ରାଜ୍ୟରେ ମୋହନ ଚରଣ ମାଝିଙ୍କ ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଇତି ମଧ୍ୟରେ କ୍ଷମତାରେ ଦୁଇ ମାସ ପୂର୍ଣ୍ଣ କରିବା ପାଇଁ ଯାଉଛି । ଏହା ମଧ୍ୟରେ ଦଳ ନିର୍ବାଚନ ପୂର୍ବରୁ ଦେଇଥିବା କିଛି ପ୍ରମୂଖ ପ୍ରତିଶ୍ରୁତି ପାଳନ କରିସାରିଛି ଏବଂ ଆଉ କିଛି ପ୍ରତିଶ୍ରୁତି ରକ୍ଷା କରିବା ପାଇଁ ନିଷ୍ପତି ନେଇସାରିଛି । ବିଜେପିର ପ୍ରତିଶ୍ରୁତି ମୁତାବକ ରାଜ୍ୟ ସରକାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିସାରିଛନ୍ତି । ଏହା ଛଡ଼ା ଶ୍ରୀମନ୍ଦିର ରତ୍ନଭଣ୍ଡାର ମଧ୍ୟ ଖୋଲା ସରିଛି ।
ପ୍ରଶାସନିକ କ୍ଷେତ୍ରରେ ମଧ୍ୟ ମୋହନ ମାଝି ସରକାର ବେଶ୍ ଦାମ୍ଭିକତାର ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଅନ୍ୟାନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଦଶନ୍ଧି ଦଶନ୍ଧି ଧରି ଗାଦିମାଡି ବସିଥିବା ‘ପାଣ୍ଡିଆନ ମାର୍କା’ ଅଧିକାରୀଙ୍କୁ ଗୋଟିଏ ପରେ ଗୋଟିଏ ହଟାଇ ସେମାନଙ୍କ ସ୍ଥାନରେ ନୂଆ ତଥା ସ୍ୱଚ୍ଛ ଓ ଦକ୍ଷ ଅଧିକାରୀଙ୍କୁ ନିଯୁକ୍ତି ଦେବା ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି ।
ମୋହନ ମାଝିଙ୍କ ସରକାରରେ ଅନେକ ମନ୍ତ୍ରୀ ସମ୍ପୂର୍ଣ୍ଣ ନୂଆ । ଅନୁଭୂତି ଓ ଅଭିଜ୍ଞତା ଆହରଣ ଲାଗି ସେମାନଙ୍କୁ ଢେର ସମୟ ଲାଗିବ । ଏହା ମଧ୍ୟରେ ଜୁଲାଇ ୨୨ ତାରିଖ ଦିନ ଠାରୁ ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ଗତ ମାସ୨୩ ତାରିଖ ଦିନ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ନିଜ ସରକାରର ପ୍ରଥମ ବାର୍ଷିକ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟ୍ର ଆକାର ଓ ବ୍ୟୟ ବ୍ୟବସ୍ଥା ଉପରେ ବିରୋଧୀ ବିଜୁ ଜନତା ଦଳ ଓ କଂଗ୍ରେସ୍ ଦଳର ନେତାମାନଙ୍କ ସମେତ ସାଧାରଣ ଜନତା ମଧ୍ୟ ବେଶ୍ ଉତ୍ସୁକତାର ସହିତ ନଜର ରଖିଥିଲେ । ପୂର୍ବ ଘୋଷଣା ମୁତାବକ ଶୁଭଦ୍ରା ଯୋଜନା, ଭତ୍ତା ବୃଦ୍ଧି ଓ ଧାନର ସହାୟକ ମୂଲ୍ୟ ବୃଦ୍ଧି ବାବଦରେ ସରକାର ଏହି ୨ଲକ୍ଷ୬୫ ହଜାର କୋଟି ଟଙ୍କା ବଜେଟ୍ରେ ଅର୍ଥ ବ୍ୟୟବରାଦ କରିଛନ୍ତି ।
ବର୍ତ୍ତମାନ ପାଇଁ କିଛି ଦିନ ବିରତିରେ ଥିବା ଚଳିତ ବିଧାନସଭା ଅଧିବେଶନର ଏପର୍ଯ୍ୟନ୍ତ କାର୍ଯ୍ୟ ଦିବସଗୁଡିକରେ ଯଦି ଆମେ ଉଭୟ ଶାସକ ଓ ବିରୋଧୀମାନଙ୍କର କାର୍ଯ୍ୟଧାରାକୁ ଦେଖିବା ତେବେ ଆମେ କହିପାରିବା ଯେ ପ୍ରଥମ ଦୁଇତିନି ଦିନ ଛାଡି ଦେଲେ, ଏହା ମୋଟାମୋଟି ଭାବରେ ଶୃଙ୍ଖଳିତ ଢଙ୍ଗରେ ଚାଲିଛି । ପ୍ରଥମରୁ ବିଜେପି ପାଇଁ ବେଶ୍ ଆହ୍ୱାନଭରା ଲାଗୁଥିବା ଏହି ଅଧିବେଶନରେ ଶକ୍ତିଶାଳୀ ବିରୋଧୀ ବିଜେଡି ଓ କଂଗ୍ରେସକୁ ଦଳ ବେଶ୍ ଭଲଭାବରେ ସମ୍ମୁଖୀନ ହୋଇଛି । ବିଜେଡିର ୫୧ ଓ କଂଗ୍ରେସର ୧୪ ସଦସ୍ୟ ବିଜେପିକୁ ବିଭିନ୍ନ ପ୍ରସଙ୍ଗରେ ଅକଳରେ ପକାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଜେପିର ନବୀନ ବିଧାୟକ ଓ ମନ୍ତ୍ରୀମାନେ ଠିକଣା ଢଙ୍ଗରେ ଗୃହ ଭିତରେ ସମ୍ଭାଳିବାରେ ସମର୍ଥ ହୋଇଛନ୍ତି ।
ଏଠାରେ ଗୋଟିଏ କଥା ସ୍ପଷ୍ଟ ଭାବରେ କୁହାଯାଇପାରେ ଯେ ବିରୋଧୀମାନଙ୍କୁ ଚେକ୍ ଦେବା ପାଇଁ ଶାସକ ଦଳ ଯେଉଁ ଅସ୍ତ୍ରକୁ ପ୍ରଭାବୀ ଢଙ୍ଗରେ ବ୍ୟବହାର କରୁଛି, ତାହା ହେଲା ଦୃଢ ନୈତିକ ମନୋବଳ ଓ ବ୍ୟାପକ ବିଷୟଭିତ୍ତିକ ପ୍ରସ୍ତୁତି । ମନ୍ତ୍ରୀମାନଙ୍କ ଠାରୁ ଆରମ୍ଭ କରି ବିଜେପି ଦଳର ବିଧାୟକମାନେ ବିଭିନ୍ନ ବିଭାଗ ସମ୍ପର୍କରେ ଭଲଭାବରେ ତୁଙ୍ଗ ନେତାଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା କାରଣରୁ ଅଭିଜ୍ଞତାର ଅଭାବ ସେମିତି ଭାବେ ଗୃହ ଭିତରେ ପରିଦୃଶ୍ୟମାନ ହୋଇନାହିଁ ।
ଏବେ ଗୋଟିଏ ବିଚିତ୍ର ସ୍ଥିତି ଦେଖାଯାଉଛି । ବିଧାନସଭା ଭିତରେ ଶାସକ ଦଳ ଅପେକ୍ଷା ମୁଖ୍ୟ ବିରୋଧୀ ବିଜୁ ଜନତା ଦଳ ବା ବିଜେଡି ବର୍ତମାନ ସବୁଠାରୁ ଅଧିକ ଆହ୍ୱାନର ସମ୍ମୁଖୀନ ହେଉଛି । ଦୀର୍ଘ ୨୪ ବର୍ଷରୁ ଉର୍ଦ୍ଧ ଶାସନରେ ରହିଥିବା ଏହି ଦଳ ବର୍ତମାନ ଯେଉଁ ପ୍ରସଙ୍ଗରେ ସରକାରକୁ ଘେରିବା ପାଇଁ ଚେଷ୍ଟା କରୁଛି, ନିଜେ ସେହି ପ୍ରସଙ୍ଗରେ ଖାଲରେ ପଡୁଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଇତ୍ୟାଦି କ୍ଷେତ୍ରରେ ଯେଉଁ ପ୍ରଶ୍ନ ବିଜେଡି ଉଠାଉଛି, ସେହି ପ୍ରସଙ୍ଗଗୁଡିକରେ ଶାସକ ଦଳ ଓଲଟା କୋଣଠେସା କରିବା ଲାଗ ଭରପୂର ଚେଷ୍ଟା କରୁଥିବା ଦେଖାଯାଉଛି ।
ବିଗତ ୨୪ ବର୍ଷର ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ପ୍ରାୟ ପ୍ରତ୍ୟେକ ବିଭାଗର କାର୍ଯ୍ୟାବଳୀ ଓ କାର୍ଯ୍ୟପଦ୍ଧତି ସବୁ କିଛି ଅସଜଡା ଓ ବିପର୍ଯ୍ୟସ୍ତ ହୋଇପଡିଛି । ୫ଟି ବାହାନାରେ ଭୈରଭ କାର୍ତିକ ପାଣ୍ଡିଆନଙ୍କ ହସ୍ତକ୍ଷେପ ଏବଂ ଏ ନେଇ ନବୀନଙ୍କ ତାଙ୍କୁ ଦୃଢ ଭାବରେ ସମର୍ଥନ ଦେବା ସମଗ୍ର ସରକାରୀ ବ୍ୟବସ୍ଥାକୁ ସ୍ଥାଣୁ କରିଦେଇଥିଲା । ୫ଟି ସଚିବଙ୍କ ଡରରେ ବହୁ ବିଭାଗର ସଚିବ ଠାରୁ ଆରମ୍ଭ କରି କୌଣସି ନୂଆ ପଦକ୍ଷେପ ନେବାକୁ ଡରୁଥିଲେ । ଏହାବ୍ୟତୀତ ସେମାନଙ୍କ ବିବେକ ବିରୋଧରେ ଯାଇ ସେମାନେ ଏମିତି କିଛି କାର୍ଯ୍ୟକରୁଥିଲେ ଯାହା ଅନୈତିକ ବୋଲି ପରିଗଣିତ ହେଉଥିଲା ।
ଏଠାରେ ଶିକ୍ଷା ଓ ସ୍ୱାସ୍ଥ୍ର ବିଭାଗର କାର୍ଯ୍ୟାବଳୀ ଓ ପାରଦର୍ଶିତା ଉପରେ ସମ୍ୟକ୍ ଆଲୋକପାତ କରାଯାଇପାରେ । ୫ଟି ନାମରେ ଶିକ୍ଷା ବ୍ୟବସ୍ଥାକୁ ସଜାଡିବା କଥା କୁହାଗଲା । କିଛି ସ୍କୁଲ ଗୃହ ସ୍ଥାପନ କରାଗଲା ବା ମରାମତି କରି ରଙ୍ଗ କରାଗଲା । କିନ୍ତୁ ଶିକ୍ଷକ ଅଭାବ ସହିତ ଗୁଣତ୍ମକ ଶିକ୍ଷାଦାନ ନମିଳିବାରୁ ଏହା ସାଧାରଣ ଜନତାର ବିଶ୍ୱାସଭାଜନ ହୋଇପାରିଲା ନାହିଁ । ଓଡିଶାରେ ଅଧାରୁ ପାଠ ଛାଡୁଥିବା ପିଲାମାନଙ୍କ ସଂଖ୍ୟା ସର୍ବଭାରତୀୟ ସ୍ତରରେ ଅଧିକ ରହିଲା ।
ସ୍ୱାସ୍ଥ୍ୟ ବିଭାଗ କଥା କହିଲେ ନସରେ । ଉପାନ୍ତ ଜିଲ୍ଲା ଠାରୁ ଆରମ୍ଭ କରି ଉପକୂଳ ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ଜଟିଳ ରୋଗର ଚିକିତ୍ସା ମଳିପାରିଲା ନାହିଁ । ଝାରସୁଗଡାରୁ ଗୁଳିବିଦ୍ଧ ମନ୍ତ୍ରୀ ନବ ଦାସଙ୍କୁ ଭୁବନେଶ୍ୱର ଆଣିବାକୁ ପଡିଲା । ପୁରୀ ବାଣ ବିଷ୍ଫୋରଣ ଆହତମାନଙ୍କୁ ସେଠାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇ ପାରିଲା ନାହିଁ ।
୨୦୦୦ ମସିହାରେ ଦୂର୍ନୀତିମୁକ୍ତ ଶାସନ ଦେବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜୁ ଜନତା ଦଳ ଶାସନରେ ଓଡିଶାରେ ସବୁଠାରୁ ବଡ ଖଣି ଲୁଟ୍ ହେଲା । ଲକ୍ଷଲକ୍ଷ କ୍ଷୂଦ୍ର ଜମାକାରୀମାନେ ଚିଟଫଣ୍ଡ ଘୋଟାଲର ଶୀକାର ହେଲେ । ଏହାଛଡା ପାଣି, ଜମି ଓ ଗୃହ ଆବଣ୍ଟନରେ ବ୍ୟାପକ ଦୂର୍ନୀତି ନେଇ ସରକାର ବଦନାମ ହେଲା । ମହିଳାମାନଙ୍କ ଉପରେ ଅତ୍ୟାଚାର, ରାଜନୈତିକ ହତ୍ୟା ଓ ପ୍ରତିଶୋଧପରାୟଣ ରାଜନୀତି ବିଜୁ ଜନତା ଦଳ ଶାସନ ସମୟରେ ବହୁ ପରିମାଣରେ ଦେଖାଯାଇଥିଲା ଏବଂ ଏ ନେଇ ସରକାର ବିରୋଧରେ ଜନ ଅସନ୍ତୋଷ ବେଶ୍ ବୃଦ୍ଧିପାଇବାରେ ଲାଗିଲା ।
ବିଜୁ ଜନତା ଦଳ ଏକ ପ୍ରକାର ନିଜ ଦ୍ୱାରା ସୃଷ୍ଟ ଦୁର୍ନୀତି, ଅନୀତି ଓ ଅପାରଗତାର ଅଳିଆଗଦାରୁ ସଦ୍ୟ ବିତାଡିତ ହୋଇଛି । ଏହି ଦୃଷ୍ଟିରୁ ଦଳ ଏବେ ବିଜେପି ବିରୋଧରେ ଆକ୍ରମଣାତ୍ମ ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ନୈତିକ ଆଧାରଶୀଳା ଖୋଜିଲେ ବି ପାଇପାରୁନାହିଁ । ତେଣୁ ଏହି ଦଳର ନେତାମାନଙ୍କ ଗୋଡ ଦୃଢଭାବରେ ଲାଗି ପାରୁନାହିଁ ।
ବିଜେଡିର ବର୍ତମାନ ଦୟନୀୟ ଅବସ୍ଥାରୁ ଦଳକୁ ବାହାର କରିବା ପାଇଁ ଦଳର ସଭାପତି ନବୀନ ପଟ୍ଟନାୟକ କେତେ ସକ୍ଷମ ହେବେ, ତାହା ସମୟ କହିବ । କିନ୍ତୁ ଏ କଥା ସ୍ପଷ୍ଟ ଯେ ତାଙ୍କ ପାଖରେ ଏବେ ସରକାରୀ କଳ ନାହିଁ ଯାହା ତାଙ୍କ ପାଇଁ ଅନୁକୂଳ ବାର୍ତ୍ତା ପ୍ରସ୍ତୁତ କରି ଜନସାଧାରଣଙ୍କ ପାଖରେ ପହଂଚାଇବ । ତାଙ୍କୁ ବିଧାନସଭା ଠାରୁ ଆରମ୍ଭ କରି ଅନ୍ୟସ୍ଥାନରେ ଓଡିଆରେ ବିଭିନ୍ନ ପ୍ରସଙ୍ଗ ଉପରେ ବ୍ୟକ୍ତବ୍ୟ ପ୍ରଭାବୀ ଢଙ୍ଗରେ ରଖିବାକୁ ପଡିବ । ଯେଉଁମାନେ ନବୀନଙ୍କୁ ଅତି ନିକଟରୁ ଦେଖିଛନ୍ତି, ଗୋଟିଏ କଥା ସେମାନେ ଅନୁଭବ କରିଥିବେ ଯେ ସେ କୌଣସି ଏକ ପ୍ରସଙ୍ଗ ଉପରେ ଦୀର୍ଘ ସମୟ ପାଇଁ ବିନା କାଗଜ ଦେଖି ଓଡିଆରେ କିଛି କହିବା ପାଇଁ ସେତେଟା ସମର୍ଥ ନୁହେଁ । ରାଜନୀତିରେ ବିରୋଧୀ ଦଳର ନେତାମାନଙ୍କୁ କାଗଜ ନଦେଖି କଥା କହିବା ପାଇଁ ପଢିବ । ନଚେତ୍ ଲୋକମାନଙ୍କ ସହିତ ସେମାନେ ଭଲଭାବରେ ଯୋଡି ହୋଇପାରିବେ ନାହିଁ ।
କ୍ଷମତାରେ ଥିଲେ ସମସ୍ତେ ଯୋଡି ହୋଇଯାଆନ୍ତି । କିନ୍ତୁ ଥରେ କ୍ଷମତାରୁ ଅପସରି ଗଲେ, ଲୋକେ ବାଟ କାଟି ଚାଲିଯାଆନ୍ତି ।
ବିଜୁ ଜନତା ଦଳକୁ ତିଆରି କରି ନବୀନଙ୍କୁ ନିରଙ୍କୁଶ ଶାସନଗାଦିରେ ବସାଇଥିବା ନେତାଙ୍କୁ ଜଣଙ୍କ ପରେ ଜଣଙ୍କୁ ସେ ବିଦା କରି ସେମାନଙ୍କୁ ଆପାକ୍ତେଂୟ କରିଦେଇଛନ୍ତି । କେବଳ ସେତିକି ନୁହେଁ, ଦଳରେ ଦକ୍ଷ ନେତା ସୃଷ୍ଟି ହେବାର ଅବକାଶକୁ ମଧ୍ୟ ଏକ ପ୍ରକାର ବନ୍ଦ କରିଦେଇଥିଲେ । ଅନ୍ୟପକ୍ଷରେ ନେତାମାନଙ୍କ ପୁଅ, ପତ୍ନୀ, ଝିଅ ଓ ଭାଇ ଓ ଭଉଣୀମାନଙ୍କୁ ରାଜନୀତିକୁ ଆଣି ଦଳକୁ ନବୀନ ବିଜେଡିକୁ ଏକ ପରିବାରିକ ସଙ୍ଗଠନରେ ପରିଣତ କରିଦେଇଥିଲେ । ଦଳରୁ ଆଭ୍ୟନ୍ତରୀଣ ଗଣତନ୍ତ୍ର ଲୋପ ପାଇବା ସହିତ ସରକାରୀସ୍ତରରେ ଅମଲାତାନ୍ତ୍ରୀକ ଆଧିପତ୍ୟ ନବୀନଙ୍କ ରାଜନୈତିକ ଚରିତ୍ର ଉପରେ ଜନଅବିଶ୍ୱାସ ସୃଷ୍ଟି କଲା ।
ଥରେ ଜନଅବିଶ୍ୱାସର କଳାବାଦଲ ଢାଙ୍କି ହେଲେ, ତାକୁ ହଟାଇବା ଏତେ ସହଜ ନୁହେଁ । ଦେଖିବାର କଥା, - ନବୀନ ନିଜ ହାତ ତିଆରି କଳା ବାଦଲର ଉହାଡରୁ ନିଜକୁ କିଭଳି ବାହାର କରୁଛନ୍ତି ନା ଏହାରି ମଧ୍ୟରେ ସେ ନିଜର ସତ୍ତା ହରାଉଛନ୍ତି ।
ଇମେଲ୍: aksahoo1122@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)