ଆଗରୁ ହଜିଥିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି, ଏବେ ଶ୍ରୀମନ୍ଦିର ପ୍ରଶାସନର ଫାଇଲ ଗାଏବ

ଆଇନ ବିଭାଗ ହେପାଜତରୁ ହଜିଲା ୨ଟି ଫାଇଲ । ଉଦବେଗ ପ୍ରକାଶ କଲା ଶ୍ରୀମନ୍ଦିର ଛତିଶା ନିଯୋଗ । ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ନିଶାନା । ଫାଇଲ୍ ହଜିନାହିଁ, କେଉଁଠି ରହିଯାଇଛି କହିଲେ ଆଇନ ମନ୍ତ୍ରୀ ।

Lord Jagannath, Puri Srimandir Administration File Missing By law Department.

ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଫାଇଲ ହଜିବା ନେଇ ହଇଚଇ । ଆଇନ ବିଭାଗରୁ ଦୁଇ ଦୁଇଟି ଫାଇଲ୍ ଗାଏବ ପରେ ଅକଳରେ ସରକାର । ପୁଣି ପଦାରେ ପଡ଼ିଲା ସରକାରଙ୍କ ଦାୟିତ୍ୱହୀନତା ଓ ଖାମଖିଆଲ ନୀତି । ପ୍ରଥମେ ରତ୍ନଭଣ୍ଡାର ଚାବି ହଜିଥିଲା, ଆଉ ଏବେ ଆଇନ ବିଭାଗରୁ ହଜିଯାଇଛି ଶ୍ରୀମନ୍ଦିର ଫାଇଲ୍ । ଜଗନ୍ନାଥ ମନ୍ଦିର ପ୍ରଶାସନ-JTA ସେକ୍ସନର ଦୁଇଟି ଫାଇଲ ପାଉନି ଆଇନ ବିଭାଗ ।

ସୂଚନା ଅନୁସାରେ ମିଳୁନଥିବା ଫାଇଟ୍ ଦୁଇଟି ୨୦୦୬ ଓ ୨୦୧୪ ମସିହାର। ଏହାକୁ ଗୁରୁତର ଭାବେ ନେଇ ଫାଇଲ୍ ଖୋଜିବାକୁ ସବୁ ସେକସନ୍‌କୁ ଚିଠି ଲେଖିଛି ଆଇନ ବିଭାଗ । ଫାଇଲ୍ ମିଳିଲା କି ନାହିଁ ଶୀଘ୍ର ଜଣାଇବାକୁ ସମସ୍ତ ସେକ୍ସନକୁ କୁହାଯାଇଛି। ଏହା ହାଇକୋର୍ଟଙ୍କ ଆଦେଶ ସଂପର୍କିତ ଫାଇଲ୍ ହୋଇଥିବାରୁ ତତ୍ପରତା ଦେଖାଇଛି ଆଇନ ବିଭାଗ। ଏହା ପୂର୍ବରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ ସାରା ରାଜ୍ୟ ଉଠିଥିଲା ପଡିଥିଲା। ଏବେ ପୁଣି ଶ୍ରୀମନ୍ଦିର ପ୍ରଶାସନର ଫାଇଲ ମିଳୁନଥିବାରୁ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ବିଜେପିର ବରିଷ୍ଠ ନେତା ବିଜୟ ମହପାତ୍ର ଅଭିଯୋଗ କରିଛନ୍ତି, ଫାଇଲ ହଜିନି ବରଂ ତାକୁ ଲୁଚେଇ ଦିଆଯାଇଛି । ଫାଇଲ୍‌ରେ ଏମିତି କିଛି ଅଛି ଯାହାକୁ ଲୋକଲୋଚନକୁ ଆଣିବାକୁ ସରକାର ଚାହୁଁନାହାନ୍ତି । ଏଥିସହ ଶ୍ରୀମନ୍ଦିରକୁ ରାଜ୍ୟ ସରକାର ସବୁବେଳେ କାହିଁକି ଅବହେଳା କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସେପଟେ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ବର୍ଷିବା ସହ ରାଜ୍ୟ ସରକାର ଜଗନ୍ନାଥ ବିରୋଧୀ ବୋଲି କହିଛି । ବିଭ୍ରାଟ ପଛରେ ବିଜେଡି ନେତା ଓ ପ୍ରଶାସକ ସାମିଲ ଥିବା ଦଳ ଅଭିଯୋଗ କରିଛି ।

କଂଗ୍ରେସ୍ ବି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିବା ବେଳେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଫାଇଲ୍ ହଜିନାହିଁ, କେଉଁଠି ରହିଯାଇଛି ।

ତେବେ ଦୁଇ ପୁରୁଣା ଫାଇଲ୍ କାହିଁକି ଖୋଜୁଛି ଆଇନ ବିଭାଗ ? କୁହାଯାଉଛି ଗଠନ ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟିରେ ଖୁଣ୍ଟିଆ ନିଯୋଗରୁ କାହାକୁ ସ୍ଥାନ ମିଳିନଥିବାରୁ ସେମାନେ ହାଇକୋର୍ଟ ଯାଇଥିଲେ । ମାମଲା ଏବେ ବିଚାରାଧିନ ଅଛି । କମିଟିକୁ କେଉଁ ସେବାୟତମାନେ କିପରି ମନୋନୀତ ହୁଅନ୍ତି, ଏଥିପାଇଁ କଣ ନିୟମ ରହିଛି ସେ ସଂପର୍କରେ 

ହଜିଥିବା ଦୁଇଟି ଫାଇଲ୍‌ରେ ଉଲ୍ଲେଖ ରହିଛି । ତେଣୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ନଥିବା ଏ ଦୁଇଟି ଫାଇଲକୁ ନେବା ପାଇଁ ଆଇନ ବିଭାଗକୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଥିଲା।

ତେବେ ଆଇନ ବିଭାଗ ଖୋଜାଖୋଜି ପରେ ବି ଫାଇଲ ପାଇନଥିଲା । ଏପଟେ ଏହାକୁ ନେଇ ଉଦବେଗ ପ୍ରକାଶ କରିଛି ଶ୍ରୀମନ୍ଦିର ଛତିଶା ନିଯୋଗ । 

ଲୋକସେବା ଭବନର ଆଇନ ବିଭାଗରେ ଫାଇଲ ହଜିଲା, କିନ୍ତୁ ପୁରୀରେ ଏହାକୁ ନେଇ ଜବରଦସ୍ତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ସେପଟେ ସରକାର ଷଡଯନ୍ତ୍ର କରି ଫାଇଲ୍ ଲୁଚାଇଥିବା ଅଭିଯୋଗ କରି ସିଂହଦ୍ୱାର ଥାନାରେ ଏତଲା ଦେଇଛି ଜଗନ୍ନାଥ ସେନା ।

(ରାୟଗଡ଼ାରୁ ମାଉଡି ବାରିକଙ୍କ ରିପୋର୍ଟ, ଓଟିଭି)