• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସରକାରୀ କାର୍ଯ୍ୟକ୍ରମ ଆଳରେ ବିଜେଡିରେ ଶକ୍ତି ପ୍ରଦର୍ଶନ । ପଶ୍ଚିମ ଓଡ଼ିଶାର ତିନି ଜିଲ୍ଲା ବରଗଡ, ନୂଆପଡ଼ା ଓ କଳହାଣ୍ଡିରେ ପାୱାର୍ ସୋ'। ବିଜୁ ଜୟନ୍ତୀରେ ବିଜୁ ଏକ୍ସପ୍ରେସ୍ ୱେକୁ ଲୋକାର୍ପିତ କରିବା ସହ ସାଧାରଣ ସଭା ଓ ରୋଡ୍ ସୋ' କରି ସାଧାରଣ ନିର୍ବାଚନ ଲାଗି ଏକ ପ୍ରକାର ପ୍ରଚାର ଆରମ୍ଭ କରିଛନ୍ତି ନବୀନ ।

ଗସ୍ତ ସମୟରେ ବିଜେଡି ନବୀନ ଓଡ଼ିଶାର ନାରା ଦେଇଥିବା ବେଳେ ବିରୋଧୀ ଏହାକୁ କଡ଼ା ସମାଲୋଚନା କରିଛନ୍ତି । ନବୀନଙ୍କ ଗସ୍ତ ବିକାଶ ପାଇଁ ନୁହେଁ ବରଂ ଭୋଟ୍ ପାଇଁ ବୋଲି ଅଭିଯୋଗ କରିଛନ୍ତି ।

ପଂଚାୟତିରାଜ ଓ ଲୋକସେବା ଦିବସ ଅବସରରେ ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ସଭା ଓ ରୋଡ୍ ସୋ' । ତେବେ ସରକାରୀ କାର୍ଯ୍ୟକ୍ରମ ଆଳରେ ସବୁ ସ୍ଥାନରେ ଶକ୍ତି ପ୍ରଦର୍ଶନ କରିଛି ବିଜେଡି । ବିଜୁ ଏକ୍ସପ୍ରେସ୍ ୱେକୁ ଲୋକାର୍ପିତ

କରିବା ସହ ବିଭିନ୍ନ ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି ନବୀନ ।

ପଶ୍ଚିମରୁ ଦକ୍ଷିଣ ଓଡ଼ିଶାକୁ ଯୋଡୁଥିବା ବିଜୁ ଏକ୍ସପ୍ରେସ୍ ୱେ ପଶ୍ଚିମ ଓଡ଼ିଶାର ଜୀବନ ରେଖା ବୋଲି କହିବା ସହ ଏହା ଦ୍ୱାରା ୧୦ଟି ଜିଲ୍ଲା ଲାଭ ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷରେ ନବୀନ ବରଗଡ଼ ଜିଲ୍ଲାର ସୋହେଲାଠାରୁ ଘେଁସ୍ ପର୍ଯ୍ୟନ୍ତ ଏବଂ କଳାହାଣ୍ଡି ଜିଲ୍ଲା ବୃନ୍ଦାବାହାଲରୁ ଧର୍ମଗଡ଼ ଟାଉନ୍ ପର୍ଯ୍ୟନ୍ତ ରୋଡ୍ ସୋ' କରିଥିଲେ ।

ନବୀନ ଓଡ଼ିଶାର ନାରା ଦେବା ସହିତ ବିକାଶର ଯାତ୍ରା ଆରମ୍ଭ ହୋଇଥିବା ବିଜେଡି ପକ୍ଷରୁ କୁହାଯାଇଛି ।ଗୋଟିଏ ଦିନରେ ୩-୩ଟି ଜିଲ୍ଲା ଗସ୍ତ, ଏକାଧିକ ସଭା, ରୋଡ୍ ସୋ' ଆଦି କାର୍ଯ୍ୟକ୍ରମରୁ ସାଧାରଣ ନିର୍ବାଚନ ଲାଗି ବିଜେଡି ଏକ ପ୍ରକାର ପ୍ରଚାର ଆରମ୍ଭ କରିଥିବା କୁହାଯାଉଛି ।

ଚର୍ଚ୍ଚା ହେଉଛି ପଶ୍ଚିମ ଓଡ଼ିଶାରେ ବିଜେପିର ଯେଉଁ ଦବ୍ ଦବା ରହିଛି ତାକୁ ଚେକ୍ ଦେବାକୁ ବିଜେଡି ଆରମ୍ଭ କରିଛି ମିଶନ୍ ପଶ୍ଚିମ । ନବ ଦାସ ଓ ମମିତା ମେହେର ହତ୍ୟା ଘଟଣା, ଚାଷୀ ଅସନ୍ତୋଷ ଆଦି ପ୍ରସଙ୍ଗରେ ପଶ୍ଚିମ ଓଡ଼ିଶାରେ ଦଳ ଅଡୁଆ ସ୍ଥିତିରେ ରହିଛି । ନବୀନଙ୍କ ଏହି କାର୍ଯ୍ୟକ୍ରମ ଦଳ ପାଇଁ ଫାଇଦା ଆଣିବ ବୋଲି କୁହାଯାଉଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ୍ କିନ୍ତୁ ଏହାକୁ କଡା ସମାଲୋଚନା କରିଛନ୍ତି ।

ନବୀନଙ୍କ ଗସ୍ତ ବିକାଶ ପାଇଁ ନୁହେଁ ବରଂ ନିର୍ବାଚନୀ ଭୋଟ୍ ପାଇଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ନବୀନଙ୍କ ଗସ୍ତ ବେଳେ ବରଗଡ଼ ଭଟଲି ଛକଠାରେ ବିଜେପି କର୍ମୀ କଳା ପତାକା ଧରି ବିରୋଧ ପ୍ରଦର୍ଶନ କରିଥିଲେ ।

ସେହିପରି ସୁରକ୍ଷା ଦୃଷ୍ଟିରୁ ବରଗଡ଼ରେ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଆଗୁଆ ଗରିଫ କରି ଥାନାରେ ଅଟକ ରଖାଯାଇଥିଲା । ନବୀନଙ୍କ ଆଜିର କାର୍ଯ୍ୟକ୍ରମ ପରେ ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ ହୋଇପାରେ ବୋଲି ଯେଉଁ ଚର୍ଚ୍ଚା ହେଉଛି ତାକୁ ଅଧିକ ଖୋରାକ୍ ଯୋଗାଇଛି ।