ଦିଲ୍ଲୀରେ ଜାରି ରହିଛି ବିଧାନସଭା ଭୋଟ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡରେ ଆପକୁ ପଛରେ ପକାଇ ବଡ ଲିଡ୍ କରୁଛି ବିଜେପି । ସମସ୍ତ ୭୦ ଆସନରେ କଂଗ୍ରେସର ପ୍ରାର୍ଥୀ ପଛୁଆ ଅଛନ୍ତି । ଯାହା ଦେଖିଲେ ଲାଗୁଛି ସତ ହୋଇଯିବ କି ଏକଜିଟ୍ ପୋଲ ! ଅନ୍ୟପଟେ ଦିଲ୍ଲୀ ନିର୍ବାଚନର ଏହି ଫଳାଫଳକୁ ନେଇ ଇଣ୍ଡି ମେଣ୍ଟରେ ଦେଖାଗଲାଣି ବିସ୍ଫୋରଣ । କଂଗ୍ରେସ ଓ ଆପ୍ ଅଲଗା ନିର୍ବାଚନ ଲଢିବା ଯୋଗୁଁ ବିଜେପିକୁ ଏପରି ଫାଇଦା ମିଳିଥିବା ଦୋଷ ଦେଲେଣି ମେଣ୍ଟ ସହଯୋଗୀ । ଭୋଟ ଗଣତି ମଧ୍ୟରେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ 'ଏକ୍ସ'ରେ ଟ୍ବିଟ୍ କରି ଆପ୍ ଓ କଂଗ୍ରେସକୁ ନିଶାଣା କରିଛନ୍ତି ।
ଇଣ୍ଡି ମେଣ୍ଟର ଅନ୍ୟତମ ସହଯୋଗୀ ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ଏକ୍ସରେ 'ମହାଭାରତ' ସିରିୟଲର ଏକ ସିନ୍ ସେୟାର କରି ଲେଖିଛନ୍ତି, 'ମନ ଭରି ଆହୁରି ଲଢେଇ କର' । ଓମାର ଏହି ଟ୍ୱିଟ୍ ଦିଲ୍ଲୀରେ କଂଗ୍ରେସ ଓ ଆପ୍ ଅଲଗା ଅଲଗା ନିର୍ବାଚନ ଲଢିବା ନିଷ୍ପତ୍ତିକୁ ନେଇ କରିଥିବା ସ୍ପଷ୍ଟ ଜଣାପଡୁଛି ।
ଅଧିକ ପଢନ୍ତୁ: କିଏ ଗଢ଼ିବ ଦିଲ୍ଲୀରେ ସରକାର; ଆରମ୍ଭ ହେଲା ଭୋଟ ଗଣତି।
ଉଲ୍ଲେଖଯୋଗ୍ୟ, ଉଭୟ କଂଗ୍ରେସ ଓ ଆପ୍ କେନ୍ଦ୍ରରେ ଇଣ୍ଡି ମେଣ୍ଟର ଅଂଶ । କିନ୍ତୁ ବିଧାନସଭା ନିର୍ବାଚନରେ ଏହି ମେଣ୍ଟ କାମ କରୁନି । ପ୍ରଥମେ ହରିୟାଣା ପରେ ଦିଲ୍ଲୀରେ କଂଗ୍ରେସ ଓ ଆପ୍ ପରସ୍ପର ବିରୋଧରେ ନିର୍ବାଚନ ଲଢିଛନ୍ତି ଏବଂ ଉଭୟ ସ୍ଥାନରେ ବିଜେପିକୁ ବଡ ଫାଇଦା ମିଳିଛି । ଏହାକୁ କେନ୍ଦ୍ର କରି ଦୁଇ ଦଳ ଉପରେ ରାଗି ଯାଇଛନ୍ତି ନ୍ୟାସନାଲ କନଫରେନ୍ସ ନେତା ତଥା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ।
ଏହି ରିପୋର୍ଟ ଲେଖା ହେଲା ବେଳକୁ ଦିଲ୍ଲୀର ମୋଟ ୭୦ ଆସନରୁ ବିଜେପି ୪୫ ଆସନରେ ଆଗୁଆ ରହିଛି । ଆପ୍ ମାତ୍ର ୨୫ ଆସନରେ ଲିଡ୍ କରୁଥିବାବେଳେ କଂଗ୍ରେସ ଶୂନ୍ୟରେ ରହିଛି । ଗଣତି ପୂର୍ବରୁ ଏକଜିଟ୍ ପୋଲରେ ମଧ୍ୟ ଦିଲ୍ଲୀରେ ଆପର ପରାଜୟ ଆକଳନ କରାଯାଇଥିଲା । ବଡ କଥା ହେଉଛି ମୁଖ୍ୟମନ୍ତ୍ରୀ ଆତିଶୀ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ଭଳି ହେଭିୱେଟ ଆପ୍ ନେତା ପଛରେ ପଡିଛନ୍ତି । ବର୍ତ୍ତମାନ ଟ୍ରେଣ୍ଡକୁ ଦେଖିଲେ ଏହି ଆକଳନ ସତ ହେବାକୁ ଯାଉଥିବା ଜଣାପଡୁଛି । ୨୭ ବର୍ଷ ପରେ ଏଥର ବିଜେପି ଦିଲ୍ଲୀର ସରକାର ଗଢିବା ନେଇ ଆଭାସ ମିଳୁଛି ।