• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିରୋଧୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଜନ ବିରୋଧୀ ମନ୍ତବ୍ୟକୁ ନେଇ ବଢୁଛି ବିବାଦ । ଏହାକୁ ଗୃହ ବିବରଣୀରୁ ବାଦ୍ ଦେବାକୁ ଦାବି କରି ଆଜି ବିଧାନସଭାକୁ ହୁଲୁସ୍ତୁଲ କରିଛି ବିଜେପି । ମୁଖ୍ୟମନ୍ତ୍ରୀ ନିଜେ ଜନ ବିରୋଧୀ ବୋଲି ବିଜେପି କହିଥିବା ବେଳେ ଲୋକଙ୍କ ସମସ୍ୟା କଥା ଉଠାଇଲେ କ’ଣ ଜନବିରୋଧୀ କି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଅନ୍ୟପକ୍ଷରେ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ପ୍ରଶ୍ନ କରିଛନ୍ତି, ବିଜେପି ଗରିବ କଲ୍ୟାଣ ପାଇଁ କାମ କରୁଛି, ସେମାନେ କିଭଳି ଜନବିରୋଧୀ ହେଲେ ?

ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ନେଇ ଘନଉଛି ବିବାଦ । ବିଧାନସଭା ଭିତରେ ବିରୋଧୀଙ୍କୁ ଜନ ବିରୋଧୀ ବୋଲି କହି ସମାଲୋଚନା କରିବା ପରେ, ଗତକାଲି ବିଜେଡି ପଦଯାତ୍ରାରେ ବି ସମାନ ଶବ୍ଦବାଣରେ ଘାଇଲା କରିଥିଲେ । ଜନ ବିରୋଧୀ ମନ୍ତବ୍ୟକୁ ବିରୋଧ କରି ଗୃହ ମଧ୍ୟଭାଗରେ ବିଜେପି ସଦସ୍ୟଙ୍କ ହଙ୍ଗାମା, ହଟ୍ଟଗୋଳ । ମୌସୁମୀ ଅଧିବେଶନରେ ଧୋଇଗଲା ଆଉ ଏକ ଦିନ । ଗତ ୨୮ ତାରିଖରେ ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ବିରୋଧୀଙ୍କୁ ଜନବିରୋଧୀ ବୋଲି ଆକ୍ଷେପ କରିଥିଲେ ନବୀନ । ଏହାକୁ ଗୃହ ବିବରଣୀରୁ ବାଦ ଦେବାକୁ ଆଜି ଦାବି କରିଥିଲା ବିଜେପି ।

ଏହା ସହିତ ବିଜେପି ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ଅଡି ବସିଛି ଦଳ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ମୁଖ୍ୟମନ୍ତ୍ରୀ ନିଜେ ଜନ ବିରୋଧୀ ବୋଲି କହି ଟାର୍ଗେଟ୍ କରିଛନ୍ତି । ସେପଟେ ଲୋକଙ୍କ ସମସ୍ୟା କଥା ଉଠାଇଲେ ତାହା କ’ଣ ଜନବିରୋଧୀ କି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ସେପଟେ କାହିଁକି ସର୍ବଦଳୀୟ ବୈଠକ ଡକାଯାଉ ନାହିଁ ବୋଲି ପ୍ରଶ୍ନରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ବିଚାର କରିବେ ବୋଲି କହିବା ସରକାରୀ ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ।

ବିରୋଧୀ ଦଳ ବିକାଶ ବିରୋଧୀ ଓ ଜନ ବିରୋଧୀ ବୋଲି ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କଡ଼ା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି କେହି ଜନ ବିରୋଧୀ ହୋଇପାରିବେନି, ସରକାର ବିରୋଧୀ ହୋଇଥିବେ ।

ନିର୍ବାଚନ ପୂବର୍ରୁ ବିରୋଧୀଙ୍କୁ ବିକାଶ ଓ ଜନ ବିରୋଧୀ କହି ଏକ ବଡ଼ ନେରେଟିଭ୍ ସୃଷ୍ଟି କରିବାକୁ ଚାହୁଁଛି ଶଙ୍ଖ ଦଳ । ଏହାକୁ ବିରୋଧୀ କେତେ ପ୍ରଭାବୀ ଢଙ୍ଗରେ କାଉଣ୍ଟର କରିପାରୁଛନ୍ତି ତାଉପରେ ନଜର ।

  • Reported by:
  • HARIHARA CHAND , JAGDISH DAS , SOUMYA RANJAN SAHOO