• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନ ଦାଖଲ । ହାତଗଣତି ସମର୍ଥକଙ୍କ ସହ ପ୍ରାର୍ଥୀଙ୍କ ଶୋଭାଯାତ୍ରା । ଖୋର୍ଦ୍ଧା ଜିଲ୍ଲା ୨୯ ନମ୍ବର ଜିଲ୍ଲା ପରିଷଦ ଜୋନ୍ ପାଇଁ ଆଜି ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ ଅଫିସ୍‌କୁ ସ୍ୱଳ୍ପ ସଂଖ୍ୟକ ସମର୍ଥକଙ୍କ ସହ ଆସି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପିର ସୁଜିତ ବଳବନ୍ତରାୟ । ସାରା ରାଜ୍ୟରେ ଆଜିଠାରୁ ପଂଚାୟତ କାର୍ଯ୍ୟାଳୟରେ ଓ୍ୱାର୍ଡମେମ୍ବର ଓ ସରପଂଚ ପ୍ରାର୍ଥୀ, ବ୍ଲକ୍ ଅଫିସରେ ସମିତି ସଭ୍ୟ ଓ ଉପଜିଲ୍ଲାପାଳଙ୍କ ଅଫିସ୍‌ରେ ଜିଲ୍ଲା ପରିଷଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ ।

ତେଣେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଉ ହେଉ ଦେଖାଦେଲାଣି ଗଣ୍ଡଗୋଳ, ଟଙ୍କାବଣ୍ଟା ଓ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ । ମୟୁରଭଂଜ ଉଦଳା ବ୍ଲକ୍ ଖଲାଡ଼ି ପଂଚାୟତ ଲାଗି ସରପଂଚ ପ୍ରାର୍ଥୀ ମାଳତୀ ସେନାପତି ନାମାଙ୍କନପତ୍ର ଦାଖଲ କରୁଥିବା ବେଳେ ପହଞ୍ଚିଥିଲେ ପୂର୍ବତନ ସରପଂଚ ସୁଲୋମଣି ମଢେଇ । ସେ ପଂଚାୟତ ଅଧିକାରୀଙ୍କଠାରୁ ନୋମିନେସନ୍ ଫର୍ମ ନକିଣି ପୂର୍ବରୁ ଆଣିଥିବା ଫର୍ମ ଦାଖଲ କରିବାକୁ ଚେଷ୍ଟା କରିବାରୁ ମୁହାଁମୁହିଁ ହୋଇଥିଲେ ଉଭୟ ଗୋଷ୍ଠୀ । ପୋଲିସ୍ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।

ସେପଟେ ଭଦ୍ରକ ଚାନ୍ଦବାଲି ବ୍ଲକ ମୁଆଁ ଗାଁରେ ଭୋଟରମାନଙ୍କୁ ସରପଂଚ ଓ ସମିତିି ସଭ୍ୟ ପ୍ରାର୍ଥୀଙ୍କ ସଂପର୍କୀୟ ଟଙ୍କା ବାଣ୍ଟିଥିବା ଅଭିଯୋଗ ହୋଇଛି । ବିଜେଡି କର୍ମୀମାନେ ଏଠାରେ ଟଙ୍କା ବାଣ୍ଟୁଥିବା ଅଭିଯୋଗ ଆଣି ସ୍ଥାନୀୟ ଲୋକେ ସେମାନଙ୍କୁ ଗାଁରୁ ତଡ଼ିଦେଇଥିଲେ । ତେଣେ କେନ୍ଦ୍ରାପଡ଼ା ଆଳି ବ୍ଲକ୍ ବଡ଼ଆମ୍ବିଳା ପଂଚାୟତରେ ସରପଂଚ ପ୍ରାର୍ଥୀ ଚୟନକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡିର ଦୁଇ ଗୋଷ୍ଠୀ । ବିଜେଡି ସମର୍ଥିତ ପ୍ରାର୍ଥୀ ମହାଶ୍ୱେତା ପ୍ରଧାନଙ୍କ ନାଁ ଘୋଷଣା ହେବା ପରେ ଗୋଷ୍ଠୀ ବିବାଦ ସାମ୍ନାକୁ ଆସିଛି ।

ସେହିପରି ମହାକାଳପଡ଼ା ବ୍ଲକ୍‌ର ସରକାରୀ ତାରିଣୀ କଲେଜ୍ ପରିସରରେ ନିର୍ବାଚନୀ ସଭା ଆୟୋଜନର ଏକ ଭିଡିଓ ଭାଇରାଲ୍ ହୋଇଛି । ସଭାରେ ସାଲେପୁର ଏସ୍‌ଡିପିଓ ଓ କଲେଜ୍ ପ୍ରିନିସପାଲ୍ ବି ଯୋଗ ଦେଇଥିଲେ । ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ହେବା ପରେ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଥିଲେ ବି ଏପର୍ଯ୍ୟନ୍ତ ତୁଟୁନି ପ୍ରାର୍ଥୀ ବଛା ଅଡୁଆ । ନିଜ ନିର୍ବାଚନ ମଣ୍ଡଳୀ ହେଉ କି ଭୁବନେଶ୍ୱରରେ ଥିବା ବିଧାୟକମାନଙ୍କ ସରକାରୀ କ୍ୱାର୍ଟର, ସବୁଠି ଜମୁଛି ଆଶାୟୀ ପ୍ରାର୍ଥୀଙ୍କ ଭିଡ଼ । ୨୦୧୭ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡିକୁ ଆଶା ଅନୁଯାୟୀ ସଫଳତା ମିଳିନଥିଲା, ମାତ୍ର ୪୬୭ ଆସନ ଜିତିଥିଲା ଦଳ । ତେଣୁ ଏଥର ସବୁ ବିଧାୟକ ଓ ବରିଷ୍ଠ ନେତାଙ୍କୁ ଟାର୍ଗେଟ୍ ଦିଆଯାଇଛି । ଦଳ ଦାବି କରିଛି ଏଥର ୮୦ ପ୍ରତିଶତରୁ ଅଧିକ ଆସନ ଜିତିବ ।

ସେପଟେ ବିଜେପି ଗତଥର ୨୯୭ ଜିଲ୍ଲା ପରିଷଦ ଜୋନ୍ ଜିତିଥିଲା । ଏଥର ଟାର୍ଗେଟ୍ ରଖିଛି ସମୁଦାୟ ୮୫୩ ଆସନରୁ ୫ ଶହରୁ ଅଧିକ ସିଟ୍ । କଂଗ୍ରେସ୍ କହିଛି, ଗତଥର ଅପେକ୍ଷା ଏଥର ଭଲ ପ୍ରଦର୍ଶନ କରିବୁ । ପ୍ରାର୍ଥିପତ୍ର ଦାଖଲ ଆରମ୍ଭରୁ ଆସିଲାଣି ମାଳମାଳ ଅଭିଯୋଗ ଓ ବିଶୃଙ୍ଖଳା ଆଗକୁ ଦେଖିବାର କଥା ନିର୍ବାଚନ କେତେ ଶାନ୍ତିଶୃଙ୍ଖଳାର ସହ ହୋଇପାରୁଛି ।