• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୋଭିଡ୍ ଭୟାବହତା ଭିତରେ ହେବ ପଞ୍ଚାୟତ ଭୋଟ୍ । ସଂକ୍ରମଣର ସାଂଘାତିକ ସ୍ଥିତି ଦେଖି ଆସିଛି ଗାଇଡ୍‌ଲାଇନ୍ । କେନ୍ଦ୍ର ନିର୍ବାଚନ ଆୟୋଗ ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆଣିଥିବା ଗାଇଡ୍‌ଲାଇନ୍ ଅନୁସାରେ ରାଜ୍ୟ ନିର୍ବାଚନ ଆୟୋଗ ବି ଆଣିଛନ୍ତି ପଞ୍ଚାୟତ ଇଲେକ୍ସନ ଗାଇଡଲାଇନ୍ । ଏହା ଅନୁଯାୟୀ- ଏଥର ଗାଁ ଗାଁରେ ଜମିବନି ପ୍ରଚାର କି ଭୋଜି ଭାତ । କୌଣସି ସ୍ଥାନରେ ପଥପ୍ରାନ୍ତ ସଭା, ପଦଯାତ୍ରା କି ବାଇକ୍ ରାଲି ହେବ ନାହିଁ ।

ପ୍ରଚାର ମାଧ୍ୟମ କେବଳ ଡିଜିଟାଲ ଓ ଡୋର ଟୁ ଡୋର୍ କ୍ୟାମ୍ପେନ୍ ହେବ । ପ୍ରାର୍ଥୀ ଘର ଘର ବୁଲି ଭୋଟ୍ ମାଗିବା ବେଳେ ୫ରୁ ଅଧିକ ଲୋକଙ୍କୁ ସାଙ୍ଗରେ ନେଇ ପାରିବେନି । ଭୋଟ ଗଣତି ପରେ ବି ବିଜୟ ଶୋଭାଯାତ୍ରା ହେବନି । ମନୋନୟନପତ୍ର ଦାଖଲ ବେଳେ କେବଳ ପ୍ରାର୍ଥୀ କିମ୍ବା ପ୍ରସ୍ତାବକ ହିଁ ଯାଇପାରିବେ । କୋଣସି ପ୍ରାର୍ଥୀ କରୋନା ଆକ୍ରାନ୍ତ ହୋଇଥିଲେ, ପ୍ରସ୍ତାବକଙ୍କ ଜରିଆରେ ନୋମିନେସନ ଦାଖଲ କରି ପାରିବେ । ପ୍ରାର୍ଥତ୍ପତ୍ର ଦାଖଲ ପାଇଁ ଯିବା ବେଳେ କେବଳ ଗୋଟିଏ ଗାଡ଼ିକୁ ଅନୁମତି ମିଳିବ ।

ନିର୍ବାଚନ ଡ୍ୟୁଟିରେ ସାମିଲ କର୍ମଚାରୀଙ୍କ ପାଇଁ ବି ହୋଇଛି ଗାଇଡଲାଇନ୍ । ନିର୍ବାଚନ ଡ୍ୟୁଟିରେ ସାମିଲ କର୍ମଚାରୀ ଡବଲ ଡୋଜ୍ ଟିକା ନେଇଥିବା ବାଞ୍ଛନୀୟ । ଗର୍ଭବତୀ କି ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ନିର୍ବାଚନ ଡ୍ୟୁଟି ମନା । କୋଭିଡ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଦିଆଯିବନି ନିର୍ବାଚନ ଡ୍ୟୁଟି । ଡବଲ ଡୋଜ୍ ଟିକା ନେଇନଥିଲେ ପୋଲିଂ ଓ କାଉଣ୍ଟିଂ ଏଜେଣ୍ଟଙ୍କୁ ବି ହଲ୍‌ରେ ପ୍ରବେଶ ମନା । କୋଭିଡ୍‌ ପଜିଟିଭ ଭୋଟର ଶେଷ ଘଣ୍ଟାକରେ ଭୋଟ ଦାନ କରିପାରିବେ । ମତଦାନ ବେଳେ ୧୫ରୁ ୨୦ଜଣ ଭୋଟରଙ୍କୁ ୨ଟି ଲାଇନ୍‌ରେ ଛଡ଼ାଯିବ ଓ ସମସ୍ତେ ସାମାଜିକ ଦୂରତା ବଜାୟ ରଖିବେ । ନିିର୍ବାଚନ କମିଶନଙ୍କ ଗାଇଡ୍‌ଲାଇନ୍ ସବୁ ଜିଲ୍ଲାପାଳ ଓ ଏସ୍‌ପିଙ୍କ ପାଖକୁ ପଠା ଯାଇଛି ।

 

ସେପଟେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ତିନି ପ୍ରମୁଖ ଦଳ । ବିଜେପି କହିଛି ନିର୍ବାଚନ ପାଇଁ ପ୍ରସ୍ତୁତ, ତେବେ ସଂରକ୍ଷଣ ତ୍ରୁଟି ଏଥର ଶାସକ ଦଳ ପାଇଁ ବୁମେରାଂ ହେବ । କଂଗ୍ରେସ ଭୋଟ୍ ଘୋଷଣାକୁ ସ୍ୱାଗତ କରିଥିବା ବେଳେ ଦମ୍ଭୋକ୍ତି ପ୍ରକାଶ କରି ବିଜେଡି କହିଛି ୨୦୧୭ ଅପେକ୍ଷା ଦଳ ଆହୁରି ଭଲ ପ୍ରଦର୍ଶନ କରିବ ।

ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ସହ ଆଜିଠୁ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ଯାହା ଅନୁସାରେ ନିର୍ବାଚନ ପ୍ରଚାର ବେଳେ କୌଣସି ଦଳ କି ପ୍ରାର୍ଥୀ ଅସୂୟାଭାବ, ଶତ୍ରୁତା, ଘୃଣା ସୃଷ୍ଟିକାରୀ ଭାଷା ବ୍ୟବହାର କରିପାରିବେ ନାହିଁ । ରାତି ୮ଟା ପରେ ଓ ସକାଳ ୭ଟା ପୂର୍ବରୁ ଡାକବାଜି ଯନ୍ତ୍ର ବି ବ୍ୟବହାର ମନା । ଗାଇଡ୍‌ଲାଇନ୍‌ସର ତଦାରଖ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ଏକ ଟୋଲ ଫ୍ରି ନମ୍ବର ରହିବ । ସକାଳ ୯ରୁ ସନ୍ଧ୍ୟା ୬ଟା ଯାଏଁ କାର୍ଯ୍ୟ କରିବାକୁ ଥିବା ଟୋଲ୍ ଫ୍ରି ନମ୍ବର ହେଲା-୧୮୦୦-୩୪୫-୭୭୮୭ । ସେହିପରି କମିଶନଙ୍କ ନିୟନ୍ତ୍ରଣ କକ୍ଷ ଟେଲିଫୋନ୍ ନମ୍ବର ହେଲା ୦୬୭୪-୨୫୭୩୪୯୪ ।