• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସରିଯାଇଛି ହାଇଭୋଲ୍‌ଟେଜ୍‌ ପଦ୍ମପୁର ଉପନିର୍ବାଚନ । ଆଉ ଏବେ ରେଜଲ୍ଟ ଉପରେ ସାରା ରାଜ୍ୟର ନଜର । କିଏ ମାରିବ ବାଜି । କାରଣ ନିର୍ବାଚନ ସମୟରେ ବିଜେପି ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଟଙ୍କା ବଣ୍ଟାଠାରୁ ଆରମ୍ଭ କରି ବିଭିନ୍ନ ଭିଡିଓ ଭାଇରାଲ ସହ ଆଚରଣବିଧି ଉଲଂଘନ ଅଭିଯୋଗ ଆଣିଥିଲେ ଉଭୟ ଦଳ । ଆଉ ନିର୍ବାଚନ ସରିବା ପରେ ବି ଥମିନଥିଲା ଆରୋପ ପ୍ରତ୍ୟାରୋପ । 

ନିର୍ବାଚନ ସରିବା ପରେ ସମସ୍ତଙ୍କ ଉତ୍କଣ୍ଠା ବଢୁଛି । କିଏ ପିନ୍ଧିବ ମୁକୁଟ। ତେବେ ପଦ୍ମପୁରବାସୀ ବାଛି ସାରିଛନ୍ତି ନେତା । ଇଭିଏମ୍‌ରେ କଏଦ ହୋଇସାରିଛି ନେତାଙ୍କ ଭାଗ୍ୟ । ରାତି ପାହିଲେ ଜଣାପଡ଼ିବ କିଏ ପିନ୍ଧିବ ମୁକୁଟ । ହେଲେ ଏହା ପୂର୍ବରୁ ରାଜନୈତିକ ବିଶେଷଜ୍ଞଙ୍କ ରହିଛି ଭିନ୍ନ ଭିନ୍ନ ମତ । ଏଭଳି ହାଇଭୋଲଟେଜ୍ ଉପନିର୍ବାଚନକୁ ନେଇ କ’ଣ ରହିଛି ସେମାନଙ୍କ ମତ । ପଢ଼ନ୍ତୁ...

ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି

ରାଜ୍ୟର ଜଣାଶୁଣା ତଥା ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି କହିଛନ୍ତି ନିର୍ବାଚନ ସରିଯାଇଛି । ପଦ୍ମପୁର ପାଇଁ କାଉଣ୍ଟ ଡାଉନ୍‌ ଆରମ୍ଭ ହୋଇଛି । ଏଠାରେ ଅନୁକମ୍ପା ଓ ଭରସାର ଲଢ଼େଇ ଚାଲିଥିଲା । ଏବେ ସବୁ ଦଳ ନିଜ ନିଜ ବିଜୟ ନେଇ ଆଶା ରଖିଛନ୍ତି । ବିଶେଷ କରି ବିଜେପି ଓ ବିଜେଡି ଅଧିକ ଚର୍ଚ୍ଚାରେ ରହିଛନ୍ତି । ତେବେ ଏହି ଉପନିର୍ବାଚନ ଫଳାଫଳ ରାଜ୍ୟ ରାଜନୀତିରେ ବିଶେଷ ପ୍ରଭାବ ପାକାଇବ । କିନ୍ତୁ ଯଦି ବିଜେଡିର ବିଜୟ ହୁଏ, ତେବେ ଏହା କୌଣସି ପ୍ରଭାବ ପକାଇବ ନାହିଁ ।

କାରଣ ବିଗତ ଦିନରେ ଅନେକ ଉପନିର୍ବାଚନରେ ବିଜେଡି ବିଜୟ ମୁକୁଟ ପିନ୍ଧି ସାରିଛି । କେବଳ ଧାମନଗରରେ ପରାଜିତ ହୋଇଛି । କିନ୍ତୁ ରାଜ୍ୟ ରାଜନୀତିରେ ସେତେବେଳେ ପ୍ରଭାବ ପଡ଼ିବ, ଯେତେବେଳେ ବିଜେଡି ଏହି ଉପନିର୍ବାଚନରେ ପରାଜିତ ହେବ । ଯଦି ଶାସକ ଦଳ ପରାଜିତ ହୁଏ ତେବେ ଦଳ ମାନସିକ ଭାବେ ଦୁର୍ବଳ ହେବ । ବିଜେପିର ବିଜୟ ଯେତିକି ଗୁରୁତ୍ୱ ବହନ କରିବ ନାହିଁ, ତାଠାରୁ ଢ଼େର ଅଧିକ ଗୁରୁତ୍ୱ ବହନ କରିବ ବିଜେଡିର ଦ୍ୱିତୀୟ ଉପନିର୍ବାଚନ ପରାଜୟ । ଧାମନଗର ପରେ ପଦ୍ମପୁରରେ ମଧ୍ୟ ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ରେକର୍ଡ ସଂଖ୍ୟକ ଭୋଟିଂ କାହା ସପକ୍ଷରେ ଯାଇଛି ତାହା ୮ ତାରିଖରେ ଜଣାପଡ଼ିବ । ଯଦି ବିଜେପି ବିଜୟ ହୁଏ ତେବେ ଏହା ୨୪ ରାଜନୀତିକୁ ଖୁବ୍ ପ୍ରଭାବିତ କରିବ । ଅନ୍ୟପଟେ ବିଜେପିର ଓଡ଼ିଶା ଦଖଲ ଲକ୍ଷ କିଛି ମାତ୍ରାରେ ସଫଳତା ଆଡ଼କୁ ଆଗେଇବ ବୋଲି କୁହାଯାଇ ପାରେ ।    

ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ

ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ କହିଛନ୍ତି ତାଙ୍କ ଦଳ ନୁହେଁ ବରଂ ପଦ୍ମପୁରରେ ଜିତିବ ବିଜେଡି । କାରଣ ସେଠାରେ ପ୍ରଶାସନ ଓ ପୋଲିସ ଉଭୟ ବିଜେଡି ସପକ୍ଷରେ କାମ କରିଛନ୍ତି । ଏହାସହ ଇତିହାସର ଦ୍ୱାହି ଦେଇ ସେ କହିଛନ୍ତି, ‘ଉପନିର୍ବାଚନରେ ସବୁବେଳେ ଶାସକ ଦଳର ହିଁ ବିଜୟ ହୁଏ । ଖାଲି ସେତିକି ନୁହେଁ ବିଜେଡି ମିଳିତ ଭାବେ ସେଠାରେ ଲଢ଼େଇ କରିଛି । ସମସ୍ତଙ୍କୁ ନେଇ ଦଳ ନିର୍ବାଚନ ଲଢ଼ିଛି । ଏମିତିକି ଅସୁସ୍ଥ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଜୋର ଜବରଦସ୍ତ ପ୍ରଚାର କରିବାକୁ କୁହାଗଲା । ହେଲେ ବିଜେପି ସେଠାରେ ନିଜର ସବୁ ଶକ୍ତିକୁ ପ୍ରୟୋଗ କରିପାରି ନାହିଁ ।’ ବିଜେପି ମିଳିତ ଭାବେ ଲଢ଼େଇ କରୁନି ସେଥିପାଇଁ ପରାଜିତ ହେଉଛି ବୋଲି କହିଛନ୍ତି ଖାରବେଳ ।

ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ

ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ନିଜ ଦଳ ସପକ୍ଷରେ କହିଛନ୍ତି । ସେ କହିଛନ୍ତି ପଦ୍ମପୁରରେ ବିଜେଡି ହିଁ ଜିତିବ । କାରଣ ପ୍ରଚାର ବେଳେ ଲୋକଙ୍କଠାରୁ ଅକୁଣ୍ଠ ସମର୍ଥନ ମିଳୁଥିଲା । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ବିଶ୍ୱାସ ଓ ଆସ୍ଥା ରହିଛି ।

ଅନ୍ୟପଟେ ସେ ବିଜେପିର ନାଁ ନନେଇ ସେ କହିଛନ୍ତି ଯେ, ‘ଆମେ ଚାହୁଁଥିଲୁ ପ୍ରସଙ୍ଗ ଭିତ୍ତିକ ନିର୍ବାଚନ । ଆମ ନେତା ଓ କର୍ମୀଙ୍କୁ ଏହା ମଧ୍ୟ ଜଣାଇଥିଲୁ । ହେଲେ କିଛି ଦଳ ବ୍ୟକ୍ତିଗତ ସ୍ତରକୁ ଯାଇ ଆମ ପ୍ରାର୍ଥୀ ବର୍ଷାଙ୍କୁ ଅପମାନିତ କରିଛନ୍ତି । ତାଙ୍କ ବ୍ୟକ୍ତିତ୍ୱକୁ ଓ ଚରିତ୍ରକୁ ସମାଲୋଚନା କରିଛନ୍ତି । ଆଉ ତାହା ହିଁ ସେହି ଦଳ ପାଇଁ ବୁମେରାଂ ହେଲା । ଯେଉଁମାନେ ଅପପ୍ରଚାର କଲେ ବା ପ୍ରସଙ୍ଗରୁ ହଟିଯାଇ ବ୍ୟକ୍ତି କୈନ୍ଦ୍ରିକ ରାଜନୀତି କଲେ, ସେମାନଙ୍କ ପ୍ରତି ଲୋକଙ୍କର ଆକ୍ରୋଶ ବଢ଼ିଲା । ଆଉ ବିଜେଡି ପ୍ରାର୍ଥୀଙ୍କ ପ୍ରତି ସମର୍ଥନ ବଢ଼ିଲା । ବିଜେଡି ସେଠାରେ ପ୍ରସଙ୍ଗ ଭିତ୍ତିକ ପ୍ରଚାର କରୁଥିଲା । ଏହାସହ ଦଳ ମୁଖ୍ୟ ନବୀନ ପଟ୍ଟନାୟକଙ୍କ ପ୍ରଚାର ବିଜେଡି ପାଇଁ ଅନେକ ଫାଇଦା ଦେଲା । ତେବେ କେତେ ଭୋଟରେ ବିଜୟ ହେବ ତାହା କହିପାରିବିନି କିନ୍ତୁ ଗତ ଥର ଅପେକ୍ଷା ଏଥର ଅଧିକ ଭୋଟ ପାଇବ ଦଳ ।’

ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର

ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ପଦ୍ମପୁରରେ ବିଜେଡି ହିଁ ଜିତିବ । କାରଣ ସେଠାରେ ଅଧିକ ଭୋଟିଂ ହୋଇଛି । ବିଜେଡି ପ୍ରତି ଲୋକଙ୍କ ଅକୁଣ୍ଠ ସମର୍ଥନ ରହିଛି । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ବେଳେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ । ବିଜେଡି ପ୍ରତି ଲୋକଙ୍କ ଆସ୍ଥା ରହିଛି । ନବୀନ ପଟ୍ଟନାୟକଙ୍କ ପ୍ରତି ଥିବା ସମର୍ଥନ ଓ ଯୁବା ପ୍ରାର୍ଥୀ ବର୍ଷାଙ୍କ ପ୍ରତି ଯୁବପିଢ଼ିର ସମର୍ଥନକୁ ଦେଖିଲେ ଲାଗୁଛି ବିଜେଡି ହିଁ ଜିତିବ । ୮ ତାରିଖରେ ଗଣତି ପରେ ତାହା ସ୍ପଷ୍ଟ ହେବ । ସେ ଆହୁରି କହିଛନ୍ତି ଯେ, ନିର୍ବାଚନର ଯେଉଁ ମାହୋଲ ରହିଥିଲା, ସେଥିରୁ ଯାହା ଜଣାପଡ଼ୁଥିଲା କଡ଼ା ଟକ୍କର ହେବ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ଏହା ବିଜେଡିକୁ ଶୁଭ ସଙ୍କେତ ଦେଇଥିଲା । ଆଉ ଲୋକଙ୍କ ସମର୍ଥନ ବଢ଼ିଥିଲା । ଯେଉଁଥିପାଇଁ ବିଜୟ ବ୍ୟବଧାନ ବଢ଼ିବ ବୋଲି ସେ ଆଶା କରିଛନ୍ତି । ଏହାସହ ଏହି ନିର୍ବାଚନର ଫଳାଫଳ ୨୦୨୪ ପାଇଁ ସଙ୍କେତ ହେବ ବୋଲି ସେ ଆଶା କରିଛନ୍ତି ।

ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ

ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ‘ପଦ୍ମପୁରରେ ବିଜେପି ହିଁ ବାଜି ମାରିବ । କାରଣ ସେଠାରେ ଗତ ନିର୍ବାଚନ ଅପେକ୍ଷା ଅଧିକ ଭୋଟିଂ ହୋଇଛି । ଯେତେବେଳେ ପୁଲିଂ ପ୍ରତିଶତ ଅଧିକ ହୁଏ, ତାହା ସରକାର ବିରୋଧରେ ହିଁ ଫଳାଫଳ ଦେଇଥାଏ । ଏଥିସହ ପଦ୍ମପୁରରେ ଦୁଇଟି ଫ୍ୟାକ୍ଟରକୁ ନେଇ ଲୋକଙ୍କ ମଧ୍ୟରେ ଅଧିକ ଆଲୋଚନା ହେଉଥିଲା । ଗୋଟିଏ ହେଲା ବିଜେଡି ପ୍ରାର୍ଥୀ ଜିତିବା ପରେ ତାଙ୍କ ସହ ରହିବେ କି ନାହିଁ । କାରଣ ସେ ଅନ୍ୟତ୍ର ବାହା ହୋଇ ଚାଲିଯାଇଛନ୍ତି । ଅନ୍ୟଟି ହେଲା ବିଜେପି ପ୍ରାର୍ଥୀ ତାଙ୍କ ସହ ପୂର୍ବରୁ ରହି ଆସିଛନ୍ତି ଏବଂ ଆଗକୁ ରହିବେ । ବିଜେପି ପଦ୍ମପୁରରେ ୧୦ ହଜାର ଭୋଟରେ ଜିତିବା ଭଳି ସ୍ଥିତି ରହିଛି । ଫଳାଫଳ ଆସିଲେ ତାହା ସ୍ପଷ୍ଟ ହେବ । ତେବେ ଧାମନଗର ନିର୍ବାଚନକୁ ପଦ୍ମପୁର ସହ ଲିଙ୍କ କରିବା ଆବଶ୍ୟକ ନାହିଁ ବୋଲି କହିଛନ୍ତି ପୃଥ୍ୱୀରାଜ ।’

ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ

ସେ କହିଛନ୍ତି କଂଗ୍ରେସ ପଦ୍ମପୁରରେ ତୃତୀୟ ସ୍ଥାନ ହାସଲ କରିବ । ଦ୍ୱିତୀୟ ସ୍ଥାନ ବିଜେପି ଓ ପ୍ରଥମ ସ୍ଥାନ ବିଜେଡି ନେବ । ବିଜେଡି ପ୍ରଚୁର ଟଙ୍କା ଖର୍ଚ୍ଚ କରିଛି । ବବି ଦାସଙ୍କ ନେତୃତ୍ୱରେ ସେଠାରେ ବିଜେଡିର ୬୨ ବିଧାୟକ, ୧୦ ଜଣ ଏମ୍‌ପି, ୧୧ ଜଣ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ନିଜେ ମିଟିଂ କରିଛନ୍ତି । ପ୍ରଚାର କରିଛନ୍ତି । ଏମିତିକି ୪୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ତେଣୁ ବିଜେଡି ଏକ ନମ୍ବର ସ୍ଥାନରେ ରହିବ ।