Advertisment

ପଦ୍ମପୁର ଉପନିର୍ବାଚନ: ଛିଡୁନି ବିଜେଡି ଅଙ୍କ, କିଏ ହେବ ପ୍ରାର୍ଥୀ

ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିନଥିଲେ ମଧ୍ୟ ଏବେଠାରୁ ମାଳ ମାଳ ମନ୍ତ୍ରୀ ଓ ବିଧାୟକ ପଦ୍ମପୁରରେ ଡେରା ପକାଇଲେଣି।

author-image
Chandan Shishu
Padampur bypolls

Padampur bypolls

ପଦ୍ମପୁର ପାଇଁ ବିଜେପି ଖୋଲିଲା ପତ୍ତା। ପୁଣିଥରେ ପ୍ରଦୀପ ପୁରୋହିତଙ୍କ ଉପରେ ଦଳର ଭରସା। ବିଜେପି କୃଷକ ସେଲ୍‌ର ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ଉପନିର୍ବାଚନ ଲାଗି ଯୋଦ୍ଧା ଘୋଷଣା କରିଛି ବିଜେପି। ୨୦୧୪ ନିର୍ବାଚନରେ ବିଜେଡିକୁ ମାତ୍ ଦେଇ ବିଧାୟକ ହୋଇଥିବା ପ୍ରଦୀପ ୨୦୧୯ରେ କିନ୍ତୁ ହାରିଯାଇଥିଲେ। ତେବେ ସଙ୍ଗଠନ ମଜଭୁତ ଥିବାରୁ ପ୍ରଦୀପଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କରିଛି ବିଜେପି। ସେପଟେ କଂଗ୍ରେସ ନେତା ସତ୍ୟଭୂଷଣ ସାହୁଙ୍କ ନାଁରେ ମୋହର ମାରିଛି ଏଆଇସିସି। ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଅନୁମୋଦନ ପରେ ଆଜି ପ୍ରାର୍ଥୀ ଘୋଷଣା କରିଛି ଦଳ। ସତ୍ୟଭୂଷଣ ଏହା ପୂର୍ବରୁ ତିନି ଥର ବିଧାୟକ ରହିସାରିଛନ୍ତି।

Advertisment

୨୦୧୯ ନିର୍ବାଚନରେ ସେ ତୃତୀୟ ସ୍ଥାନରେ ରହିଥିଲେ ମଧ୍ୟ ୩୨ ହଜାର ୭୮୭ ଖଣ୍ଡ ଭୋଟ୍ ପାଇବାରେ ସମର୍ଥ ହୋଇଥିଲେ। ସେପଟେ କିନ୍ତୁ ବିଜେଡି ପ୍ରାର୍ଥୀଙ୍କୁ ନେଇ ଲାଗି ରହିଛି ସସପେନ୍ସ। ନୂଆପଡା ଜିଲ୍ଲାରେ କାର୍ଯ୍ୟରତ ସହକାରୀ ଜିଲ୍ଲାପାଳ ମହେନ୍ଦ୍ର ବଢେଇଙ୍କ ଇସ୍ତଫା ଚର୍ଚ୍ଚା ପରେ ଏହି ଦ୍ୱନ୍ଦ୍ୱ ବଢିଛି। ଦିବଙ୍ଗତ ନେତା ବିଜୟ ରଂଜନଙ୍କ ଧର୍ମପତ୍ନୀ ତିଳୋତ୍ତମା ସିଂ ବରିହାଙ୍କୁ ପ୍ରାର୍ଥୀ କରାଯିବ ନା ଅନ୍ୟ କାହାକୁ ଟିକଟ୍ ଦିଆଯିବ ସେ ନେଇ ବିଜେଡିରେ ଚାଲିଛି ବିଚାର ବିମର୍ଶ।

ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିନଥିଲେ ମଧ୍ୟ ଏବେଠାରୁ ମାଳ ମାଳ ମନ୍ତ୍ରୀ ଓ ବିଧାୟକ ପଦ୍ମପୁରରେ ଡେରା ପକାଇଲେଣି। ଗ୍ରାଉଣ୍ଡ ଜିରୋରେ ଆଜି ଉଭୟ ବିଜେଡି ଓ ବିଜେପି ବିଭିନ୍ନ ପ୍ରକାର ସଭା କରିଛନ୍ତି। ବିଜେଡି ପଦ୍ମପୁର ବ୍ଲକର ଚକାଖୋଲିଆ ଗାଁରେ କର୍ମୀ ସମ୍ମିଳନୀ ସହ ମିଶ୍ରଣ ପର୍ବ କରିଥିଲା। ଏଥିରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ପ୍ରତାପ ଜେନା, ଦେବେଶ ଆଚାର୍ଯ୍ୟ, ପ୍ରଦୀପ ମାଝୀ ପ୍ରମୁଖ ସାମିଲ ହୋଇ ରାଜ୍ୟ ସରକାରଙ୍କ ବିକାଶ ଧାରା ଉପରେ ଜୋର ଦେଇଥିଲେ।

Advertisment

ସେପଟେ ବିଜେପି ପକ୍ଷରୁ ପଦ୍ମପୁର ବ୍ଲକ ଜୁନଗାପାଲି ଗାଁରେ ମିଶ୍ରଶ ପର୍ବ ସହିତ ପ୍ରଚାର ସଭା ଆୟୋଜନ କରାଯାଇଥିଲା। ସ୍ଥାନୀୟ ବିଜେପି ନେତାଙ୍କ ସମେତ ନିଜେ ପ୍ରଦୀପ ପୁରୋହିତ ଏଥିରେ ଯୋଗ ଦେଇ ଚାଷୀ ସମସ୍ୟା ଓ ଟଙ୍କା ବଣ୍ଟନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ଥିବା ବେଳେ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଲାଗି ଦୀର୍ଘଦିନର ଦାବି ବି ଜୋର୍ ଧରୁଛି। ଆଜି ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଶାଳ ଶୋଭାଯାତ୍ରା କରାଯାଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି। ସେପଟେ ଜିଲ୍ଲା ଗଠନ ଦାବିକୁ ଉଭୟ ବିଜେପି ଓ ବିଜେଡି ସମର୍ଥନ କରିଛନ୍ତି।

(ପଦ୍ମପୁରରୁ ସୋମେଶ ମହାନ୍ତି ଓ ଭୁବନେଶ୍ୱରୁ ହରିହର ଚାନ୍ଦଙ୍କ ରିପୋର୍ଟ)

BJD BJP Congress padmapur-bypoll
Advertisment
Advertisment