Advertisment

ସବୁଠି ମାଳମାଳ ଆଶାୟୀ, ଅକଳରେ ନେତା

ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ଟାଣୁଆ ବିଧାୟକମାନେ ମଧ୍ୟ ସରପଂଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ନାଁ ନିଜେ ଘୋଷଣା କରୁଥିବା ଦେଖିବାକୁ ମିଳୁଛି।

author-image
Chandan Shishu
Panchayat Election

Panchayat Election

ଭୁବନେଶ୍ୱର: ସରି ସରି ଆସୁଛି ନାମାଙ୍କନ ପତ୍ର ଦାଖଲ ସମୟ। ହାତରେ ମାତ୍ର ଦୁଇ ଦିନ ହେଲେ ଅଧିକାଂଶ ସ୍ଥାନରେ ସରପଞ୍ଚ ପ୍ରାର୍ଥୀଙ୍କୁ ନେଇ ଛିଣ୍ଡୁନି ଅଙ୍କ।ଏକାଧିକ ଦାବିଦାର ଥିବାରୁ ଗୋଳିଆ ହେଉଛି ଗାଁ ରାଜନୀତି। ଏ ଯେମିତି ବାଲେଶ୍ୱର ଜିଲ୍ଲାର ବିରୁହାଁ ପଂଚାୟତ। ଏଠି ରେମୁଣା ବିଜେଡି ବିଧାୟକ ସୁଂଧାଶୁ ଶେଖର ପରିଡ଼ା ଦିଲୀପ କୁମାର ଦାସଙ୍କୁ ସରପଂଚ ପ୍ରାଥୀ ଭାବେ ସମର୍ଥନ କରୁଥିବା ବେଳେ ଜିଲ୍ଲା ବିଜେଡି  ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ବଂଶୀଧର ପଣ୍ଡାଙ୍କୁ  ସପୋର୍ଟ କରୁଛନ୍ତି। ଯାହା ଜଳଜଳ ଦିଶୁଛି ଉଭୟ ଆଶାୟୀଙ୍କ ହୋର୍ଡିଂରୁ। ବିଧାୟକଙ୍କ ସମର୍ଥିତ ଦିଲୀପ ଦାସଙ୍କ ହୋଡିଂରେ ସୁଧାଂଶୁ ପରିଡ଼ା ଓ ବଂଶୀଧର ପଣ୍ଡାଙ୍କ ହୋର୍ଡିଂରେ କେବଳ ରବୀନ୍ଦ୍ର ଜେନାଙ୍କ ଫଟୋ ରହିଛି। ବଂଶୀଧର ଆଜି ସରପଞ୍ଚ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଆସନ୍ତାକାଲି ଦିଲୀପ ଦାସ ନାମାଙ୍କନ ଭରିବେ ବୋଲି ଜଣାପଡ଼ିଛି।

Advertisment

ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ କିନ୍ତୁ ଫର୍ମୁଲା ଅଲଗା। ଏଠି ଶଙ୍ଖ ଚିହ୍ନଥିବା ବିଜେଡି ଲେଟର ପ୍ୟାଡ୍‌ରେ ସରପଂଚ ଓ ସମତି ସଭ୍ୟ ଆଶାୟୀ ପ୍ରାର୍ଥୀଙ୍କ ନାଁ ରହିଛି। ତିର୍ତ୍ତୋଲ ବିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳ କିଛି ପ୍ରାର୍ଥୀଙ୍କୁ ଦଳ ମନୋନୀତ କରିଥିବା ସଂପର୍କରେ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ଏଭଳି ଲେଟର୍ ପ୍ୟାଡ୍‌ରେ ଜଣାଇଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଉଭୟ ଗଙ୍ଗାଧର ଓ ବିଜୟ ଏହା ଫେକ୍ ବୋଲି କହିଛନ୍ତି।

ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ଟାଣୁଆ ବିଧାୟକମାନେ ମଧ୍ୟ ସରପଂଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ନାଁ ନିଜେ ଘୋଷଣା କରୁଥିବା ଦେଖିବାକୁ ମିଳୁଛି। ଖୋଦ୍ ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ମୁରୁନ୍ଦପୁର ପାଟଣା ପଂଚାୟତର ସରପଂଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ଯାହା ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ବୋଲି ଅଭିଯୋଗ ହୋଇଛି।

Advertisment

ସେପଟେ ପାରାଦ୍ୱୀପ ବିଜେଡି ବିଧାୟକ ସମ୍ବିତ ରାଉତରାୟଙ୍କ ସ୍ୱାକ୍ଷର ଓ ଦଳୀୟ ଚିହ୍ନ ଥାଇ ବାଲିଆ ପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀଙ୍କ ନାଁ ଘୋଷଣା କରାଯାଇଛି। ଖାଲି ସେତିକି ନୁହେଁ ପାରାଦୀପଗଡ଼ ପଞ୍ଚାୟତରେ ନାମାଙ୍କନପତ୍ର ଦାଖଲ ବେଳେ ବିଜେଡି ବ୍ୟାନର୍ ସହ ଶୋଭାଯାତ୍ରା ବାହାର କରାଯାଇଥିଲା। ଏଠାରେ କୋଭିଡ୍ ଓ ନିର୍ବାଚନ କଟକଣା ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ଖାଲି ଗୋଟିଏ-ଦୁଇଟି ସ୍ଥାନ ନୁହେଁ, ସାରା ରାଜ୍ୟରେ ସରପଂଚ କ୍ୟାଣ୍ଡିଡେଟ୍‌ଙ୍କୁ ନେଇ ଏବେ ଟେନସନ୍‌ରେ ସ୍ଥାନୀୟ ନେତା।

ସରପଂଚଙ୍କ ହାତରେ ଅଧିକ କ୍ଷମତା ଓ ବିଭିନ୍ନ ଯୋଜନା ବାବଦରେ ମୋଟା ଅନୁଦାନ ଆସୁଥିବା ଦୃଷ୍ଟିରୁ ଏହି ପଦ ବେଶ୍ ଲାଭଦାୟକ। ତେଣୁ ଆଶାୟୀ ସଂଖ୍ୟା  ବି ଢେର୍ ଅଧିକ। ଖାସ୍ ଏହି କାରଣରୁ ଜିଲ୍ଲା ପରିଷଦ ଜୋନ୍ ଓ ସମିତି ସଭ୍ୟ ବଦଳରେ ସରପଞ୍ଚ ପ୍ରାର୍ଥୀ ହେବାକୁ ଏବେ ସମସ୍ତଙ୍କ ଲକ୍ଷ୍ୟ।

ରିପୋର୍ଟ: ଶଶାଙ୍କ ଶେଖର ପଣ୍ଡା, ରମାକାନ୍ତ ନାୟକ, ରଶ୍ମିରଞ୍ଜନ ଦାସ ଓ  ହରିହର ଚାନ୍ଦ

EC Odisha Panchayat Election
Advertisment
Advertisment