Advertisment

ପୌର ପରୀକ୍ଷାରେ ବିଜେଡିକୁ ଟେନସନ୍ ବିଦ୍ରୋହୀ ପ୍ରାର୍ଥୀ

ଦଳ ଭିତରେ ଅନ୍ତଦ୍ୱନ୍ଦ୍ୱ ପ୍ରତିଦିନ ସାମ୍ନାକୁ ଆସୁଛି।

author-image
Chandan Shishu
Odisha ULB Polls

Odisha ULB Polls

ବିଜେଡିକୁ ଘାରିଛି ବିଦ୍ରୋହୀ ଚିନ୍ତା। ପ୍ରତିଦିନ କିଛି ନା କିଛି ନେତାଙ୍କୁ ନିଲମ୍ବନ କରୁଛି ଦଳ କାରଣରେ ଦର୍ଶାଯାଉଛି, ଦଳ ବିରୋଧୀ କାର୍ଯ୍ୟ ପୌର ନିର୍ବାଚନ ସମୟରେ ତିନି ମହାନଗର ନିଗମ ସମେତ ସାରା ରାଜ୍ୟରୁ ସ୍ଥାନୀୟ ନେତାଙ୍କୁ ସସପେଣ୍ଡ କରାଯାଉଛି। ଭୁବନେଶ୍ୱର 37 ନମ୍ବର ଓ୍ୱାର୍ଡରୁ ଅର୍ଜୁନ ବେହେରାଙ୍କ ପତ୍ନୀ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ପ୍ରାର୍ଥିପତ୍ର ପ୍ରତ୍ୟାହାର ଲାଗି ଦଳ ବୁଝେଇଥିଲେ ବି ଅର୍ଜୁନ ଶୁଣିନଥିଲେ। ଫଳସ୍ବରୂପ ତାଙ୍କୁ  ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ସମ୍ପାଦକ ପଦରୁ ନିଲମ୍ବନ କରିଛି ଦଳ।

Advertisment

ଖାଲି ସେ ନୁହଁନ୍ତି, ଓ୍ୱାର୍ଡ ନମ୍ବର 41ର ମମତା ସାହୁ, ବନଜା ମହାନ୍ତିଙ୍କୁ ବି ଦଳ ବିରୋଧୀ କାର୍ଯ୍ୟ ଲାଗି ବିଜୁ ମହିଳା ଜନତା ଦଳରୁ ନିଲମ୍ବିତ କରାଯାଇଛି। ୟା ଭିତରେ ରାଜଧାନୀର ପ୍ରାୟ ୨୦ ନେତାଙ୍କୁ ଦଳ ନିଲମ୍ବନ କରିସାରିଲାଣି। କଟକରେ ବି ସମାନ ସ୍ଥିତି। ୯ ନମ୍ବର ଓ୍ୱାର୍ଡର ପୂର୍ବତନ ପୂର୍ବତନ ବିଜେଡି କର୍ପୋରେଟର ବିକାଶ ବେହେରା ସ୍ୱାଧୀନ ଭାବେ ନିର୍ବାଚନ ଲଢୁଥିବାରୁ ତାଙ୍କୁ ବି ନିଲମ୍ବନ କରାଯାଇଛି।

ସେହିପରି କଟକ ଯୁବ ବିଜେଡି ସଭାପତି ତଥା ରାଜ୍ୟ ଯୁବ ବିଜେଡିର ପୂର୍ବତନ ଉପସଭାପତି ମନୋଜିତ ଦାସ ଦଳ ବିରୋଧୀ କାର୍ଯ୍ୟ ପାଇଁ ସସପେଣ୍ଡ ହୋଇଛନ୍ତି। ୩୯ ନମ୍ବର ଓ୍ୱାର୍ଡ ପ୍ରାର୍ଥୀ ଲୋକନାଥ ଲେଙ୍କାଙ୍କୁ ବିଜେଡି ପ୍ରଥମେ ଟିକେଟ ଦେଇଥିବାବେଳେ ପରେ ତାଙ୍କଠାରୁ ଟିକଟ ପ୍ରତ୍ୟାହାର କରିବା ସହ ତାଙ୍କୁ ମଧ୍ୟ ଦଳରୁ ସସ୍ପେଣ୍ଡ କରାଯାଇଛି। ସ୍ବାଧୀନ ପାର୍ଥୀ ଭାବେ ସେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଭଦ୍ରକ ଓ କେନ୍ଦ୍ରାପଡ଼ାରେ ମଧ୍ୟ ବିଦ୍ରୋହୀ ପ୍ରାର୍ଥୀ ଓ ସମର୍ଥକଙ୍କୁ ଦଳ ନିଲମ୍ବନ କରିଛି।

Advertisment

ପୌର ନିର୍ବାଚନରେ ପ୍ରତି ଦଳର ଅନେକ ବିଦ୍ରୋହୀ କ୍ୟାଣ୍ଡିଡେଟ୍ ସାମ୍ନାକୁ ଆସିଛନ୍ତି। ହେଲେ ସର୍ବାଧିକ ଶାସକ ଦଳର ଯାହାକୁ ମ୍ୟାନେଜ୍ କରିବା ଦଳ ପାଇଁ କାଠିକର ପାଠ ହୋଇଛି। ଏପରିକି ଯେଉଁମାନଙ୍କୁ ଦଳ ଆମଦାନୀ କରି ଆଣିଥିଲେ ସେମାନେ ଅମାନିଆ ହେବାରୁ ତାଙ୍କୁ ବି ଦଳ ନିଲମ୍ବନ କରୁଛି। ଅନ୍ୟପଟେ ଯେଉଁମାନେ ଦଳର ଶୃଙ୍ଖଳା ଭିତରେ ନରହିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ଏବଂ ଏହା ଲୋକଙ୍କ ଉପରେ କିଛି ପ୍ରଭାବ ପକାଇବନି ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ତେବେ ରାଜନୈତିକ ସମୀକ୍ଷକଙ୍କ ମତରେ ବିଜେଡି ଏକ ଶୃଙ୍ଖଳିତ ଦଳ ବୋଲି ଯାହା ଦଳର ନେତାମାନେ ସବୁବେଳେ କୁହନ୍ତି ତାହା ବାସ୍ତବତା ନୁହେଁ ବୋଲି ଘନ ଘନ ନିଲମ୍ବନରୁ ସ୍ପଷ୍ଟ ହୋଇଛି।

ପୌର ପରୀକ୍ଷା ପୂର୍ବରୁ ବିଜେଡି ଦଳୀୟ ଶୃଙ୍ଖଳାକୁ ଗୁରୁତ୍ୱ ଦେଉଛି ହେଲେ ଦଳ ଭିତରେ ଅନ୍ତଦ୍ୱନ୍ଦ୍ୱ ପ୍ରତିଦିନ ସାମ୍ନାକୁ ଆସୁଛି। ଯାହାକି ଫଳାଫଳ ଉପରେ ପ୍ରଭାବ ପକାଇବାର ଆଶଙ୍କା ଥିବାରୁ ଦଳର ଚିନ୍ତା ବଢି ଯାଇଛି।

ରିପୋର୍ଟ: ଦେବାଶିଷ ମହାନ୍ତି, କପିଳେନ୍ଦ୍ର ପ୍ରଧାନ ଓ ଜଗଦୀଶ ଦାସ

Odisha Municipal Election Municipal Elections 2022
Advertisment
Advertisment