• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କ ଆଉ ଏ ରେକର୍ଡ। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କୁ ପଛରେ ପକାଇ ପାଲଟିଲେ ଦେଶର ଦ୍ବିତୀୟ ସର୍ବାଧିକ ଅବଧିର ମୁଖ୍ୟମନ୍ତ୍ରୀ। ଏବେ ତାଙ୍କ ଆଗରେ କେବଳ ସିକ୍କିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ ଚାମଲିଙ୍ଗ। ଦଳର ଆଶା 24 ନିର୍ବାଚନ ଜିତି ଲଗାତର ଷଷ୍ଠଥର ମୁଖ୍ୟମନ୍ତ୍ରୀ ପଦରେ ବସିବା ସହ ଚାମଲିଙ୍ଗଙ୍କ ରେକର୍ଡ ବି ଭାଙ୍ଗିଦେବେ ନବୀନ। ହେଲେ ବିରୋଧୀଙ୍କ ଅଭିଯୋଗ ମୁଖ୍ୟମନ୍ତ୍ରୀ ଭାବେ ନବୀନ ରେକର୍ଡ ପରେ ରେକର୍ଡ ତ ଭାଙ୍ଗୁଛନ୍ତି, କିନ୍ତୁ ତାଙ୍କ ହାତରେ ଆଉ ପାୱାର ଅଛି ତ ? 

ନବୀନଙ୍କ ନାଁରେ ଆଉ ଏକ ନବୀନ ରେକର୍ଡ। ରାଜନୈତିକ କ୍ୟାରିୟରରେ ପୁଣି ନୂଆ ଏକ ଫର୍ଦ୍ଦ। ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ରହିବାରେ ଦେଶରେ ନମ୍ବର 2ରେ ନବୀନ। ପଛରେ ପଡ଼ିଲେ ଜ୍ୟୋତି ବସୁ, ଆଗରେ କେବଳ ପୱନ ଚାମଲିଙ୍ଗ୍ ଆଜି ହିଁ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଶ୍ଚିମବଙ୍ଗରେ ସିପିଏମର ୩୪ ବର୍ଷର ଶାସନ କାଳରେ ଜ୍ୟୋତି ବସୁ ୧୯୭୭ରୁ ୨ ହଜାର ମସିହା ପର୍ଯ୍ୟନ୍ତ ଲଗାତର ୨୩ ବର୍ଷ ୧୩୮ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହି ରେକର୍ଡ କରିଥିଲେ। ଯାହାକୁ ପରବର୍ତ୍ତୀ ସମୟରେ ଭାଙ୍ଗି ଦେଇଥିଲେ ସିକ୍କିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ ଚାମଲିଙ୍ଗ୍।

୧୯୯୪ ଡିସେମ୍ବର ୧୨ରୁ ୨୦୧୯ ମେ ୨୭ ତାରିଖ ପର୍ଯ୍ୟନ୍ତ ମୋଟ ୨୪ ବର୍ଷ ୧୬୬ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହି ସର୍ବକାଳୀନ ରେକର୍ଡ କରିଥିଲେ ସେ। ଯାହାକି ଆଜି ବି ଅତୁଟ ରହିଛି। ହେଲେ ଓଡ଼ିଶାରେ ୨ ହଜାର ମାର୍ଚ୍ଚ ୫ ତାରିଖରୁ ନିଜ ମୁଖ୍ୟମନ୍ତ୍ରୀ ଇନିଂସ ଆରମ୍ଭ କରିଥିବା ନବୀନ କିନ୍ତୁ ଜ୍ୟୋତି ବସୁଙ୍କୁ କାଟି ଏବେ ଦ୍ୱିତୀୟ ଲମ୍ବା ଅବଧି ସିଏମର ସୌଭାଗ୍ୟ ଅର୍ଜିଛନ୍ତି। ନଟ୍ଆଉଟ୍ ରହି ଆଗକୁ ବି ବଢୁଛନ୍ତି। ତେବେ ଆଗରେ ଥିବା ପୱନ ଚାମଲିଙ୍ଗଙ୍କ ରେକର୍ଡ ଭାଙ୍ଗିବାକୁ ଆଉ ଦରକାର ମାତ୍ର ୧୩ ମାସର ସମୟ। ହେଲେ ଆଗକୁ 24 ନିର୍ବାଚନ। କିନ୍ତୁ ବିଜେଡିର ଆଶା, ଷଷ୍ଠ ଥର ପାଇଁ ବି ନବୀନଙ୍କ ନେତୃତ୍ବରେ ବିଜେଡି କ୍ଷମତାକୁ ଆସିବ। ଆଉ ଚାମଲିଙ୍ଗଙ୍କ ରେକର୍ଡ ଭାଙ୍ଗି ସର୍ବକାଳୀନ ନବୀନ ରେକର୍ଡ କରିବେ ନବୀନ।

ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ଏ ନୂଆ ରେକର୍ଡରେ ବିଜେଡି ଶିବିରରେ ତ ବେଶ୍ ଉତ୍ସାହ। ହେଲେ ବିରୋଧୀ କିନ୍ତୁ ନବୀନଙ୍କ 23 ବର୍ଷର ଶାସନ କାଳରୁ ଶେଷ ପାଳିର ଶାସନକୁ ତର୍ଜମା କରି ସରକାରଙ୍କୁ ଘେରିଛନ୍ତି। ରେକର୍ଡ ପରେ ରେକର୍ଡ ଭାଙ୍ଗୁଥିବା ମୁଖ୍ୟମନ୍ତ୍ର୍ରୀଙ୍କ ହାତରେ ଆଉ କ୍ଷମତା ଅଛି ତ ବୋଲି ପ୍ରଶ୍ନ କରିଛନ୍ତି। ବାରମ୍ବାର ବାବୁ ରାଜ୍ କଥା ଉଠାଇ କେତେବେଳେ ଗୃହବନ୍ଦୀ ତ କେତେବେଳେ ସିଏମଙ୍କ ହାତରୁ କ୍ଷମତା ହାଇଜାକର ଅଭିଯୋଗ ଆଣୁଥିବା ବିଜେପି କହିଛି କିଏ କେତେ ଲମ୍ବା ସମୟ ପଦରେ ରହିବା ବଡ଼ କଥା ନୁହେଁ, କିଏ କେତେ କମ ସମୟ ରହି ଇତିହାସ ରଚିଲା ତାହାହିଁ ବଡ଼ କଥା। କଂଗ୍ରେସ ବି ଅନୁରୂପ ଢଙ୍ଗରେ ଟାର୍ଗେଟ୍ କରିଛି। 

ବିଜୁବାବୁଙ୍କ ଦେହାନ୍ତ ପରେ ତାଙ୍କରି ନାଁରେ ୧୯୯୭ରେ ଗଢ଼ା ହୋଇଥିବା ବିଜୁ ଜନତା ଦଳର ଲଗାତର ନେତୃତ୍ବ ନେବା ସହ କ୍ରମାଗତ ନିର୍ବାଚନ ଜିତି ମୁଖ୍ୟମନ୍ତ୍ରୀ ହୋଇ ଆସୁଛନ୍ତି ନବୀନ ପଟ୍ଟନାୟକ। ତେବେ ବଡ଼ କଥା ହେଉଛି ଯାହାଙ୍କ ନାଁ ଓ ଲିଗାସିକୁ ନେଇ ବିଜେଡି ଆଗକୁ ବଢିଚାଲିଛି, ସେହି ବିଜୁ ବାବୁ କିନ୍ତୁ ମୁଖ୍ୟମନ୍ତ୍ରୀ ଭାବେ ଏତେ ଲମ୍ବା ସମୟ କାର୍ଯ୍ୟକରିବାର ସୁଯୋଗ ନପାଇ ବି ପ୍ରବାଦ ପୁରୁଷ ଭାବେ ଲୋକଙ୍କ ହୃଦୟରେ ଅଛନ୍ତି।