• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦେଶରେ ଏବେ ଅଧିକାଂଶ ରାଜ୍ୟରେ ସମ୍ବିଧାନ ବହିର୍ଭୁତ କ୍ଷମତା କେନ୍ଦ୍ରକୁ ନେଇ ସାଂସଦ ଭର୍ତ୍ତୃହରି ମହତାବଙ୍କ କ୍ଷୋଭ । ନିଜ ଖବର କାଗଜର ଧ୍ୱନି ପ୍ରତିଧ୍ୱନି ସ୍ତମ୍ଭରେ 'ରାଜନୀତିର ବାଟ ହୁଡିଯାଇଛୁ କି ଆମେ ? ଶୀର୍ଷକ ଲେଖାରେ ବିଭିନ୍ନ ରାଜ୍ୟରେ କ୍ଷମତାରେ ଥିବା ଆଞ୍ଚଳିକ ଦଳର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାଂସଦ । ଏଥିସହ ପରୋକ୍ଷରେ ଓଡ଼ିଶାରେ ଚାଲିଥିବା ଶାସନ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି ।

ସେ ଲେଖିଛନ୍ତି ଏବେକା ସ୍ଥିତିରେ ନିର୍ବାଚିତ ପ୍ରତିନିଧି କି କ୍ୟାବିନେଟ୍ ସ୍ତରୀୟ ଶାସନ ବ୍ୟବସ୍ଥା ଏକପ୍ରକାରେ ଅକାମୀ ହୋଇଯାଇଛି । ତାମିଲନାଡୁ, ଆନ୍ଧ୍ର, ତେଲେଙ୍ଗାନା, ଦିଲ୍ଲୀ, ପଶ୍ଚିମବଙ୍ଗ ଭଳି ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହିଁ ସବୁ ନିର୍ଣ୍ଣୟର କେନ୍ଦ୍ରସ୍ଥଳ ବୋଲି ଉଲ୍ଲେଖ କରିଛନ୍ତି ଭର୍ତ୍ତୃହରି । ଏପରିକି ମନ୍ତ୍ରିମଣ୍ଡଳରେ କୌଣସି ବି ମନ୍ତ୍ରୀଙ୍କର କିଛି କ୍ଷମତା ନାହିଁ ବୋଲି ସେ ଲେଖିଛନ୍ତି । ଆମ୍ ଆଦମୀ ପାର୍ଟିର ନାଁ ନେଇ, ଏଭଳି ଦଳସବୁ ନିର୍ବାଚନ ଜିତିବା ଲାଗି ଯେ କୌଣସି ଉପାୟ ଅବଲମ୍ବନ କରିବାକୁ ପ୍ରସ୍ତୁତ ବୋଲି ଲେଖିଛନ୍ତି ଭର୍ତ୍ତୃହରି ।

ବିଜେଡିର ନାଁ ନନେଇ ମଧ୍ୟ ସେ ଅନ୍ୟ କେତେକ ଆଞ୍ଚଳିକ ଦଳମାନଙ୍କ କ୍ଷେତ୍ରରେ ଏହା ପ୍ରଯୁଜ୍ୟ ବୋଲି କହି ପରୋକ୍ଷରେ ଓଡ଼ିଶାର ସ୍ଥିତି ନେଇ ଇଙ୍ଗିତ କରିଛନ୍ତି । ଯିଏ ଆରମ୍ଭରୁ ଦଳର ପ୍ରତିଷ୍ଠାତା ସଭାପତି, ସିଏ ଆଉ ନିଜ ଦଳର ସମ୍ବିଧାନର ପୃଷ୍ଠା ଓଲଟାଇ ପଢ଼ିବାକୁ ସମୟ ପାଉଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି । ଦଳ କଣ ପାଇଁ ତିଆରି ହୋଇଥିଲା, ଆଜି କେଉଁ ଅବସ୍ଥାରେ ପହଞ୍ଚିଲାଣି, ତାକୁ ତର୍ଜମା କରିବାକୁ ଦଳରେ କେହି ଅଛନ୍ତି କି ନାହାନ୍ତି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ଭର୍ତ୍ତୃହରି । ଆଉ ଏକଥା ଯିଏ ମନେ ପକାଇଦେଲା, ସିଏ ଦଳ ବିରୋଧୀ ହୋଇଯାଉଛି ବୋଲି ଉଲ୍ଲେଖ କରିଛନ୍ତି ।

ପୂର୍ବରୁ ମଧ୍ୟ ନିଜ ଖବର କାଗଜରେ ବହୁବାର ନିଜ ଦଳ ବିଜେଡିକୁ ତେରଛା ବାଣ ମାରି ଆସିଛନ୍ତି ଭର୍ତ୍ତୃହରି । ନିକଟରେ ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ବିରୋଧରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ବି ରାଜ୍ୟ ସରକାର ଓ ପୋଲିସକୁ କାଠଗଡ଼ାକୁ ଟାଣିଥିଲେ । ଏବେ ପୁଣି ଭର୍ତ୍ତୃହରିଙ୍କ ଏ ତେରେଛା ବାଣକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।