• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବହୁ ଚର୍ଚ୍ଚା, ଆଲୋଚନା, ବିଚାର ବିମର୍ଷ ପରେ ଶେଷରେ ବିଜେଡି ଘୋଷଣା କରିଛି ଏହାର ପଦ୍ମପୁର ଉପନିର୍ବାଚନ ପ୍ରାର୍ଥୀ । ଭରସା କରିଛି ବରିହା ପରିବାର ଉପରେ । କୌଣସି ରିସ୍କ ନନେଇ ଦିବଙ୍ଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ବଡ଼ ଝିଅ ବର୍ଷା ସିଂ ବରିହାଙ୍କୁ ଟିକଟ୍ ଦେଇଛି ଦଳ । ଜଣେ ଉଚ୍ଚ ଶିକ୍ଷିତା ତଥା ଯୁବ ଚେହେରାଙ୍କୁ ସାମ୍ନାକୁ ଆଣିଛି ବିଜେଡି ।

ତେବେ କାହିଁକି ବର୍ଷାଙ୍କ ନାଁରେ ବାଜିଲା ଶଙ୍ଖ ମୋହର ? କୁହଯାଉଛି ଧାମନଗର ଉପନିର୍ବାଚନରେ ପ୍ରାର୍ଥୀ ଚୟନ ଠିକ୍ ନଥିବାରୁ ଦଳକୁ ମହଙ୍ଗା ପଡିଲା । ତେଣୁ ପଦ୍ମପୁରରେ ସେ ଭୁଲ୍ ନଦୋହରାଇ, ଭାବିଚିନ୍ତି ବର୍ଷାଙ୍କୁ ପ୍ରାର୍ଥୀ କରିଛି ବିଜେଡି । ବାଇ-ଇଲେକ୍ସନ ତାରିଖ ଘୋଷଣା ପରେ ବିଜେଡି ପ୍ରାର୍ଥୀ ହେବା ପାଇଁ ବିଜୟ ରଂଜନଙ୍କ ପତ୍ନୀ ତିଳୋତ୍ତମା ସିଂ ବରିହା ପ୍ରଥମେ ଦାବି କରିଥିଲେ । ପରେ ପରେ ନୂଆପଡ଼ା ଜିଲ୍ଲାରେ କାର୍ଯ୍ୟରତ ସହକାରୀ ଜିଲ୍ଲାପାଳ ମହେନ୍ଦ୍ର ବଢେଇଙ୍କ ନାଁ କୁ ନେଇ ବି ଚର୍ଚ୍ଚା ହେଲା ।

କାଳେ ପ୍ରାର୍ଥୀ ଚୟନ ଗଣିତ ଭୁଲଭାଲ୍ ହୋଇଯିବ ଖାସ୍ ସେଥିପାଇଁ ବିନ୍‌ଝାଲ୍‌ ସମାଜର ବହୁ ପ୍ରତିନିଧି ରବିବାର ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ, ଆଉ ବରିହା ପରିବାରକୁ ହିଁ ଟିକେଟ୍ ଦେବା ପାଇଁ ଦାବି ରଖିଲେ । ପଦ୍ମପୁରକୁ ନେଇ ସବୁ ଅଙ୍କ କଷିବା ପରେ ଶେଷରେ ବର୍ଷାଙ୍କ ନାଁ ଚୂଡ଼ାନ୍ତ କରିଛି ଦଳ । ଏଥି ସହିତ ଏକାଥରକେ ମହିଳା ସଶକ୍ତୀକରଣ, ଅନୁକମ୍ପା, ବିନ୍‌ଝାଲ ସମାଜ ସହିତ ଆଦିବାସୀ କାର୍ଡ ବି ଖେଳିଛି ବିଜେଡି ।

ରୋଚକ କଥା ହେଉଛି, ବର୍ଷା ହେଉଛନ୍ତି ବିଜେପି ନେତା ରମାରଂଜନ ବଳିୟାରସିଂଙ୍କ ବୋହୂ ରମାରଂଜନଙ୍କ ପୁଅ ସ୍ମୃତିସୌରଭ ବଳିଆରସିଂଙ୍କୁ ସେ ବିବାହ କରିଛନ୍ତି । ପୂର୍ବରୁ ବିଜେପି ପ୍ରଦୀପ ପୁରୋହିତଙ୍କୁ ଓ କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରିସାରିଛି । ଅର୍ଥାତ ପଦ୍ମପୁରରେ ଦେଖିବାକୁ ମିଳିବ ଅଭିଜ୍ଞ ବନାମ ନବାଗତଙ୍କ ମଧ୍ୟରେ ଟକ୍କର । ନାଁ ଘୋଷଣା ପରେ ବର୍ଷା କହିଛନ୍ତି ବାପାଙ୍କ ଭଲ କାମ ପାଇଁ ଟିକଟ ପାଇଲି । ବାପାଙ୍କଠାରୁ ଯାହା ଦେଖିଛି, ଶିଖିଛି କାମରେ ଲଗାଇବି ।

ଗୋଟିଏ ପଟେ ବର୍ଷା ବରିହାଙ୍କ ପ୍ରାର୍ଥିତ୍ୱ ଚର୍ଚ୍ଚାରେ ଥିବା ବେଳେ ପ୍ରଦୀପ ପୁରୋହିତ ଆଜି ପ୍ରାର୍ଥିପତ୍ର ଦାଖଲ ନକରିବା ବି ପଦ୍ମପୁରରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି । କାହିଁକି ନା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଜି ନାମାଙ୍କନ ପତ୍ର ଦାଖଲ ପାଇଁ ଦଳ ପୁରା ତୟାରିର ସହ ମୈଦାନକୁ ଓହ୍ଲାଇଥିଲା । ଦଳର ବରିଷ୍ଠ ନେତାମାନଙ୍କୁ ନେଇ ପଦ୍ମପୁରରେ ଏକ ସଭା ଆୟୋଜନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରୁ ଚାଷୀ ବଞ୍ଚିତ ହେବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, କେନ୍ଦ୍ରୀୟ ଯୋଜାନରୁ ହଡ଼ପ୍, ଜଳସେଚନ ଅଭାବ ଆଦି ପ୍ରସଙ୍ଗକୁ ନେଇ ବିଜେଡିକୁ କଡା ସମାଲୋଚନା କରିଥିଲା ବିଜେପି ।

ସଭା ପରେ ପ୍ରଦୀପ ପୁରୋହିତ ବିଶାଳ ରାଲିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏଁ ଆସିଥିଲେ । ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ସୁରେଶ ପୂଜାରୀ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ଅନେକ ବରିଷ୍ଠ ନେତା ବି ସାମିଲ ହୋଇଥିଲେ । ହେଲେ ଶେଷ ମିନିଟ୍‌ରେ ବଦଳି ଯାଇଥିଲା ପ୍ଳାନ୍ । ଆନ୍ଦୋଳନରତ ଚାଷୀଙ୍କ ଅନୁରୋଧ କ୍ରମେ ପ୍ରଦୀପ ଆଜି ନାମାଙ୍କନ ଭରିନଥିଲେ । ଏହାକୁ ନେଇ ଅନେକ ଚର୍ଚ୍ଚା ଭିତରେ ଏହା ବିଜେପି-ବିଜେଡିର ଡାଇଭର୍ଟ ପିଲିଟିକ୍ସ ବୋଲି କୁହାଯାଉଛି ।

ଏସବୁ ଭିତରେ ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟ ବିଜେପିର ପୁରା ଟିମ୍ ଆଜି ପଦ୍ମପୁରରେ ଉପସ୍ଥିତ ରହି ନିର୍ବାଚନ ପରିଚାଳନା ଓ ଷ୍ଟ୍ରାଟେଜି ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି ।