Advertisment

ପାରାଦୀପ ବିଜେଡି ନେତାଙ୍କ ଦାବି, ସମ୍ବିତଙ୍କୁ ନମିଳୁ ବିଜେଡି ଟିକଟ !

ସମ୍ବିତ କହିଛନ୍ତି, ନିର୍ବାଚନ ଆସିଲେ କିଛି ଲୋକେ ଏପରି ଅସନ୍ତୋଷ ପ୍ରକାଶ କରନ୍ତି। କିଛି ଅସୁବିଧା ନାହିଁ। ବିଜେଡିରେ ନିଜ ମନକଥା କହିବାର ସ୍ୱାଧୀନତା ଅଛି ।

author-image
Satyendu Shekher Mishra
Sambit Routray

Sambit Routray

ପାରାଦୀପ ବିଜେଡିରେ ବିଦ୍ରୋହ। ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଦରେ ଖୋଦ୍ ବିଜେଡି କର୍ମୀ ବିଦ୍ରୋହ କରିଛନ୍ତି। ଏପରିକି ପର୍ଯ୍ୟବେକ୍ଷକଙ୍କ ତାଗିଦକୁ ମଧ୍ୟ ଖାତିର ନାହିଁ। ଆଗରୁ ଥରେ ଫେବ୍ରୁଆରି ୨୯ ରେ ରୁଦ୍ଧଦ୍ୱାର ବୈଠକ ହୋଇଥିଲା। ବିଜେଡି କର୍ମୀ ସମ୍ମିଳନୀ ନାଁରେ ୩୬ ପଞ୍ଚାୟତର ୨ ହଜାରରୁ ଅଧିକ ବିଜେଡି କର୍ମୀ ଓ ନେତା କୁଜଙ୍ଗରେ ଏକାଠି ହୋଇଛନ୍ତି। ଏଠାରେ କୁହାଯାଇଛି ଯେ, ସମ୍ବିତ ବିଧାୟକ ଭାବେ ନିର୍ବାଚିତ ହେବା ପରଠାରୁ କର୍ମୀଙ୍କ ସହିତ ନାହାନ୍ତି, ଲୋକଙ୍କ ସମସ୍ୟା ସହିତ ନାହାନ୍ତି । ତେଣୁ ଏଥର ତାଙ୍କୁ ଟିକେଟ ନ ଦେବାକୁ ନବୀନଙ୍କ ନିକଟରେ ଦାବି ରଖିବେ ।

Advertisment

ସେପେଟ ସମ୍ବିତ କହିଛନ୍ତି, ନିର୍ବାଚନ ଆସିଲେ କିଛି ଲୋକେ ଏପରି ଅସନ୍ତୋଷ ପ୍ରକାଶ କରନ୍ତି। କିଛି ଅସୁବିଧା ନାହିଁ। ବିଜେଡିରେ ନିଜ ମନକଥା କହିବାର ସ୍ୱାଧୀନତା ଅଛି । 

ତେବେ ଉପକୂଳ ଓଡ଼ିଶାର ଅନ୍ୟତମ ରାଜନୈତିକ ପଶାପାଲି ଜଗତସିଂହପୁର ଜିଲ୍ଲା ପାରାଦୀପ ନିର୍ବାଚନ ମଣ୍ଡଳୀ । ୨୦୦୯ରୁ ଏ ନିର୍ବାଚନମଣ୍ଡଳୀରେ ଲାଗିଛି ବିଜେଡି ଟ୍ୟାଗ୍ । ଅର୍ଥାତ ଲଗାତର ତୃତୀୟ ଥର ପାଇଁ ଏଠି ଉଡୁଛି ବିଜେଡିର ବିଜୟ ବାନା । ତେବେ ୨୦୧୯ରୁ-୨୦୨୪, ଏଇ ପାଞ୍ଚ ବର୍ଷ ଭିତରେ ପାରାଦୀପର ରାଜନୈତିକ ପାଣିପାଗରେ ଘଟିଲାଣି ଅନେକ ପରିବର୍ତ୍ତନ । ମୈଦାନରେ ଏପଟ ସେପଟର ଆଭାସ ବାରିଲେଣି ରାଜନୈତିକ ସମୀକ୍ଷକ। ଆଉ ଆଶା ଓ ଆଶଙ୍କା ଭିତରେ ନିଜକୁ ପ୍ରମାଣିତ କରିବାକୁ ଅଣ୍ଟା ଭିଡିଲେଣି ଆଶାୟୀ ପ୍ରାର୍ଥୀ ।

Advertisment

୨୦୦୯ରେ ବିଧାନସଭା ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ପରେ ଆତ୍ମପ୍ରକାଶ କରିଥିଲା ପାରାଦୀପ ନିର୍ବାଚନ ମଣ୍ଡଳୀ। ଏହା ପୂର୍ବରୁ ଏରସମାକୁ ପାଞ୍ଚ ପାଞ୍ଚ ଥର ନିଜ କବଜାରେ ରଖିଥିବା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ୨୦୦୯ ଏବଂ ୨୦୧୪ରେ ପାରାଦୀପ ମୈଦାନକୁ ଓହ୍ଲାଇ ଏଠାରୁ ବିପୁଳ ଭୋଟରେ ବିଜୟୀ ହୋଇଥିଲେ।

ହେଲେ ୨୦୧୯ ବେଳକୁ ବଦଳିଥିଲା ଦୃଶ୍ୟପଟ୍ଟ। ଦାମଙ୍କ ବଦଳରେ ପୁଅ ସମ୍ବିତ ରାଉତରାୟଙ୍କୁ ମିଳିଥିଲା ବିଜେଡି ଟିକେଟ୍ । ଏପଟେ ପୁଅ ବିଧାନସଭାକୁ ଆସିବା ପରେ ଏକ ପ୍ରକାର ପ୍ରତ୍ୟକ୍ଷ ରାଜନୀତିରୁ ଧିରେ ଧିରେ ଦୂରେଇ ଯାଇଛନ୍ତି ଦାମ। ଏପଟେ ବାପାଙ୍କ ଲିଗାସିକୁ ଆଗକୁ ନେଉଥିବା ସମ୍ବିତ ବିଜେଡିର ବିକାଶ ନାରା ଧରି ଆସନ୍ତା ନିର୍ବାଚନରେ ପୁଣି ମୈଦାନକୁ ଓହ୍ଲାଇବାକୁ ଆଶା ରଖିଛନ୍ତି। ତେବେ ଯଦି ବିଜେଡିରୁ କେହି ବିଦ୍ରୋହୀ ପ୍ରାର୍ଥୀ ତାଙ୍କ ବାଟ ଓଗାଳନ୍ତି, ତେବେ ତାଙ୍କ ଆସନ ବି ଟଳମଳ ହେବା ଚର୍ଚ୍ଚା ହେଉଛି।

୨୦୧୯ ଭଳି ୨୪ ନିର୍ବାଚନରେ ବି ପାରାଦୀପରେ ମୁଖ୍ୟତଃ ତ୍ରିମୁଖୀ ଲଢେଇ ଆଶା କରାଯାଉଛି। ତେବେ ବିଜେପି ଓ କଂଗ୍ରେସ ଅପେକ୍ଷା, ବିଜେଡିର ଗଡ଼ ପାରାଦୀପରେ ଶଂଖ ଦଳର ପଲ୍ଲା ନିଶ୍ଚିତ ଭାରୀ । ହେଲେ ବିଜେଡିରେ ଅନ୍ୟ ଗଡ଼ ଭଳି ଏଠି ବି ବିଦ୍ରୋହୀଙ୍କ ସଂଖ୍ୟା କିଛି କମ୍ ନୁହେଁ ବୋଲି ଚର୍ଚ୍ଚା।

୨୪ ନିର୍ବାଚନରେ ସମ୍ବିତଙ୍କ ସମତଳ ରାସ୍ତାରେ କଣ୍ଟା ସାଜି ପାରନ୍ତି ପାରଦୀପ ପୌରପାଳିକା ଅଧ୍ୟକ୍ଷ ତଥା ପାରାଦୀପ ବିଜେଡି ସଭାପତି ବସନ୍ତ ବିଶ୍ୱାଳ। ସେ ଏବେ ପାରାଦୀପ ପାଇଁ ଶଂଖ ଦଳରୁ ପ୍ରମୁଖ ଦାବିଦାର ବୋଲି ଚର୍ଚ୍ଚା ହେଉଛି । ବିଜେଡି ଟିକେଟ୍ ପାଇଁ ଆଶାୟୀ ଥିବା ବସନ୍ତ ଗଲା କିଛି ବର୍ଷ ଧରି ସମାନ୍ତରାଳ ଭାବେ ଆଞ୍ଚଳିକ ନେତା ଭାବେ ଉପସ୍ଥିତି ବି ଜାହିର କରୁଛନ୍ତି । ଏପରିକି ଗତ ପୌର ନିର୍ବାଚନରେ ସେ ତାଙ୍କ ଦବଦବା ଜାହିର କରି ପୌରାଧ୍ୟକ୍ଷ ଆସନ ହାତେଇବାରେ ସଫଳ ହୋଇଛନ୍ତି । ଉଭୟ ସାଂଗଠନିକ ଦକ୍ଷତା ଓ ପତିଆରା ଦୃଷ୍ଟିରୁ ସେ ସମ୍ବିତଙ୍କ ବାଟ ଓଗାଳିବା ଚର୍ଚ୍ଚା ଖୁବ୍ ଜୋର।

BJD General Election 2024 BJP Congress Odisha Politics
Advertisment
Advertisment