• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦୁର୍ନୀତିମୁକ୍ତ ପଂଚାୟତିରାଜ ବ୍ୟବସ୍ଥା ଲାଗୁ, ମୋଦି ପଠାଉଥିବା ଟଙ୍କା ଲୁଟ୍‌କୁ ଜଗିବା ଏବଂ ପଂଚାୟତରେ ଗ୍ରାମସଭା କରିବା ଉପରେ ବିଜେପିର ଫୋକସ୍ । ଏଭଳି ୨୨ଟି ପ୍ରତିଶ୍ରୁତି ସହ ବିଜେପି ଆଜି ନିଜର ଇସ୍ତାହାର ଓ ଅଭିଯୋଗ ପତ୍ର ଜାରି କରିଛି । ସେପଟେ ଚାଷୀ ଓ ବେକାରୀ ସମସ୍ୟା ସହ ଦରଦାମ ବୃଦ୍ଧି ଭଳି ପ୍ରସଙ୍ଗକୁ ନେଇ କଂଗ୍ରେସ ବି ଇସ୍ତାହାର ପତ୍ର ଜାରି କରିବାକୁ ସଜାବାଜ ହେଉଛି । ସେପଟେ ରାଜ୍ୟ ସରକାରଙ୍କ ସଫଳ ଯୋଜନା ହିଁ ଦଳର ଇସ୍ତାହାର ହେବ ବୋଲି କହିଛି ବିଜେଡି । ତେଣେ ପ୍ରାର୍ଥୀମାନଙ୍କୁ ଚିହ୍ନ ମିଳିବା ପରେ ଗାଁ ଗହଳିରେ ଜମିଲାଣି ପ୍ରଚାର ।

ପଂଚାୟତ ଭୋଟ୍ ପୂର୍ବରୁ ସଙ୍କଳ୍ପ ପତ୍ର ପଲିଟିକ୍ସ । ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ସହ ଚିହ୍ନ ମିଳିବା ପରେ ଏବେ ଫୋକସ୍‌ରେ ଇସ୍ତାହାର । ଏହା ଭିତରେ ଆଜି ବିଜେପି ଜାରି କରିଛି ଆମ ପ୍ରତିଶ୍ରୁତି, ଆମ ସଙ୍କଳ୍ପ । ଓଡ଼ିଆଙ୍କ ସୁରକ୍ଷା ଓ ବିକାଶ ହିଁ ବିଜେପିର ମୂଳମନ୍ତ୍ର ଏବଂ ମୋ ସରକାର ବା ମୋ ପରିବାର କଥା କହି ବିଜେଡିର ବିଶ୍ୱାସଘାତକତା ବିରୋଧରେ ଲୋକଙ୍କ ପାଖରେ ପହଞ୍ଚିବାକୁ ଯୋଜନା କରିଛି ଦଳ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ୨୨ଟି ପ୍ରତିଶ୍ରୁତି ଥିବା ଇସ୍ତାହାର ଓ ଅଭିଯୋଗପତ୍ର ମିଡିଆ ଆଗରେ ରଖିଛନ୍ତି ।

ଯେଉଁଥିରେ ଦୁର୍ନୀତିମୁକ୍ତ ପଂଚାୟତିରାଜ ବ୍ୟବସ୍ଥା ଲାଗୁ କରିବା, ମୋଦି ପଠାଇଥିବା ଟଙ୍କା ଲୁଟ୍‌କୁ ଜଗିବା ଉପରେ ଦିଆଯାଇଛି ଗୁରୁତ୍ୱ । ତାସହ ଗ୍ରାମସଭା ଓ ପଲ୍ଲୀସଭା କରି ବିକାଶ କାମ ଆଗକୁ ନେବା ଉପରେ ଦଳ ଫୋକସ୍ କରିଛି । ସେହିପରି ମଣ୍ଡି ବ୍ୟବସ୍ଥାକୁ ସୃଦୃଢ଼ କରିବା, ମହିଳା ସଶକ୍ତୀକରଣ, ପଂଚାୟତରେ ଷ୍ଟ୍ରିଟ ଲାଇଟ୍, ବର୍ଜ୍ୟବସ୍ତୁ ପରିଚାଳନା ଓ ଗାଁକୁ ମୌଳିକ ସୁବିଧା ଯୋଗାଇବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି । ସେପଟେ ଚାଷୀ, ବେକାରୀ ସମସ୍ୟା ସହ ଦରଦାମ ବୃଦ୍ଧି ଭଳି ପ୍ରସଙ୍ଗକୁ ନେଇ କଂଗ୍ରେସ ବି ଇସ୍ତାହାର ପତ୍ର ଜାରି କରିବାକୁ ସଜାବାଜ ହେଉଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ବି ପ୍ରସଙ୍ଗ କରିବ ଦଳ । ସେପଟେ ଗାଁ ଗାଁରେ ବିକାଶ ହିଁ ଦଳର ଇସ୍ତାହାର ବୋଲି ବିଜେଡି କହିଛି ।

 

ସେପଟେ ଓ୍ୱାର୍ଡ ମେମ୍ବର, ସରପଂଚ ଓ ସମିତି ସଭ୍ୟ ପ୍ରାର୍ଥୀମାନଙ୍କୁ ନିର୍ବାଚନୀ ଚିହ୍ନ ମିଳିବା ପରେ ଗାଁ ଗାଁରେ ଜମି ଆସିଲାଣି ପ୍ରଚାର । ବଲାଙ୍ଗିର ସଦର ବ୍ଳକ୍ ଶିକାଛିଡା ପଂଚାୟତର ସମିତି ସଭ୍ୟ ପ୍ରାର୍ଥୀ ବିିନିତା ପ୍ରଧାନ । ଉଚ୍ଚ ଶିକ୍ଷିତା ବିନିତା ଘରକୁ ଘର ବୁଲି ପ୍ରଚାର ଚଳାଇଛନ୍ତି । ସେପଟେ ଖୋଲାଛତା ଧରି ଭୋଟ୍ ନିବଦେନ କରୁଛନ୍ତି ଉମରକୋଟ ବ୍ଲକ ବେନେରା ପଂଚାୟତର ସରପଂଚ ପ୍ରାଥୀ ଲକ୍ଷ୍ମୀଚନ୍ଦ୍ର ମାଝୀ । ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ବି ପ୍ରଚାରକୁ ଜୋରଦାର୍ କଲେଣି । ସୁନ୍ଦରଗଡ଼ କୁଆଁରମୁଣ୍ଡା ଅଂଚଳରେ ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀ ପ୍ରଚାରରେ ମାତିଛନ୍ତି । ବିଜୁଳି, ପାଣି, ବାର୍ଦ୍ଧକ୍ୟ ଭତ୍ତା, ରାସ୍ତା ଭଳି ମୌଳିକ ସମସ୍ୟା ସବୁ ମୁଖ୍ୟ ପ୍ରସଙ୍ଗ ହୋଇଛି । ପଂଚାୟତ ଭୋଟ୍ ଲାଗି ବିଭିନ୍ନ ସ୍ଥାନରେ ପ୍ରଚାର ଲାଗି ରହିଥିବାବେଳେ ଅସନ୍ତୁଷ୍ଟ ନେତାଙ୍କୁ ମନାଇବା ଏବେ ସବୁ ଦଳ ପାଇଁ ବଡ଼ ଚ୍ୟାଲେଂଜ ହୋଇଛି ।