Advertisment

ପଦ୍ମପୁର ଭୋଟ୍ ପୂର୍ବରୁ ଚାଷୀଙ୍କୁ ବଶ କରିବାକୁ ଶାସକ ଦଳର ଚାଲ୍‌

ଚାଷୀ ପ୍ରସଙ୍ଗକୁ ନେଇ ଉଠୁଛିପଡୁଛି ପଦ୍ମପୁର ରାଜନୀତି।

ଅଦ୍ୟତନ ହୋଇଛି
Paddy Procurement In Padampur

Paddy procurement

Advertisment

ପଦ୍ମପୁର ଭୋଟ୍ ପୂର୍ବରୁ ଚାଷୀଙ୍କୁ ପ୍ରଭାବିତ କରିବାକୁ ବିଜେଡି ସରକାରର ଚାଲ୍। ଉପନିର୍ବାଚନରେ ଚାଷୀମାନେ ନିର୍ଣ୍ଣାୟକ ଭୂମିକା ନେବାକୁ ଯାଉଥିବାରୁ ସେମାନଙ୍କୁ କୌଣସି ମତେ ଅସୁଖି କରିବାକୁ ଚାହୁନାହାଁନ୍ତି ରାଜ୍ୟ ସରକାର। ଓଲଟା ପ୍ରତିବର୍ଷ ଉପୁଜିଥିବା ମଣ୍ଡି ସମସ୍ୟା ଦୂର କରିବାକୁ ଏଥର ଆଗୁଆ ଧାନ ସଂଗ୍ରହ ଆରମ୍ଭ କରିଛି ପ୍ରଶାସନ। ବଡ଼ କଥା ହେଲା, ଏଥିପାଇଁ ବରଗଡ଼ ଜିଲ୍ଲା ରେ ତିନି ତିନି ଥର ବଦଳା ଯାଇଛି ତାରିଖ। ପଦ୍ମପୁର ଅଂଚଳରେ ପାଖାପାଖି ୧୦ ଦିନ ପୂର୍ବରୁ ଉଠାଯାଉଛି ଧାନ। ଏହାକୁ ନେଇ ତେଜିଛି ନିର୍ବାଚନୀ ରାଜନୀତି।

Advertisment

ପ୍ରଥମେ ଜିଲ୍ଲାପାଳ କହିଲେ- ଡିସେମ୍ବର ୧ରୁ ଆରମ୍ଭ ହେବ ଧାନ ସଂଗ୍ରହ। ପରେ ତାରିଖକୁ ୭ ଦିନ ଆଗୁଆ କରି ନଭେମ୍ବର ୨୫କୁ ଧାର୍ଯ୍ୟ କଲେ। ଏହାପରେ ବି ଆଉ ଥରେ ବଦଳିଲା ତାରିଖ। ଏଥର ରାଜ୍ୟ ସରକାର ଧାର୍ଯ୍ୟ କଲେ ସମୟ। ଜିଲ୍ଲାପାଳଙ୍କୁ ଚିଠି କରି ୨୧ ତାରିଖକୁ ଧାନ ସଂଗ୍ରହ ପାଇଁ ନିର୍ଦ୍ଦେଶ ଦେଲା ଖାଦ୍ୟ ଯୋଗାଣ ବିଭାଗ ସେଇ ଅନୁସାରେ ଗତକାଲି ପଦ୍ମପୁରରେ ଧାନ ମଣ୍ଡିର ଶୁଭାରମ୍ଭ ହୋଇଛି। ଆଉ ଆଜି ମଣ୍ଡିରେ ଆରମ୍ଭ ହୋଇଛି ଧାନ ସଂଗ୍ରହ ପ୍ରକ୍ରିୟା। ପଦ୍ମପୁର ବ୍ଳକ୍ ସତିଭଟାର ଧାନ ବିକ୍ରି ପାଇଁ ପହଞ୍ଚିଛନ୍ତି ଚାଷୀ।

ଅଧିକ ପଢ଼ନ୍ତୁ:ପଦ୍ମପୁର ରାଜନୀତିର ପଶାପାଲିରେ ଏଣ୍ଟ୍ରି ମାରିଲା ନୂଆ ଇସ୍ୟୁ

ସାଧାରଣତଃ ପଦ୍ମପୁରରେ ଡିସେମ୍ବର ପ୍ରଥମ ସପ୍ତାହରେ ମଣ୍ଡି ଖୋଲେ ଆଉ ଜିଲ୍ଲାର ଅତାବିରାରୁ ପ୍ରଥମେ ମଣ୍ଡି ଖୋଲା ଯାଇଥାଏ କିନ୍ତୁ ଏଥର ହୋଇଛି ବ୍ୟତିକ୍ରମ। ପଦ୍ମପୁର ଭୋଟ୍ ଥିବାରୁ ପାଖାପାଖି ୧୦ ଦିନ ପୂର୍ବରୁ ମଣ୍ଡି ଖୋଲାଯାଇଛି। ଆଉ ଧାନ ବିକ୍ରିରେ ଚାଷୀ ଯେପରି ହଇରାଣ ନହୁଅନ୍ତି ତାର ମନିଟରିଂ କରୁଛି ଜିଲ୍ଲା ପ୍ରଶାସନ। ପ୍ରଶାସନର ଏଭଳି ପଦକ୍ଷେପରେ ତ ଚାଷୀ ଖୁସ୍, ହେଲେ ଭୋଟ୍ ପରେ ପ୍ରକ୍ରିୟା କେମିତି ଚାଲିବ ସେ ନେଇ ମନରେ ରହିଛି ସନ୍ଦେହ।

Advertisment

ସେପଟେ ଚାଷୀ ପ୍ରସଙ୍ଗକୁ ନେଇ ଉଠୁଛିପଡୁଛି ପଦ୍ମପୁର ରାଜନୀତି। ଫସଲବୀମା, ଇନପୁଟ୍ ସବସିଡି ପରେ ମଣ୍ଡି ଅବ୍ୟବସ୍ଥାକୁ କରାଯାଇଛି ମୁଖ୍ୟ ପ୍ରସଙ୍ଗ। ତେଣୁ କୌଣସି ରିସ୍କ ନନେଇ ପ୍ରଶାସନ ଯେ ଚାଷୀ ଦରଦୀ ତାହା ଦେଖାଇବାକୁ ଉଦ୍ୟମ କରାଯାଉଛି। ଏହା ପଛରେ ରାଜନୀତିର ଗନ୍ଧ ବାରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି। ପଦ୍ମପୁରରେ ଆଗୁଆ ମଣ୍ଡି ଖୋଳିବା ଓ ଅନ୍ୟ ସ୍ଥାନରେ ମଣ୍ଡି ଖୋଲିବାରେ ବିଳମ୍ବ ନେଇ ବର୍ଷିଛି ଦଳ। ଚାଷୀଙ୍କ ସମସ୍ୟା ନେଇ ବିଧାନସଭା ଆଗରେ ସତ୍ୟାଗ୍ରହ କରୁଥିବା ବିଜେପି ଆଜି ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇଥିଲା।

ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ଅଭିଯୋଗ କରିଛି, ଯେଉଁଠି ନିର୍ବାଚନ ହେଉଛି ସେଠି ଧାନ ଉଠୁଛି, ଆଉ ଧାନ ସଂଗ୍ରହ ଦାୟିତ୍ୱରେ ଥିବା ମନ୍ତ୍ରୀମାନେ ନିର୍ବାଚନ ପ୍ରଚାରରେ ମାତିଛନ୍ତି। ସେପଟେ ମିଲରମାନଙ୍କ ସହ ମଧୁଚନ୍ଦ୍ରିକା, ଫସଲବୀମାରୁ ଚାଷୀ ବଂଚିତ ହେବା ଓ ବିନା ଆକଳନରେ ଚାଷୀଙ୍କୁ ଇନପୁଟ୍ ସବସିଡି ଘୋଷଣା କରାଯାଇଥିବା ଅଭିଯୋଗ କରିଛି ଦଳ। କଂଗ୍ରେସ ମଧ୍ୟ ମଣ୍ଡି ଅବ୍ୟବସ୍ଥା ନେଇ ସରକାରଙ୍କୁ ଟାର୍ଗେଟ କରିଛି। ବିଜେଡି ତାର ଜବାବ୍ ରଖିଛି। 

Advertisment

ଗୋଟିଏ ପଟେ ପଦ୍ମପୁରରେ ଚାଷୀ ସଙ୍ଗଠନମାନେ ଆନ୍ଦୋଳନ ଚଳାଇଛନ୍ତି। ଉଭୟ ବିଜେପି ଓ ବିଜେଡିର ନେତାମାନେ ଚାଷୀଙ୍କୁ ଭେଟି ଦରଦ ଦେଖାଇଛନ୍ତି। ଅନ୍ୟପଟେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଫସଲ ବୀମା ଓ ଇନପୁଟ୍ ସବସିଡି ଘୋଷଣା କରିଛନ୍ତି। ତେବେ ଚାଷୀ କାହା ଉପରେ ଭରସା କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର।

(ପଦ୍ମପୁରରୁ ମନରଂଜନ ଯୋଶୀ, ସୋମେଶ ମହାନ୍ତି, ଦୀପକ ଶର୍ମା ଓ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ) 

BJD BJP Odisha Politics padmapur-bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ