• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଛିଡୁଛି ବିଜେଡି, ବଢୁଛି ବିଜେପି । ଶଙ୍ଖ କ୍ୟାଂପ ଛାଡ଼ି ପଦ୍ମ ପୋଖରୀକୁ ନେତାଙ୍କ ଡିଆଁ ଜାରି ରହିଛି । ଆଜି ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେଡିରୁ ଇସ୍ତଫା ଦେଇ କାଲି ବିଜେପିରେ ମିଶିବେ ବୋଲି କହିଛନ୍ତି । ସେହିପରି ୪ ତାରିଖରେ ପଦ୍ମ ଧରିବେ ଧାମନଗରରେ ବିଜେଡିକୁ ପାନେ ଦେଇଥିବା ବିଦ୍ରୋହୀ ନେତା ରାଜୁ ଦାସ ।

ବିଜେଡିରେ ଏବେ ଘଳିଆ ପଡ଼ିଛି, ଆଗକୁ ଘାଇ ହେବ । କାରଣ ନେତାମାନେ ଦଳରେ ରୁନ୍ଧି ହୋଇଯାଇଛନ୍ତି ବୋଲି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ କହିଥିବାବେଳେ ବିଜେଡି ରଖିଛି ଜବାବ । ନିର୍ବାଚନ ଯେତିକି ପାଖୋଉଛି ଶଙ୍ଖ ପାର୍ଟିର ପୁରୁଖା ନେତାଙ୍କ ପଦ୍ମ ପୋଖରୀକୁ ଡେଇଁବାର ଧାରା ସେତିକି ଜୋର ଧରିଛି ।

ଆଜି ବିଜେଡି ଛାଡ଼ିଛନ୍ତି ଜୟଦେବ ବିଧାୟକ ଅରବିନ୍ଦ ଢାଲି । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ବି ଇସ୍ତଫା ଦେଇଥିବା ଦର୍ଶାଇ ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି ଇସ୍ତଫାପତ୍ର । ତା’ସହ ଆସନ୍ତାକାଲି ବିଜେପିରେ ସାମିଲ ହେବେ ବୋଲି ଗଣମାଧ୍ୟମକୁ ଖୋଲାଖୋଲି ପ୍ରତିକ୍ରୟା ଦେଇଛନ୍ତି ।

ଢାଲି କହିଛନ୍ତି-ସେ ଘର ବାହୁଡ଼ା କରିବେ । ତାଙ୍କୁ କଣ ଦାୟିତ୍ୱ ଦିଆଯିବ ଓ ନିର୍ବାଚନ ଲଢ଼ିବେ କି ନାହିଁ, ସେ ନିଷ୍ପତ୍ତି ଦଳ ନେବ । ତେବେ ବିଜେଡି କାହିଁକି ଛାଡ଼ିଲେ ? ସେକଥା କାଲି ସ୍ପଷ୍ଟ କରିବେ । ସେମିତି ଆସନ୍ତା ୪ ତାରିଖରେ ପଦ୍ମ ଧରିବାକୁ ଯାଉଛନ୍ତି ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଓରଫ୍ ରାଜୁ ଦାସ ।

ଇଏ ସେହି ରାଜୁ ଦାସ- ଯିଏ ଧାମନଗର ଉପନିର୍ବାଚନ ବେଳେ ବେଶ୍ ଚର୍ଚ୍ଚାରେ ଥିଲେ । ବିଜେଡି ତାଙ୍କୁ ଟିକଟ୍ ନଦେଇ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିବାରୁ ବିଦ୍ରୋହୀ ସାଜିଥିଲେ ରାଜୁ । ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିବାରୁ ବିଜେଡି ତାଙ୍କୁ ନିଲମ୍ବିତ କରିଥିଲା । ହେଲେ ନିର୍ବାଚନ ଲଢି ସେ ବିଜେଡି ଭୋଟ୍ ବିଭାଜନ କରିଦେବାରୁ ବିଜେପି ଧାମନଗର ଗଡ଼ ବଜାୟ ରଖିବା ସହ ବିଜୁ ଜନତା ଦଳର ଉପନିର୍ବାଚନ ଅପରାଜେୟ ରେକର୍ଡରେ ବି ବ୍ରେକ୍ ଲଗାଇ ପାରିଥିଲା ।

ଗତ ୧୦ ଦିନ ଭିତରେ ବିଜେପିରେ ସାମିଲ ହେଲେଣି ୫ ବଡ଼ ଚେହେରା । ଯାହାଙ୍କ ମଧ୍ୟରେ ଅଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ, ଗଁଦିଆର ପୂର୍ବତନ ବିଧାୟକ ନବୀନ ନନ୍ଦ ଓ ସାରସକଣାର ପୂର୍ବତନ ବିଧାୟକ ଭାଦୋବ ହାଁସଦା ।

ସେହିପରି ବିଜେଡି ଛାଡ଼ିଥିବା ତେଲକୋଇ ବିଧାୟକ ପ୍ରେମାନନ୍ଦ ନାଏକ ବି ବିଜେପିରେ ମିଶିବା ଚର୍ଚ୍ଚା ହେଉଛି । ଏପଟେ ନବୀନ ନିବାସ ଆଗରେ ବି ନିଇତି ଆଶାୟୀଙ୍କ ଭିଡ଼ ବଢି ଚାଲିଛି । କିଏ ଧନ୍ୟବାଦ ଆଳରେ ନିଜ ପତିଆରା ଦେଖାଇବାକୁ ଚେଷ୍ଟା କରୁଛି ତ ପୁଣି କିଏ ବାୟୋଡାଟା ଧରି ଆସିଛି । ଏମାନଙ୍କ ମଧ୍ୟରୁ ବି ଯାହାଙ୍କୁ ଟିକଟ ନମିଳେ ସେମାନେ ଦଳ ପାଇଁ ବିଦ୍ରୋହୀ ସାଜିପାରନ୍ତି ।

ସେପଟେ ଜଣକ ପରେ ଜଣେ ଶଙ୍ଖ ଦଳର ନେତା ଦଳ ଛାଡ଼ିବା ପ୍ରସଙ୍ଗରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପ୍ରତିକ୍ରିୟା ରଖି କହିଛନ୍ତି- ବିଜେଡିରେ ଘଳିଆ ପଡ଼ିଛି, ଧୀରେ ଧୀରେ ତାହା ଘାଇ ହେବାକୁ ଯାଉଛି । ବିଜେଡି ନେତାମାନେ ଦଳରେ ରୁନ୍ଧି ହୋଇଯାଇଛନ୍ତି, ନିଶ୍ୱାସ ନେଇ ପାରୁନାହାନ୍ତି । ସେମାନଙ୍କୁ କାମ କରିବାକୁ ଓ ଦଳୀୟ ନେତୃତ୍ୱ ନେବାକୁ ସୁଯୋଗ ମିଳୁନି ।

ସେପଟେ ଜବାବରେ ବିଜେଡି କହିଛି- ଯେଉଁ ନେତାମାନେ ଆଉ ଟିକେଟ୍ ପାଇବାର ସମ୍ଭାବନା ନାହିଁ ଓ ଦଳରୁ ତଡ଼ା ଖାଉଛନ୍ତି, ସେମାନଙ୍କୁ ବିଜେପି ନେଇ ଦଳରେ ମିଶାଉଛି । ଏବେ ଦେଖିବାର କଥା ଆଗକୁ ଆଉ କେତେ ଜଣ ବିଜେଡି କ୍ୟାଂପ୍ ଛାଡ଼ି ପଦ୍ମ ପୋଖରୀକୁ ଡିଆଁ ମାରୁଛନ୍ତି ?

  • Reported by:
  • JAGDISH DAS , SOUMYA RANJAN SAHOO , NIRANJAN REDDY