପାଣ୍ଡିଆନ ଅନେକ ଦିନ ହେଲା ରାଜନୀତିରୁ ବିଦାୟ ନେଇସାରିଛନ୍ତି । କିନ୍ତୁ ୱାକଫ୍ ବିଲ୍ ପ୍ରସଙ୍ଗରେ ତାଙ୍କୁ ଅଯଥାରେ ବଦନାମ କରାଯାଉଛି । ତାଙ୍କ ପ୍ରତି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବିବୃତିକୁ ମୁଁ ନିନ୍ଦା କରୁଛି । ସେ କିଛି ଅଭିସନ୍ଧି ରଖି ଏ କଥା କହୁଛନ୍ତି ।''
ସମାନ କଥା ମାନସ ମଙ୍ଗରାଜ ମଧ୍ୟ ଦୋହରାଇଛନ୍ତି । ଭିକେ ପାଣ୍ଡିଆନ ୧୦ ମାସ ହେଲା ରାଜନୀତିରୁ ସନ୍ନ୍ୟାସ ନେଇଥିବା ସତ୍ତ୍ବେ ଦେବାଶିଷ ସାମାନ୍ତରାୟ ୱାକଫ୍ ବିଲ୍ ପ୍ରସଙ୍ଗରେ ତାଙ୍କୁ ଆକ୍ରମଣ କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ମଙ୍ଗରାଜ । ସୁଲତା ଦେଓ ମଧ୍ୟ ପାଣ୍ଡିଆନଙ୍କ ପାଇଁ ଓକଲିତା କରିବା ସହ ଦେବାଶିଷ ସାମନ୍ତରାୟଙ୍କୁ କଟୁ ସମାଲୋଚନା କରିଛନ୍ତି ।
ଶୁଭାଶିଷ ଖୁଣ୍ଟିଆ କହିଛନ୍ତି, ପାଣ୍ଡିଆନ ରାଜନୀତିରେ ନାହାନ୍ତି ତାଙ୍କ ବିଷୟରେ କାହିଁକି କୁହାଯାଉଛି । ଦଳର ନେତା କହିଥିଲେ ବିବେକ ଅନୁସାରେ ଭୋଟ ଦେବାକୁ । ମୁନା ଖାନ୍ ମୁସଲିମ୍ କମ୍ୟୁନିଟି, ସସ୍ମିତ ପାତ୍ର ଖ୍ରୀଷ୍ଟିଆନ କମ୍ୟୁନିଟିକୁ ପ୍ରତିନିଧିତ୍ବ କରୁଛନ୍ତି । ତାଙ୍କ ଅନୁସାରେ ସେ ଭୋଟ ଦେଲେ, ୟାଙ୍କ ଅନୁସାରେ ଇଏ ଭୋଟ୍ ଦେଲେ ବୋଲି ଶୁଭାଶିଷ କହିଛନ୍ତି ।