• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଚାଷୀଙ୍କ ସହ ଚଂଚକତା । ସରକାରୀ ସୁବିଧାର ସୁଯୋଗ ନେବେ କେବଳ ଅଫିସର । ଆଉ ଚାଷୀ ଜଳକା । ଅନ୍ତରାଷ୍ଟ୍ରୀୟ କୃଷି ସମ୍ମିଳନୀରେ ଯୋଗଦେବାକୁ ବିଦେଶ ଭ୍ରମଣ ପାଇଁ ରାଜ୍ୟର ୪ ଚାଷୀ ବାଦ୍ ପଡ଼ିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ରାଜ୍ୟର ୩ ପ୍ରଶାସନିକ ଅଧିକାରୀ ।

ନେଦରଲାଣ୍ଡସ୍‌ରେ ସେପ୍ଟେମ୍ବର ୮ରୁ ହେବାକୁ ଯାଉଛି ଫ୍ଲୋରିଏଡ୍ ଏକ୍ସ-ପୋ । ଏଥିରେ ଯୋଗଦେବାକୁ ପୁରୀ, ଜଗତସିଂହପୁର, କୋରାପୁଟ ଜିଲ୍ଲାରୁ ୪ ଜଣ ସଫଳ ଚାଷୀଙ୍କୁ ମନୋନୀତ କରାଯାଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ଭିସା ବ୍ୟବସ୍ଥା ହୋଇନପାରିବାରୁ ଏହି ଚାଷୀଙ୍କୁ ଭ୍ରମଣ ସୁଯୋଗରୁ ବାଦ୍ ଦିଆଯାଇଥିବା ତଥ୍ୟ ସାମ୍ନାକୁ ଆସିଛି । କିନ୍ତୁ ସମ୍ମିଳନୀରେ ଯୋଗଦେବାକୁ ଯାଉଛନ୍ତି ଓଡ଼ିଶା ସରକାରଙ୍କ ୩ ଆଇଏଏସ ଅଧିକାରୀ । ଯାହାକୁ ନେଇ ସିଧାସଳଖ ମୁହଁ ଖୋଲିନଥିଲେ ବି ଅସନ୍ତୋଷ ପ୍ରକାଶ କରିଛନ୍ତି ସଂପୃକ୍ତ ଚାଷୀ ।

ଏହି ଅନ୍ତର୍ଜାତୀୟ କୃଷି ଏକ୍ସପୋ ବୁଲିବା ସହ ବିଦେଶ ଭ୍ରମଣରେ ଯିବାକୁ ଥିବା ଆଇଏଏସ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି କୃଷି ବିଭାଗର ତତ୍କାଳୀନ ପ୍ରମୁଖ ସଚିବ ସଂଜୀବ ଚୋପ୍ରା, କୃଷି ବିଭାଗର ସ୍ୱତନ୍ତ୍ର ସଚିବ ସଂଜୀବ କୁମାର ଚଢା ଓ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା । କୁହାଯାଉଛି ଆଡମିନିଷ୍ଟ୍ରେଟିଭ୍ କୋଟାରେ ଏମାନଙ୍କୁ ଭିସା ମିଳିବା ସହଜ ହୋଇଥିଲେ ବି ଚାଷୀମାନଙ୍କୁ ଭିସା ମିଳିବାରେ ବିଳମ୍ବ ହୋଇଛି ।

ତେବେ ଏତେ ଦିନ ଆଗରୁ ସୂଚନା ଥାଇ ବି ଚାଷୀଙ୍କୁ କେଉଁ ପରିସ୍ଥିତିରେ ମିଳିପାରିଲାନି ଭିସା ? ଏମିତିକି ଚାଷୀମାନେ ପାସପୋର୍ଟ ଦାଖଲ ପରେ ବି ସେମାନଙ୍କ ଭିସା ଯୋଗାଇ ଦେବାରେ କୃଷି ବିଭାଗ ଯେଉଁ ଉଦ୍ୟମ କରିବା କଥା, ତାହା କରାଯାଇନି ବୋଲି ଚର୍ଚ୍ଚା ହେଉଛି ।

ଏହାପୂର୍ବରୁ ୧୯୯୬-୯୭ ମସିହାରେ ବି ଚାଷୀମାନଙ୍କୁ ନ ନେଇ ଇସ୍ରାଏଲ ଗସ୍ତରେ ଯାଇଥିଲେ କେବଳ ଅମଲା । ଯାହାକୁ ନେଇ ରାଜ୍ୟରେ ବେଶ୍ ତମ୍ବିତୋଫାନ ହୋଇଥିଲା । ସେତେବେଳେ ବିରୋଧୀ ଦଳରେ ଥିବା ଏବେକାର କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସରକାରଙ୍କୁ କଡ଼ା ବିରୋଧ କରିଥିଲେ । କିନ୍ତୁ ଏବେ ସରକାର ବଦଳିଥିଲେ ବି ସ୍ଥିତି କିିନ୍ତୁ ସମାନ ।