• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

(ରିପୋର୍ଟ-ହରିହର ଚାନ୍ଦ): ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ଫେବ୍ରୁଆରୀ ୧୬ରୁ ଆରମ୍ଭ ହୋଇ ମୋଟ୍ ୫ଟି ପର୍ଯ୍ୟାୟରେ ମତଦାନ ହେବ । ସେହିପରି ଜିଲ୍ଲା ପରିଷଦଓ୍ୱାରୀ ଫେବ୍ରୁଆରୀ ୨୬ରୁ ୨୮ ମଧ୍ୟରେ ବ୍ଲକ୍ ଗୁଡ଼ିକରେ ଭୋଟ୍ ଗଣତି ହେବ । ପ୍ରାର୍ଥୀମାନେ ୧୭ରୁ ୨୧ ତାରିଖ ଭିତରେ ନାମାଙ୍କନ ପତ୍ର ଦାଖଲ କରିବେ ।

ଚଳିତ ନିର୍ବାଚନରେ ଭୋଟ୍ ଗ୍ରହଣ ସମୟ ଗତଥର ଅପେକ୍ଷା ଘଣ୍ଟାଏ ବଢ଼ାଯିବା ସହିତ ପ୍ରାର୍ଥୀଙ୍କ ସତ୍ୟପାଠ ଦାଖଲ ଓ ସେଣ୍ଟ୍ରାଲ କାଉଣ୍ଟିଂ ଭଳି କିଛି ନୂଆ ନିଷ୍ପତ୍ତି ନିଆଯାଇଛି । ତାରିଖ ଘୋଷଣା ସହିତ ଆଜିଠୁ ସାରା ରାଜ୍ୟରେ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି ।

ଫେବ୍ରୁଆରୀ ୧୬, ୧୮, ୨୦, ୨୨, ଓ ୨୪ ତାରିଖରେ ହେବ ମତଦାନ । ୧୬ ଫେବ୍ରୁଆରୀରେ ୭୧ଟି ବ୍ଲକର ୨୦୨ ଜିଲ୍ଲା ପରଷଦ ଜୋନ୍, ୧୮ରେ ୬୮ଟି  ବ୍ଲକ୍‌ର ୧୮୬ ଜିଲ୍ଲା ପରିଷଦ ଜୋନ୍, ୨୦ରେ ୬୩ ବ୍ଲକର ୧୭୧ଟି ଜୋନ୍, ୨୨ରେ ୬୪ଟି ବ୍ଲକ୍‌ର ୧୬୩ ଜୋନ୍ ଓ ୨୪ରେ ୪୮ଟି ବ୍ଲକର ୧୩୧ଟି ଜିଲ୍ଲା ପରିଷଦ ଜୋନ୍ ଓ ଏହା ଅଧୀନରେ ଥିବା ଓ୍ୱାର୍ଡ ଓ ପଂଚାୟତଗୁଡ଼ିକରେ ମତଦାନ କରାଯିବ ।

 

ତେବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଜାନୁଆରୀ ୧୩ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଜାନୁଆରୀ ୧୭ରୁ ୨୧ ଭିତରେ ନାମଙ୍କନପତ୍ର ଦାଖଲ, ୨୨ରେ ପ୍ରାର୍ଥିପତ୍ର ଯାଂଚ, ୨୫ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହର ଓ ସେହି ୨୫ ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ଫେବ୍ରୁଆରୀ ୨୬, ୨୭ ଓ ୨୮ ତିନି ଦିନ ଜିଲ୍ଲା ପରିଷଦଓ୍ୱାରୀ ଭୋଟ୍ ଗଣତି ହେବ । ସେହିପରି ୧୧ ମାର୍ଚ୍ଚରେ ନାଏବ ସରପଞ୍ଚ, ୧୨ ମାର୍ଚ୍ଚରେ ପଂଚାୟତ ସମିତି ଅଧ୍ୟକ୍ଷ, ୧୩ରେ ଜିଲ୍ଲା ପରିଷଦ ସଭାପତି, ୨୩ ମାର୍ଚ୍ଚରେ ପଂଚାୟତ ସମିତି ଉପାଧ୍ୟକ୍ଷ ଓ ୨୫ ମାର୍ଚ୍ଚରେ ଜିଲ୍ଲା ପରିଷଦ ଉପସଭାପତି ପଦ ଲାଗି ପରୋକ୍ଷରେ ନିର୍ବାଚନ ହେବ । ନିର୍ବାଚନ ତାରିଖ ଘୋଷଣା ସହ ସାରା ରାଜ୍ୟରେ ଆଜିଠୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଏହା ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏଥର ନିର୍ବାଚନରେ ୯୧ ହଜାର ୯୧୩ ଓ୍ୱାର୍ଡମେମ୍ବର, ୬ ହଜାର ୭୯୪ ସରପଞ୍ଚ, ୬ ହଜାର ୭୯୩ ସମିତି ସଭ୍ୟ ଓ ୮୫୩ ଜିଲ୍ଲା ପରିଷଦ ସଭ୍ୟଙ୍କ ଲାଗି ମତଦାନ ହେବ । ମୋଟ୍ ୨ କୋଟି ୭୯ ଲକ୍ଷ ଭୋଟର ନିର୍ବାଚନରେ ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ ।

୨୦୧୭ର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତୁଳନାରେ ଏଥର କିଛି ନୂଆ ପଦକ୍ଷେପ ନିଆଯାଇଛି । ପୂର୍ବରୁ ସକାଳ ୭ରୁ ଦିନ ୧୨ଟା ପର୍ଯ୍ୟନ୍ତ ଭୋଟ୍ ଦେବାର ବ୍ୟବସ୍ଥା ଥିଲା । ଏଥର ତାକୁ ଆଉ ଘଣ୍ଟାଏ ବଢ଼ାଯାଇ ଅପରାହ୍ନ ଗୋଟାଏ ଯାଏଁ କରାଯାଇଛି । ସେହିପରି ପୂର୍ବ ବ୍ୟବସ୍ଥାରେ ଭୋଟ୍‌ ଗ୍ରହଣ ଦିନ ହିଁ  ବୁଥ୍ଓ୍ୱାରୀ ଗଣତି ହେଉଥିଲା । ଏଥର କିନ୍ତୁ ସମସ୍ତ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ବ୍ଳକ୍ ହେଡ୍‌କ୍ୱାର୍ଟରରେ ସେଣ୍ଟ୍ରାଲ କାଉଣ୍ଟିଂ ହେବ । ସରପଂଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀମାନେ ସେମାନଙ୍କ ବିରୋଧରେ ଥିବା ଅପରାଧିକ ମମଲା, ସଂପତ୍ତି ତାଲିକା ଓ ଶିକ୍ଷାଗତ ଯୋଗ୍ୟତା, ସତ୍ୟପାଠରେ ଉଲ୍ଲେଖ କରିବା ବାଧ୍ୟତାମୂଳକ  ଯେଉଁମାନେ ଏହାକୁ ଖିଲାପ କରିବେ ଦଣ୍ଡବିଧାନ ବ୍ୟବସ୍ଥା ରହିଛି ।

ଓ୍ୱାର୍ଡମେମ୍ବର ପ୍ରାର୍ଥୀ ସେଲ୍ଫ ଡିକ୍ଲାରେସନ୍ ଦେବେ । ପ୍ରାର୍ଥୀମାନଙ୍କ ଖର୍ଚ୍ଚ ସୀମା ବି ବଢ଼ାଯାଇଛି । ପୂର୍ବରୁ ସରପଂଚ ଓ ସମିତି ସଭ୍ୟ ପ୍ରାର୍ଥୀ ୮୦ ହଜାର ଟଙ୍କା ଓ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରୁଥିଲେ । ଏଥର କିନ୍ତୁ ସରପଂଚ ଓ ସମିତିସଭ୍ୟ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓ ଜିଲ୍ଲା ପରିଷଦ ସଭ୍ୟ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବ ।

ଭୋଟ୍ ପରେ ବାଲଟ୍ ବକ୍ସଗୁଡ଼ିକୁ ବ୍ଲକ୍ ସଦରମହକୁମାରେ ଥିବା ଷ୍ଟ୍ରଙ୍ଗରେ ରୁମ୍‌ରେ ରଖାଯିବ । ସେପଟେ ନିର୍ବାଚନରେ ସୁରକ୍ଷା ଦୃଷ୍ଟିରୁ ପ୍ରାୟ ୨ ଶହ ପ୍ଲାଟୁନ୍ ଫୋର୍ସ ରହିବେ ବୋଲି ସୂଚନା ମିଳିଛି । ସେହିପରି ନିର୍ବାଚନ ପାଇଁ ୧୪୨ କୋଟି ଟଙ୍କାର ବଜେଟ୍ ରଖାଯାଇଛି ।