• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଂଚାୟତ ନିର୍ବାଚନ ଫଳ ସ୍ପଷ୍ଟ ହେବାପରେ ଏବେ ବ୍ଲକ୍ ଦଖଲ ପାଇଁ କସରତ । ଆସନ୍ତା ୧୨ରେ ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ହେବ ତେଣୁ ଏବେଠାରୁ ସମିତି ସଭ୍ୟମାନଙ୍କୁ ଏକଜୁଟ୍ କରି ରଖିବାକୁ ଆରମ୍ଭ ହୋଇଗଲାଣି ପ୍ରୟାସ । ଏପରିକି ସମିତି ସଭ୍ୟମାନଙ୍କୁ ନିଜ ଅଞ୍ଚଳରେ ନରଖି ବାହାରେ ରଖାଯିବା ଭଳି ଖବର ବି ଆସୁଛି । ଏହାରି ଭିତରେ କଂଗ୍ରେସ ଓ ବିଜେପି ଅଭିଯୋଗ କରିଛନ୍ତି ଯେ, ବ୍ଲକ୍ ଅଧ୍ୟକ୍ଷ ପଦ ହାତେଇବା ଲାଗି ଶାସକ ଦଳ ଘୋଡ଼ା ବେପାର କରୁଛି । ତେବେ ବିଜେଡି ଏହାକୁ ଖଣ୍ଡନ କରିଛି ।

ବିଧାୟକଙ୍କ କ୍ୱାର୍ଟରରେ ପ୍ରବଳ ଗହଳି । ନୂଆ ସରପଂଚ, ସମିତି ସଭ୍ୟମାନଙ୍କର ଲାଗିଛି ଭିଡ଼ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ନିକଟରେ ବି ଏକାଠି ହୋଇଛନ୍ତି ଆଶାୟୀ । ଗହଳି ହେଉଛି ବ୍ଳକ୍ ଚେୟାରମ୍ୟାନ୍ ପଦ ପାଇଁ, କାହିଁକି ନା ମାର୍ଚ୍ଚ ୧୨ରେ ହେବାକୁ ଯାଉଛି ବ୍ଲକ ଚେୟାରମ୍ୟାନ ନିର୍ବାଚନ । କେଉଁ ଗୋଷ୍ଠୀକୁ ଅଧ୍ୟକ୍ଷ ପଦ ମିଳିବ, କାହା ପାଖରେ ଅଧିକ ସଂଖ୍ୟା ରହିଛି ତାକୁ ନେଇ ଚାଲିଛି ଅଙ୍କକଷା ।

ଯେମିତି ପୁରୀ କାକଟପୁର ନିର୍ବାଚନ ମଣ୍ଡଳୀର ଅସ୍ତରଙ୍ଗ ବ୍ଲକ । ଏଠାକାର ୧୫ଟି ପଂଚାୟତରେ ୬ ଜଣ ବିଜେଡି ସମର୍ଥିତ ସମିତ ସଭ୍ୟ ଜିତିଥିବା ବେଳେ ବିରୋଧୀ ହାତରେ ରହିଛନ୍ତି ୯ ସମିତି ସଭ୍ୟ । ସେହିପରି କାକଟପୁର ବ୍ଲକର ୧୬ଟି ପଂଚାୟତ ମଧ୍ୟରୁ ବିଜେଡି ସମର୍ଥିତ ୫ଜଣ, ବଳକା ୧୧ ଜଣ ବିରୋଧୀଙ୍କ ପାଖରେ ରହିଛନ୍ତି । ବିଜେଡିର ଭୟ କାଳେ ଦୁଇ ବ୍ଳକ୍ ହାତରୁ ଖସିଯିବକି ?

ସେପଟେ ନିମାପଡ଼ା ନିର୍ବାଚନ ମଣ୍ଡଳୀର ଗୋପ୍ ଓ ନିମାପଡ଼ା ବ୍ଲକ ଅଧ୍ୟକ୍ଷ ପଦ ଦଳ ହାତରେ ରହିବ ବୋଲି ଦାବି କରିଛନ୍ତି ମନ୍ତ୍ରୀ ସମୀର ଦାଶ । ତେଣେ କୋରାପୁଟ ବ୍ଲକ୍‌ରେ ଦେଖିବାକୁ ମିଳିଛି ରୋଚକ ସ୍ଥିତି । ଏଠାରେ ମୋଟ୍ ୧୪ ସମିତି ସଭ୍ୟ ଥିବା ବେଳେ ଉଭୟ ବିଜେଡି ଓ କଂଗ୍ରେସ୍ ଦାବି କରିଛନ୍ତି ସେମାନଙ୍କ ପାଖରେ ୭ଜଣ ଲେଖାଏଁ ସଦସ୍ୟଙ୍କ ସମର୍ଥନ ରହିଛି । ତେଣୁ ବ୍ଳକ୍ ଦଖଲ ପାଇଁ ଲାଗି ପଡ଼ିଛନ୍ତି ଉଭୟ ପକ୍ଷ । କୋରାପୁଟର ପୂର୍ବତନ ବ୍ଲକ ଅଧ୍ୟକ୍ଷା ନମିତା ମାଝୀଙ୍କ ଘରେ କଂଗ୍ରେସ ସମର୍ଥିତ ସଦସ୍ୟଙ୍କ ବୈଠକ ହୋଇ ରଣନୀତି ସ୍ଥିର ହୋଇଛି । ଗୋଟିଏ କି ଦୁଇଟି ବ୍ଲକରେ ନୁହେଁ ପ୍ରାୟ ସବୁଠି ଉଣା ଅଧିକେ ଏବେ ଏହି ପ୍ରକାର ସ୍ଥିତି ।

ସେପଟେ ବ୍ଲକ୍ ଅଧ୍ୟକ୍ଷ ପଦ ଲାଗି ଘୋଡ଼ା ବେପାର ଚାଲିଥିବା ବିରୋଧୀ ଅଭିଯୋଗ କରିଛନ୍ତି । ସମିତି ସଭ୍ୟମାନଙ୍କୁ ୫ରୁ ୧୦ ଲକ୍ଷ ଟଙ୍କା ଦିଆଯାଉଥିବା ଅଭିଯୋଗ କରିଛି କଂଗ୍ରେସ୍ । ବିଜେପି ମଧ୍ୟ ଆର୍ଥିକ ପ୍ରଲୋଭନ ଦେଖାଉଥିବା ଅଭିଯୋଗ କରିଥିବାବେଳେ ବିଜେଡି ଏହାକୁ ଖଣ୍ଡନ କରିଛି ।

ସେପଟେ ୧୩ ତାରିଖରେ ହେବ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ । ସଂଖ୍ୟା ଦୃଷ୍ଟିରୁ ସମସ୍ତ ୩୦ ଜିଲ୍ଲାରେ ବିଜେଡି ହିଁ ଅଧ୍ୟକ୍ଷ ପଦ ପାଇବ । ତେବେ କେଉଁ ଜିଲ୍ଲାରେ କିଏ ଚେୟାରମ୍ୟାନ୍ ହେବେ ସେନେଇ ନିଜ ଅଂଚଳର ବିଧାୟକ, ଜିଲ୍ଲା ସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକ ଓ ସଙ୍ଗଠନ ସଂପାଦକଙ୍କ ପାଖରେ ଲବି ଆରମ୍ଭ କରିଦେଲେଣି ଆଶାୟୀ । ଏହାକୁ ନେଇ ଜିଲ୍ଲା ସ୍ତରରେ ଚାଲିଛି ଟଣାଓଟରା । ବାଲେଶ୍ୱର ଜିଲ୍ଲାରେ ୩୯ଟି ଜୋନ୍‌ରେ ବିଜେଡି ବିଜୟ ଲାଭ କରିଛି । ଏଠାରେ ଅଧ୍ୟକ୍ଷ ପଦ ଲାଗି ରେସ୍‌ରେ ଅଛନ୍ତି ୩୪ ନମ୍ବର ଜୋନର୍ ସଦସ୍ୟା ନିବେଦିତା ମହାନ୍ତି । ୨୯ ନମ୍ବର ଜୋନ୍‌ର ନାରାୟଣ ପ୍ରଧାନ ଓ ୧୩ ନମ୍ବର ଜୋନ୍‌ର ଗତିକୃଷ୍ଣ ନନ୍ଦ ।