• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆରମ୍ଭ ହୋଇଯାଇଛି ପଞ୍ଚାୟତ ନିର୍ବାଚନ । ଚାରିଆଡ଼େ ମାହୋଲ ସରଗରମ । ଘରେ ଘରେ ହେଉଛି ଆଲୋଚନା ପର୍ଯ୍ୟାଲୋଚନା । କାହାକୁ ଦେବେ ଭୋଟ ? ଆଶାୟୀ ପ୍ରାର୍ଥୀଙ୍କ ସହ ତାଙ୍କ ପରିବାର ବି ଲାଗିପଡ଼ିଛନ୍ତି ନିର୍ବାଚନ ପ୍ରଚାରରେ । ତେବେ ଆଜି ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା ।

ଆଉ ଏହାରି ଭିତରେ ପ୍ରଥମ ଦିନରେ ୮୭୭୨ ଜଣଙ୍କ ନାମାଙ୍କନ ଦାଖଲ କରିଥିବା ରିପୋର୍ଟ ଆସିଛି । ଜିଲ୍ଲା ପରିଷଦ ପଦବୀ ପାଇଁ ମୋଟ ୨୨ ଜଣଙ୍କ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ସମିତି ସଭ୍ୟ ପାଇଁ ୫୧୨, ସରପଞ୍ଚ ପଦବୀ ପାଇଁ ୧୧୨୨ ଜଣ ନାମାଙ୍କନ ଦାଖଲ କରିଛନ୍ତି । ସେହିଭଳି ୱାର୍ଡ ମେମ୍ବର ପାଇଁ ପ୍ରଥମ ଦିନରେ ୭୧୧୬ ଜଣ ନାମାଙ୍କନ ଦାଖଲ କରିଥିବା ରିପୋର୍ଟ ଆସିଛି ।

ଗୋଟିଏ ପଟେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ରାଜନୀତି ସରଗରମ ରହିଥିବା ବେଳେ ବଲାଙ୍ଗିର ଜିଲ୍ଲାରୁ ଆସିଛି ଏକ ଅଭାବନୀୟ ଖବର । ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ୍ ବିଲେଇସର୍ଡା ଗାଁରେ ନିର୍ବାଚନର ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ଏଠାରେ ପଞ୍ଚାୟତ ନିର୍ବାଚନରେ କିଏ ହେବ ସରପଞ୍ଚ ପ୍ରାର୍ଥୀ, ସେଥିପାଇଁ ବୈଠକ ଡକାଯାଇଥିଲା । ବୈଠକରେ ଜଣେ ନିର୍ଦ୍ୱନ୍ଦ୍ୱରେ ସରପଞ୍ଚ ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି । ଆଉ ଏଥିପାଇଁ ସରପଞ୍ଚ ପ୍ରାର୍ଥୀ ଦେଇଛନ୍ତି ୪୪ ହଜାର ଟଙ୍କା ।

ତେବେ ଏହି ଖବର ପ୍ରଚାରିତ ହେବା ପରେ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରର ସତ୍ୟାସତ୍ୟ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି ସଂଧ୍ୟା ୫ଟା ମଧ୍ୟରେ ରିପୋର୍ଟ ଦେବାକୁ ECଙ୍କ ନିର୍ଦ୍ଦେଶ ।