• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର (ସ୍ୱାଧୀନ ରାଉତ): ରାମ ଜିତିଲେ ବି ଆମର ଦାମ ଜିତିଲେ ବି ଆମର । ମାନେ ଯିଏ ଜିତିଲେ ବି ଆମ ଲୋକ । ଗତ ପଂଚାୟତ ନିର୍ବାଚନରେ ଏଭଳି କିଛି ରୋଚକ ତଥ୍ୟ ସାମ୍ନାକୁ ଆସିଥିଲା । ବାସ୍ତବରେ ସରପଂଚ ଏବଂ ସମିତିସଭ୍ୟମାନେ କୌଣସି ଦଳୀୟ ପ୍ରାର୍ଥୀ ହୋଇନଥାନ୍ତି । ସେମାନଙ୍କ ପିଠିରେ ଦଳୀୟ ଧବ୍ବା ନଥାଏ । କିନ୍ତୁ ନିର୍ବାଚନ ମଇଦାନରେ ସେମାନେ ହୋଇଥାନ୍ତି ରାଜନୈତି ଦଳର ପ୍ଲେଇଂ କାର୍ଡ । ପ୍ରାୟ ସମସ୍ତ ପ୍ରାର୍ଥୀଙ୍କ ପଛରେ ରହିଥାଏ ରାଜନୈତିକ ଦଳର ସମର୍ଥନ ।

ତେବେ ରାଜନୈତିକ ଦଳଗୁଡ଼ିକୁ ସେତେବେଳେ ସମସ୍ୟା ଆସେ, ଯେତେବେଳେ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବଢ଼େ । ଏହି ସମସ୍ୟାର ସବୁଠୁ ସହଜ ସମାଧାନର ବାଟ ହେଲା, ଯେତେ ଆଶାୟୀ ପ୍ରାର୍ଥୀ ଅଛନ୍ତି ସମସ୍ତଙ୍କୁ ମଇଦାନକୁ ଓହ୍ଲାଇଦେବା । ଆଉ ତାପରେ ଅପେକ୍ଷା କରିବା କିଏ ଯିତିବ । ମଇଦାନରେ ଯିଏ ଯିତିବ ସିଏ ଆମର ହେବ । ଏହି ହିଁ ଫର୍ମୁଲା ।

ଏଥର ପଞ୍ଚାୟତ ନିର୍ବାଚନରେ ଠିକ୍‌ ଏଭଳି କିଛି ଚିତ୍ର ଦେଖିବାକୁ ମିଳିଥିଲା । ଦଳ ଗୁଡିକ ଆଶାୟୀଙ୍କୁ ମନାଇବା ବଦଳରେ ସମସ୍ତଙ୍କୁ ଲଢିବା ପାଇଁ ପ୍ରୋତ୍ସାହିତ କରିଥିଲେ । ଏପରକି କେତେକ ନେତା ଉଭୟ ପ୍ରାର୍ଥୀଙ୍କୁ ଟଙ୍କା ଦେଇଥିବା ଚର୍ଚ୍ଚା ହୁଏ । ଆଉ ବିଜୟୀ ହେବା ପାଇଁ ପ୍ରାଣପ୍ରଣେ ଚେଷ୍ଟା କରୁଥିବା ପ୍ରାର୍ଥୀମାନେ ସବୁ କିଛି କରିବାକୁ ପ୍ରସ୍ତୁତ ଥିଲେ । ଏଥି ଯୋଗୁଁ ଅନେକ ସ୍ଥାନରେ ନିର୍ବାଚନୀ ହିଂସା ବି ଦେଖିବାକୁ ମିଳିଥିଲା । ଗତ ନିର୍ବାଚନରେ ଯାଜପୁରଠୁ ଆରମ୍ଭ କରି ବାଲେଶ୍ୱର ଯାଏଁ, ବରଗଡଠୁ ଆରମ୍ଭ କରି ଗଂଜାମ ଯାଏଁ ନିର୍ବାଚନୀ ହିଂସା ଘଟିଲା ।

ଅନେକ ବିଧାୟକ ନିଜ ନିଜ ଲବି ବଳରେ ଆଶାୟୀଙ୍କ ଟିକେଟ୍‌ କାଟି ନିଜ ଲୋକଙ୍କୁ ଟିକେଟ୍‌ ଦେଲେ । ଅସନ୍ତୁଷ୍ଟମାନେ ପ୍ରାର୍ଥୀ ହୋଇ ସ୍ୱାଧୀନ ଭାବେ ବିଜୟୀ ହେବା ପରେ ଏବେ ବିଧାୟକମାନେ ସେମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଲାଗି ପଡିଛନ୍ତି । ମାନେ ଯିଏ ଜିତିଲା ସେ ଆମର । ତେବେ ଏଥିରେ ଆଉ ଭୋଟରଙ୍କ ଚଏସ୍‌ କଣ ରହିଲା ?

ବିକଳ୍ପ ବିଚାର

ପ୍ରତ୍ୟେକ ନିର୍ବାଚନ ପରେ ଆସୁଥିବା ଫଳାଫଳ ଅନେକ କଥା ପଦାକୁ ଆଣିଥାଏ । ତେବେ ଆମ ରାଜ୍ୟରେ ପ୍ରତ୍ୟେକ ନିର୍ବାଚନ ପରେ ଆସୁଥିବା ଫଳାଫଳ ସୂଚାଉଛି ଯେ, ଲୋକ ବିଜେଡିକୁ ପସନ୍ଦ କରୁଛନ୍ତି । ପ୍ରତି ନିର୍ବାଚନରେ ବିଜେଡିର ଭୋଟ ସଂଖ୍ୟା ବୃଦ୍ଧି ପାଉଛି । ଚଳିତ ପଂଚାୟତ ଏବଂ ପୌର ନିର୍ବାଚନକୁ ଯଦି ଦେଖାଯାଏ ଅଧା ଭୋଟର ବଜେଡିକୁ ପସନ୍ଦ କରିଛନ୍ତି । ହେଲେ ସବୁ ଭୋଟର କିନ୍ତୁ ବଜେଡିକୁ ଚାହୁଁ ନାହାଁନ୍ତି । ଫିଫ୍ଟି ଫିଫ୍ଟି ଭଳି ସ୍ଥିତି । ଦଳ ଯେତେ ଲୋକପ୍ରିୟ ହେଲେ ମଧ୍ୟ ୫୦ ପ୍ରତିଶତରୁ ଆଗକୁ ବଢି ପାରୁନି । କେଉଁଠି ନା କେଉଁଠି ରାଜ୍ୟରେ ବୃଦ୍ଧି ପାଉଥିବା ଜନ ଅସନ୍ତୋଷ ଏହା ସୂଚାଉଛି ଯେ, ଲୋକେ ବିକଳ୍ପ ପାଇଁ ବିଚାର କରୁଛନ୍ତି । ହେଲେ ଏହା କିନ୍ତୁ ଭୋଟରେ ପରିବର୍ତ୍ତନ ହୋଇପାରୁନି ।

ଏହାର ପ୍ରମୁଖ କାରଣ ହେଲା ଦୃଢ ପ୍ରତିଦ୍ୱନ୍ଦ୍ୱୀଙ୍କ ଅଭାବ । ଆଜି କଂଗ୍ରେସ ଦଳର ଯେଉଁ ଭଳି ଅବସ୍ଥା ଲୋକେ ଅନେକ ସ୍ଥାନରେ ବିଜେପିକୁ ବିକଳ୍ପ ଭାବେ ବିଚାର କରୁଛନ୍ତି । ଗତ ପଂଚାୟତ ଏବଂ ପୌର ନିର୍ବାଚନରେ ଅଧିକାଂଶ ସ୍ଥାନରେ ବିଜେପି ପ୍ରାର୍ଥୀ ଦେବାରେ ସଫଳ ହୋଇଛି । ହେଲେ ଦଳ ଯେଉଁଭଳି ଭାବେ ଏହି ଦାୟିତ୍ୱ ତୁଲାଇବା କଥା ସେଭଳି କରୁନି । ଅନେକ ସମୟରେ କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିବା ଏବଂ ଦଳ ଫାଇଟର ଭାବେ ଫାଇଟ୍‌ ନ କରିବା ଲୋକଙ୍କ ବିକଳ୍ପ ବିଚାରକୁ ପ୍ରଭାବିତ କରୁଛି ।

ତେବେ ଯଦି କଂଗ୍ରେସ ନିର୍ବାଚନ ଯୁଦ୍ଧରେ ଠିକ୍‌ ଭାବେ ଫାଇଟ୍‌ କରେ ତେବେ ଆଗମୀ ଦିନରେ ବିଜେପିର ସ୍ଥାନ ବି ନେଇପାରେ । ଲୋକେ ବିକଳ୍ପ ଭାବେ ପୁଣି ଥରେ ହାତକୁ ପସନ୍ଦ କରିପାରନ୍ତି । ଗତ ପଂଚାୟତ ନିର୍ବାଚନରେ ଅନେକ ସ୍ଥାନରେ ବିଜେଡି ସହ ସିଧା ସଳଖ କଂଗ୍ରେସର ଫାଇଟ୍‌ ଦେଖିବାକୁ ମିଳିଥିଲା । ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସ ଭଲ ପ୍ରଦର୍ଶନ କରିଥିଲା । କଂଗ୍ରେସର ପାରମ୍ପରିକ ଭୋଟ ବ୍ୟାଙ୍କ ଆଦିବାସୀ ଭୋଟକୁ ହାତେଇବାରେ ଦଳ ସକ୍ଷମ ହୋଇଥିଲା । ଏପରକି ଅର୍ଥବଳ ମଧ୍ୟ ସେଠାରେ ଫିକା ପଡ଼ିଗଲା । ତେବେ ଉପକୂଳ ଏବଂ ପଶ୍ଚିମାଞ୍ଚଳରେ ଦଳର ଅବସ୍ଥା ଶେଚନୀୟ ।

କଂଗ୍ରେସ-ବିଜେପି, ଏହି ଦୁଇ ଦଳରେ ଥିବା ଅନେକ ଦୁର୍ବଳତାର ଫାଇଦା ପାଉଛି ବିଜେଡି । ଯାହା ଫଳରେ ଦୁଇ ଦଶନ୍ଧି ଧରି ଓଡ଼ିଶାରେ ଶାସନ କରିବାରେ ସକ୍ଷମ ହୋଇଛି । ଏସବୁ ସତ୍ତ୍ୱେ ଉଭୟ କଂଗ୍ରେସ ଏବଂ ବିଜେପି ପାଇଁ ଆଗକୁ ବଢିବାର ପଥ ସୁଗମ ହେଉଛି । ଆଉ ଯେବେ ଭୋଟର ମୁଡ ବଦଳାଇବେ ସେତେବେଳେ ସବୁକିଛି ଓଲଟ ପାଲଟ ହୋଇଯିବ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ପଶ୍ଚିମବଙ୍ଗ ଏବଂ ତ୍ରିପୁରାର ବମପନ୍ଥୀ ସରକାର ।

ଏହି ଷ୍ଟୋରୀକୁ ଲେଖିଛନ୍ତି Swadheen Kumar

ଏହାସହ ପଢ଼ନ୍ତୁ ଏହି ଷ୍ଟୋରୀର Part-1:- ହେଉଛି କି ବିକଳ୍ପ ବିଚାର ? ମାଳ ମାଳ ଯୋଜନା ପରେ ବି କିଣିବାକୁ ପଡ଼ୁଛି ଭୋଟ ଉଡ଼ୁଛି ନୋଟ !