• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାରା ରାଜ୍ୟରେ ଏବେ ନିର୍ବାଚନୀ ମାହୋଲ । ନିର୍ବାଚନରେ ବାଜିମାତ୍‌ ପାଇଁ ପ୍ରାଣ ପଣେ ଉଦ୍ୟମ କରୁଛନ୍ତି ନେତା । ଏମିତିକି ହିଂସାକାଣ୍ଡ ଘଟାଇବାକୁ ମଧ୍ୟ ପଛାଉ ନାହାନ୍ତି । ତେବେ କୁହାଯାଉଛି ରାଜ୍ୟରେ ତିନି ପ୍ରମୁଖ ଦଳ କଂଗ୍ରେସ- ବିଜେପି- ବିଜେଡି, ମଇଦାନରେ ଆଗୁଆ ଥିବା ବେଳେ ବିଜେପି-ବିଜେଡି ମଧ୍ୟରେ ହେଉଛି ଜୋରଦାର ଟକ୍କର । ଆଉ ସବୁଠାରୁ ବଡ଼ କଥା ହେଲା ଏବେ ବିଜେଡିରେ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ଅଧିକଥିବାରୁ ଟିକଟ ନପାଇ ଅସନ୍ତୁଷ୍ଟଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି । ଯାହାକି ଦଳୀୟ କନ୍ଦଳର ରୂପ ନେଉଛି । ଧିରେ ଧିରେ ଏହା ଦଳ ଭିତରେ କ୍ୟାନ୍‌ସର ଭଳି ମାଡ଼ିବାରେ ଲାଗିଛି ।

ଠିକ୍‌ ଏମିତି କିଛି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । ଯାହାକୁ ଦଳୀୟ କନ୍ଦଳ ବ୍ୟତୀତ ଅନ୍ୟ କିଛି କୁହାଯାଇ ନପାରେ । ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଆକ୍ରମଣ ଅଭିଯୋଗ ପ୍ରତିବାଦରେ ଭଦ୍ରକ ଯାଜପୁରରେ ଜାତୀୟ ରାଜପଥକୁ ସ୍ଥାନୀୟ ବାସିନ୍ଦାଙ୍କ ଅବରୋଧ । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଖାନନଗର ପଞ୍ଚାୟତରେ ୬ ନମ୍ବର ଜୋନ୍ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ମାମିନା ମଲ୍ଲିକଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଜିଲ୍ଲା ବିଜେଡି ଯୁବ ସମ୍ପାଦକ ବିରଜା ମଲ୍ଲିକ ତାଙ୍କୁ ଆକ୍ରମଣ କରିଥିବା ନେଇ ମାମିନା ମଲ୍ଲିକ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି । ପଞ୍ଚାୟତବାସୀ ଭଦ୍ରକ ଯାଜପୁର ରାସ୍ତାର କଲାଗୟାଁରେ ୨୦ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିରଖିଛନ୍ତି । ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । ସେପଟେ ଆକ୍ରମଣ କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯାଜପୁର ଜିଲ୍ଲା ଯୁବ ବିଜେଡି ସମ୍ପାଦକ ବିରଜା ମଲ୍ଲିକ ।

ସେହିଭଳି ବାଲେଶ୍ୱର ବସ୍ତା ବ୍ଲକ ପାଉଁଶକୁଲିରେ ଦୁଇ ବିଜେଡି ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ପରସ୍ପର ମଧ୍ୟରେ ଠେଙ୍ଗାରେ ଆକ୍ରମଣ ଯୋଗୁଁ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ନିର୍ବାଚନ ସରିଥିବା ବେଳେ, ଆଜି ପାଉଁଶକୁଲି ଦୈନିକ ହାଟରେ ଦୁଇ ବିଜେଡି ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗିରହିଥିବାରୁ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ଅନ୍ୟପଟେ ପ୍ରାଥମିକ ଶିକ୍ଷକ ନାହିଁ ତ ଭୋଟ ନାହିଁ । ରେଢାଖୋଲ ସବଡିଭିଜନର ନାକଟିଦେଉଳ ବ୍ଲକ ଅଞ୍ଚଳରେ ଭାଇରାଲ ହେଉଛି ଏଭଳି ଲେଖାଥିବା ବାଲାଟ ପେପର । ଗତକାଲି ନାକଟିଦେଉଳର ଦୁଇ ଜୋନରେ ନିର୍ବାଚନ ଥିବା ବେଳେ, ଏଭଳି ଏକ ବାଲାଟ ପେପର ଭାଇରାଲ ହେବା ପରେ ଜୋର ଧରିଛି ଚର୍ଚ୍ଚା ।

Viral Ballot PaperViral Ballot Paper

ଭୋଟର ଜଣଙ୍କ କାହାରିକୁ ଭୋଟ ନଦେଇ କଲମରେ ଏଭଳି ଲେଖି ଫଟୋ ଭାଇରାଲ କରିଛନ୍ତି । ମତଦାନ ପ୍ରକ୍ରିୟା ଗୁପ୍ତ ଭାବେ ଚାଲୁଥିବା ବେଳେ, ବାଲାଟ ପେପର ଫଟୋ ବାହାରକୁ ଆସିବା ନେଇ ଉଠିଛି ପ୍ରଶ୍ନ । ବାଲାଟ ପେପର ନାକଟିଦେଉଳ ଜୋନ -୨ର ବୋଲି ସ୍ପଷ୍ଟ ହୋଇଥିବା ବେଳେ କ୍ରମିକ ନମ୍ବର ଓ ପ୍ରିଜାଇଡିଙ୍ଗ ଅଫିସରଙ୍କ ଦସ୍ତଖତ ମଧ୍ୟ ରହିଛି । ଫଟୋ ଭାଇରାଲ ନେଇ ରେଢାଖୋଲ ଉପଜିଲ୍ଲାପାଳ କହିଛନ୍ତି ତଦନ୍ତ ଚାଲିଛି, ରିପୋର୍ଟ ଆସିଲେ ସତ୍ୟାସତ ଜଣାପଡ଼ିବ ।