• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର (ସ୍ୱାଧୀନ ରାଉତ): ଶେଷ ହେଲା ପଂଚାୟତ ଏବଂ ପୌର ନିର୍ବାଚନ । ଏହି ଦୁଇଟ ଫଳାଫଳ କିଛି ଭିନ୍ନ କଥା କହୁଛି । ଏହି ନିର୍ବାଚନ, ଶାସକ ବିଜେଡିକୁ ବିଜୟ ଦେଇଥିଲେ ମଧ୍ୟ ମନ ଖୋଲା ହସ ହସିପାରୁନି ଦଳ । ନିର୍ବାଚନରେ ବିଜେଡିର ଭୋଟିଂ ପର୍ସେଣ୍ଟେଜ୍ ବଢିଥିଲେ ମଧ୍ୟ ଅନେକ କଥା ପଦାକୁ ଆସିଛି । ପ୍ରଥମେ ଟଙ୍କା ବଣ୍ଟା, ଯିଏ ଜିତିଲା ସିଏ ଆମର ଫର୍ମୁଲା, ବିଜେଡିରେ ଅନ୍ତଃକନ୍ଦଳ, ଏଭଳି ଅନେକ କଥା ଚର୍ଚ୍ଚାରେ ରହିଥିଲା ଏହି ଦୁଇଟି ନିର୍ବାଚନରେ ।

ସେପଟେ ପଂଚାୟତ ନର୍ବାଚନରେ କଂଗ୍ରେସର ପରିସ୍ଥିତି କିଛି ଅଞ୍ଚଳରେ ଭଲ ଥିବା ବେଳେ ଅନେକ ସ୍ଥାନରେ ଦଳର ଭୋଟ ବ୍ୟାଙ୍କକୁ ବିଜେଡି ଏବଂ ବିଜେପି ପୋଛି ନେଇଛନ୍ତି । ପୌର ନିର୍ବାଚନ କଥା ଯଦି ଦେଖିବା, ପୌର ନିର୍ବାଚନରେ ଗତ ଥର ଅପେକ୍ଷା ଏଥର ଖରାପ ପ୍ରଦର୍ଶନ କରିଛି କଂଗ୍ରେସ । ଲାଗୁଛି ଯେମତି ଦୁଇ ଭାଇଙ୍କ ଭିତରେ ତାଙ୍କର ସବୁ ସଂପତ୍ତି ବାଣ୍ଟି ଦେଇଛି ।

ବିଜେପି ପଂଚାୟତ ନିର୍ବାଚନ ଲଢେଇକୁ ହାଲୁକା ଭାବେ ନେଲା । ଠିକ୍‌ ଭାବେ ଲଢିଲାନି ନିର୍ବାଚନ । ଯାହା ଫଳରେ ବିଜେପିର ଗତ ୨୦୧୭ ନିର୍ବାଚନରେ ୨୯୭ ପ୍ରାର୍ଥୀ ଜିଲ୍ଲା ପରିଷଦ ସଭ୍ୟ ଭାବେ ବିଜୟୀ ହୋଇଥିବା ବେଳେ ଏଥର କିନ୍ତୁ ୪୮ ଆସନରେ ସୀମିତ ରହିଲା। ଗତଥର ବିଜେପି ୯ଟି ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିଥିବା ବେଳେ ଏଥର ଶୂନ ହୋଇଗଲା । ଆଉ ଏହାର ପ୍ରଭାବ ପଡିଲା ପୌର ନିର୍ବାଚନରେ। ଦଳର ରାଜ୍ୟ ସଭାପତିଙ୍କ ବ୍ୟତୀତ, କୌଣସି ଜାତୀୟ ସ୍ତରର ହେଭିୱେଟ୍‌ ଆସିଲେନି ପ୍ରଚାରକୁ । ହେଲେ ପୌର ନିର୍ବାଚନରେ କିନ୍ତୁ ଭୋଟର ନିର୍ଦ୍ଦୟ ହୋଇନଥିଲେ । ସହରୀ ଭୋଟରଙ୍କ ବିଜେପି ପ୍ରୀତି ଦଳକୁ କେତେକାଂଶରେ ସଫଳତା ଦେଲା ।

ଲୋକ ଭୁଲିନାହାନ୍ତି ମୋଦି – ନବୀନ ଭୋଟିଂ ପ୍ୟାଟର୍ଣ୍ଣ

ପୌର ନିର୍ବାଚନ ମତଦାନ ପୁଣି ଥରେ ମନେ ପକାଇ ଦେଲା ସ୍ପ୍ଲିଟ୍‌ ଭୋଟିଂ ଫର୍ମୁଲା । ମାନେ ଗତ ସାଧାରଣ ନିର୍ବାଚନରେ ଏହି ଫର୍ମୁଲା ବଳରେ ବିଜେପି ଓଡ଼ିଶାରୁ ୮ଟି ଏମପି ପଦ ହାତେଇଥିଲା । ବିଜେପି ୨୦୧୯ ବିଧାନସଭା ନିର୍ବାଚନରେ ୩୨ ପ୍ରତିଶତ ଭୋଟ ପାଇଥିବା ବେଳେ ଲୋକସଭାରେ ୩୮.୩୭ ପ୍ରତିଶତ ଭୋଟ ପାଇଥିଲା। ମାନେ ଲୋକେ ଚାହିଁଲେ କେନ୍ଦ୍ରରେ ମୋଦି ସରକାର ଏବଂ ରାଜ୍ୟରେ ନବୀନ ସରକାର ।

ସେହିପରି ପୌର ନିର୍ବାଚନରେ କିଛି ପୌର ପରିଷଦରେ ଅଧ୍ୟକ୍ଷ ପଦ ଗୋଟିଏ ଦଳକୁ ଯାଇଥିବା ବେଳେ କାଉନସିଲର ଭାବେ ଆଉ ଗୋଟିଏ ଦଳର ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସାଧାରଣ ନିର୍ବାଚନରେ ଏହି ଫର୍ମୁଲା ଯୋଗୁଁ ବିଜେପି ବେଶ୍‌ ଲାଭ ପାଇଥିଲା । ଯେମିତି ସାଧରଣ ନିର୍ବାଚନ ବେଳେ ନେତାମାନେ ଦଳକୁ ପଛରେ ପକାଇ ନିଜ ନିଜ ବିଜୟ ଉପରେ ଧ୍ୟାନ ଦେଲେ । ଭୋଟରଙ୍କୁ କହିଲେ ତୁମେ ଏମପି ଭୋଟ ଯାହାକୁ ଦେଉଛ ଦିଅ ଆମକୁ କିନ୍ତୁ ବିଧାୟକ ଭାବେ ଭୋଟ ଦିଅ । ଏଥିଯୋଗୁଁ ଆପଣ ଦେଖିଥିବେ ଏମଏଲଏ ଏବଂ ଏମପି ଭୋଟ ଶେୟାରିଂରେ ବ୍ୟବଧାନ ରହିଲା । ଯେମିତିକି ବିଜେଡି ଲୋକସଭା ନିର୍ବାଚନରେ ୪୨.୭୬ ପ୍ରତିଶତ ଭୋଟ ପାଇଥିବା ବେଳେ ବିଧାନସଭା ନିର୍ବାଚନରେ ୪୪.୮ ପ୍ରତିଶତ ଭୋଟ ପାଇଥିଲା ।

ସେହିପରି ବିଜେପି, ଲୋକସଭା ନିର୍ବାଚନରେ ୩୮.୩୭ ପ୍ରତିଶତ ଭୋଟ ପାଇଥିବା ବେଳେ ବିଧାନସଭା ନିର୍ବାଚନରେ ୩୨.୬ ପ୍ରତିଶତ ଭୋଟ ପାଇଲା । ଏଥିରୁ ଆପଣ ଜାଣିପାରିବେ କାହା ଭୋଟ କାହା ସପକ୍ଷରେ ଗଲା । ସେହିପରି ଅଧ୍ୟକ୍ଷ ଏବଂ କାଉନସିଲର ନିର୍ବାଚନକୁ ଯଦି ଦେଖାଯାଏ ତେବେ ବିଜେଡି କାଉନସିଲର ଭୋଟ୍‌ରେ ୫୦ ପ୍ରତିଶତ ସଫଳତା ପାଇଥିବା ବେଳେ ଅଧ୍ୟକ୍ଷ ପଦ ନିର୍ବାଚନରେ ୪୮ ପ୍ରତିଶତ ଏବଂ କପୋର୍ରେଟର ନିର୍ବାଚନରେ ୪୬ ପ୍ରତିଶତ ଭୋଟ ପାଇଛି । ସେହିପରି କାଉନସିଲର ଭୋଟରେ ବିଜେପି ୨୭ ପ୍ରତିଶତ ଏବଂ ପୌରାଧ୍ୟକ୍ଷ ନିର୍ବାଚନରେ ୨୯ ପ୍ରତିଶତ ଭୋଟ ପାଇଛି । ଏଥିରୁ ଜଣାପଡୁଛି କେମିତି ଭୋଟ ବିଭାଜନ ହୋଇଛି । ସ୍ପ୍ଲିଟ୍‌ ଭୋଟିଂର ଫାଇଦା ମିଳିଛି ବିଜେପି ଏବଂ ସ୍ୱାଧୀନ ଅସନ୍ତୁଷ୍ଟ ବିଜେଡି ପ୍ରାର୍ଥୀଙ୍କୁ ।

ନୋଟ ତନ୍ତ୍ର

ଗଣ+ ତନ୍ତ୍ର- ଗଣତନ୍ତ୍ର , ନୋଟ + ତନ୍ତ୍ର –ନୋଟତନ୍ତ୍ର । ଗତ ଦୁଇ ଦୁଇଟି ନିର୍ବାଚନରୁ ଏମିତି ଅନେକ ଅଭିଯୋଗ ଆସିଲା ଯେ, ଭୋଟ କିଣା ଯାଉଛି ନୋଟ୍‌ ଦେଇ । ଯେମିତିକି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ମତରେ ପଂଚାୟତ ନିର୍ବାଚନରେ ବିଜେଡିର ବିଜୟ ହେଉଛି ଧନାଦେଶ । ପୌର ନିର୍ବାଚନ ପୂର୍ବରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ବିଜେଡି ଲୋକଙ୍କୁ ପଇସା ଦେଇ ଭୋଟ କିଣୁଥିବା ଅଭିଯୋଗ କରି ଟ୍ୱିଟ୍‌ କରିଥିଲେ । ଏପରିକି ନିର୍ବାଚନ ପୂର୍ବଦିନ ପୁଳାପୁଳା ଟଙ୍କା ବଣ୍ଟାଯାଉଥିବା ଭିଡିଓ ଗଣମାଧ୍ୟମରେ ଭାଇରାଲ୍‌ ହେଲା ।

ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଶିକ୍ଷକମାନଙ୍କଠୁ ଆରମ୍ଭ କରି ସ୍ୱୟଂସହାୟିକା ଗୋଷ୍ଠୀ ଯାଏଁ, ରାଜ୍ୟର ସରକାରୀ କର୍ମଚାରୀଙ୍କଠାରୁ ଆରମ୍ଭ କରି କୃଷକଙ୍କ ଯାଏ ପ୍ରାୟ ସବୁ ବର୍ଗକୁ ଖୁସି କରିବା ପାଇଁ ଅନେକ ଯୋଜନାର ଭଣ୍ଡାର ଖୋଲିଦେଲେ । ଏତେ ସବୁ ସତ୍ତ୍ୱେ ବି ସରକାରୀ ଦଳର କର୍ମୀମାନେ ଟଙ୍କା ବାଣ୍ଟୁଥିବା ଏଭଳି ମାଳମାଳ ଭିଡିଓ ଭାଇରାଲ୍‌ ହେବା ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଦିନକୁ ଦିଓଳା ଖାଇବାକୁ ପାଇବା ପାଇଁ ସଂଘର୍ଷ କରୁଥିବା ଭୋଟରଙ୍କ ପାଇଁ ୫୦୦ ରୁ ୧୦୦୦ ଟଙ୍କା ବହୁତ ବଡ଼ ।

ନିର୍ବାଚନ କମିଶନ ଧାର୍ଯ୍ୟ କରିଥିବା ଅଙ୍କଠାରୁ ଢେର ଅଧିକ ଗୁଣା ଟଙ୍କା ଖର୍ଚ୍ଚ ହେଉଛି ନିର୍ବାଚନରେ । ହେଲେ ସବୁବେଳେ ନୋଟ ଦ୍ୱାରା ଯେ ଭୋଟ କିଣା ଯାଏ ତାହା କହିବା ମଧ୍ୟ ଠିକ୍‌ ନୁହେଁ । ଗତ ପଂଚାୟତ ଏବଂ ପୌର ନିର୍ବଚନରେ ଅନେକ ପ୍ରାର୍ଥୀ କମ ଟଙ୍କା ଖର୍ଚ୍ଚ କରି ସ୍ୱାଧୀନ ଏବଂ ଦଳୀୟ ପ୍ରାର୍ଥୀ ଭାବେ ବିଜୟୀ ହୋଇଛନ୍ତି । ଏହା ପ୍ରମାଣିତ କରୁଛି ସେମାନଙ୍କ ଲୋକପ୍ରିୟତାକୁ ।


ଏହି ଷ୍ଟୋରୀକୁ ଲେଖିଛନ୍ତି Swadheen Kumar Rout
ଏହାସହ ପଢ଼ନ୍ତୁ ଏହି ଷ୍ଟୋରୀର Part-2:- ଓଡ଼ିଶା ରାଜନୀତିରେ ‘ଯିଏ ଜିତିବ ସିଏ ଆମର’ ଫର୍ମୁଲା