• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ରାଜ୍ୟ ସରକାରଙ୍କ ସବୁଠୁ ବଡ଼ ସ୍କିମ୍ 'ଆମ ଓଡ଼ିଶା ନବୀନ ଓଡିଶା'କୁ ନେଇ ବଢିଲା ବିବାଦ । ସରକାରୀ ବିଜ୍ଞାପନରେ ବିଜେଡିର ଦଳୀୟ ଚିହ୍ନ ଶଙ୍ଖ ରହିଥିବାରୁ ଏହାକୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ । ଏହାରି ଭିତରେ କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରୁ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ଏଥିରେ ୨ ହଜାର କୋଟି ଲୁଟ୍‌ର ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ ଆଣି ବିଜେପି କହିଛି ଦରକାର ପଡ଼ିଲେ କୋର୍ଟର ଦ୍ୱାରସ୍ଥ ହେବ। କଂଗ୍ରେସ୍ ବି ସ୍କିମ୍‌କୁ ବିରୋଧ କରି ରାଜ୍ୟପାଳଙ୍କୁ ଦାବିପତ୍ର ଦେଇଛି।

ଗ୍ରାମାଂଚଳ ଭୋଟ୍ ନେବା ପାଇଁ ବିଜେଡିର ବଡ଼ ଫନ୍ଦି । ଆରମ୍ଭ ହେଲା ଆମ ଓଡ଼ିଶା, ନବୀନ ଓଡ଼ିଶା ସ୍କିମ୍। ସ୍କିମ୍ ବିଜ୍ଞାପନରେ ଶଙ୍ଖ ଚିହ୍ନ ବ୍ୟବହାରକୁ ନେଇ ଘନେଇଲା ବିବାଦ । ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଫ୍ଳାଗସିପ୍ ଯୋଜନା ଆମ ଓଡ଼ିଶା, ନବୀନ ଓଡ଼ିଶାର ଶୁଭାରମ୍ଭ ଅବସରରେ କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ବ୍ୟାପକ ଆୟୋଜନ। କେନ୍ଦୁଝରର୨୯୭ଟି ପଂଚାୟତରେ ୩, ୫୬୮ ପ୍ରକଳ୍ପ ପାଇଁ ମଞ୍ଜୁର ହୋଇଛି ୧୪୮ କୋଟି ୫୦ ଲକ୍ଷ ଟଙ୍କା । ଠିକ୍ ସେଭଳି ଭଦ୍ରକ ଜିଲ୍ଲାର ୩ ହଜାର ୩୩୭ଟି ପ୍ରକଳ୍ପ ଲାଗି ମଞ୍ଜୁର ହୋଇଛି ୧୦୯ କୋଟି ।

ଏ ଦୁଇ ଜିଲ୍ଲାରେ ଆଜିଠାରୁ ସ୍କିମ୍ ଲଂଚ୍ ହୋଇଥିବା ବେଳେ ଅନ୍ୟ ସବୁ ଜିଲ୍ଲାରେ ପର୍ଯ୍ୟାୟ କ୍ରମେ ଏହି ଯୋଜନା ଲାଗୁ କରାଯିବ। ଏଥିପାଇଁ ଖର୍ଚ୍ଚ ହେବ ସମୁଦାୟ ୩ ହଜାର ୩୯୭ କୋଟି ଟଙ୍କା । ପ୍ରତି ପଂଚାୟତ ପାଇବେ ୫୦ ଲକ୍ଷ ଟଙ୍କା । ତେବେ ଗ୍ରାମାଂଚଳ ଭୋଟ୍ ନେବା ପାଇଁ ଏହି ଯୋଜନା ବୋଲି ଚର୍ଚ୍ଚା ହେଉଛି।

ସେପଟେ ସ୍କିମ୍ ଲଂଚ୍ ହେଉ ହେଉ ଦେଖାଦେଇଛି ବିବାଦ । ଖାସ୍ କରି ସରକାରୀ ବିଜ୍ଞାପନରେ ବିଜେଡିର ଦଳୀୟ ଚିହ୍ନ ଶଙ୍ଖ ବ୍ୟବହାରକୁ ନେଇ କଡ଼ା ସମାଲୋଚନା କରିଛନ୍ତି ବିଜେପି ଓ କଂଗ୍ରେସ୍ । ନବୀନ ଓଡ଼ିଶାକୁ ଲୁଟ୍ ଓଡ଼ିଶା କହି କଡ଼ା ସମାଲୋଚନା କରିଛି ବିଜେପି । ଏହି ସ୍କିମ୍ ପାଇଁ ରଖାଯାଇଥିବା ଅର୍ଥରୁ ପ୍ରାୟ ୫୦ ପ୍ରତିଶତ ଅର୍ଥାତ ୨ ହଜାର କୋଟି ଲୁଟ୍ କରିବାକୁ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା । ଦରକାର ପଡ଼ିଲେ ଦଳ କୋର୍ଟର ଦ୍ୱାରସ୍ଥ ହେବ ବୋଲି କହିଛି । କଂଗ୍ରେସ ମଧ୍ୟ ଏହି ସ୍କିମକୁ ବିରୋଧ କରି ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଛି ।

୨୦୧୯ ନିର୍ବାଚନ ପୂର୍ବରୁ ଆମ ଗାଁ ଆମ ବିକାଶ ଯୋଜନା ଲାଗୁ କରି ବିଭିନ୍ନ ପ୍ରକଳ୍ପ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଏବେ ସେଇ ସ୍କିମ୍‌କୁ ସଂଶୋଧନ କରି ୨୪ ଭୋଟ୍ ପୂର୍ବରୁ ଆମ ଓଡିଶା, ନବୀନ ଓଡ଼ିଶା ସ୍କିମ୍ ଲାଗୁ କରିଛନ୍ତି । ତେବେ ବିନା ଗ୍ରାମସଭାରେ ପ୍ରକଳ୍ପ ସ୍ଥିର ହୋଇଥିବାରୁ ବିବାଦ ବଢିଥିଲା । ଏବେ ଏହି ସ୍କିମ୍‌କୁ ନେଇ ହାଇକୋର୍ଟରେ ମାମଲା ଚାଲିଛି। ଏହା ସତ୍ତ୍ୱେ ରାଜ୍ୟ ସରକାର କିନ୍ତୁ ଯୋଜନାରୁ ଶୁଭାରମ୍ଭ କରିଛନ୍ତି ।