Advertisment

ଏଥର ତୃଣମୂଳସ୍ତରର ରାଜନୀତିକୁ ଓହ୍ଲାଇଛନ୍ତି ବଡ଼ ପାଠୁଆ

ଏହା ସତ୍ୟ ଯେ, ପୂର୍ବ ଥରମାନଙ୍କ ଅପେକ୍ଷା ଏଥର ପଞ୍ଚାୟତ ନିର୍ବାଚନ ଟିକେ ଅଲଗା ହେବ

author-image
Chandan Shishu
Odisha Panchayat Polls

Odisha Panchayat Polls

ଭୁବନେଶ୍ୱର: ପେଷା ସିନା ରୋଗୀ ସେବା, ହେଲେ ମନ କିନ୍ତୁ ଢଳିଛି ରାଜନୀତି ଆଡ଼କୁ। ନୂଆ କରି ପଲିଟିକ୍ସରେ ପାଦ ଦେଇ ପଞ୍ଚାୟତ ନିର୍ବାଚନରୁ ଭାଗ୍ୟ ପରୀକ୍ଷା ପାଇଁ ମନ ବଳାଇଥିବା ଆଦିବାସୀ ଝିଅ ହେଲେ ଲିପିକା ମାଝୀ। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକର ୨ନମ୍ବର ଜିଲ୍ଲା ପରିଷଦ ଆସନ ପାଇଁ କଂଗ୍ରେସ ଟିକଟ୍‌ରେ ନାମାଙ୍କନ ଭରିଥିବା ଲିପିକାଙ୍କର ରହିଛି ଆଉ ଏକ ପରିଚୟ। ସେ ହେଲେ ଟାଣୁଆ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କ ଝିଅ। ଲିପିକା ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଦାନ୍ତ ଡାକ୍ତର ହେଲେ ତାଙ୍କ ଅଞ୍ଚଳର ସରଳ ଆଦିବାସୀଙ୍କ ପ୍ରତି ଥିବା ପ୍ରଚୁର ଭଲପାଇବା ତାଙ୍କୁ ନିର୍ବାଚନକୁ ଟାଣି ଆଣିଛି।

Advertisment

ଉଭୟ ଦଳୀୟ ଚିହ୍ନ ଓ ବାପା ଭୁଜବଳଙ୍କ ଲୋକ ସମ୍ପର୍କ ତାଙ୍କ ପାଇଁ ସବୁଠୁ ଆଶିର୍ବାଦ ହେବ ବୋଲି ଆଶାବାଦୀ ଲିପିକା। ସେମିତି ତୃଣମୂଳ ସ୍ତର ରାଜନୀତିରେ ପାଦ ଥାପିବାକୁ ଇଚ୍ଛା କରିଥିବା ଆଉ ଜଣେ ପାଠୁଆ ଝିଅ ହେଲେ ପ୍ରଜ୍ଞାପାରମିତା ଜେନା। ମେଧାବୀ ପ୍ରଜ୍ଞା, ଏମବିଏ ଦ୍ୱିତୀୟ ବର୍ଷର ଛାତ୍ରୀ। ପଠାପଢ଼ା ଚାଲିବ ରାଜନୀତି ମାଧ୍ୟମରେ ଜନସେବା ବି ଚାଲିବ। ଏଇ ଲକ୍ଷ୍ୟ ନେଇ ବାଲେଶ୍ୱର ଜିଲ୍ଲାର ୩୫ନମ୍ବର ଜୋନ୍‌ରୁ ବିଜେପିରୁ ମନୋନୟନପତ୍ର ଭରିଥିବା ପ୍ରଜ୍ଞା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଆଦର୍ଶ। ଆଉ ଏଠି ତାଙ୍କ ନିର୍ବାଚନୀ ନାଆର ମଙ୍ଗ ଧରିଛନ୍ତି ସାଂସଦ ପ୍ରତାପ ନନା।

କଥା ଏତିକିରେ ସରିନି, ବିଦେଶରୁ ମୋଟା ଦରମାର ସଫଟୱେର ଚାକିରି ଛାଡ଼ି ବି ପଞ୍ଚାୟତ ରାଜନୀତିକୁ ଡେଇଁଥିବା ପ୍ରାର୍ଥୀଙ୍କୁ ଦେଖିବାକୁ ମିଳିଛି ଏଥର ନିର୍ବାଚନରେ। ତେନ୍ତୁଳିଖୁଣ୍ଟି ବ୍ଲକ୍ ୨ନମ୍ବର ଜୋନ୍ ଜିଲ୍ଲା ପରିଷଦ ଆସନ ପାଇଁ ବିଜେଡି ଟିକଟରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ରତିକାନ୍ତ ପଣ୍ଡା ରତିକାନ୍ତଙ୍କ ଇଚ୍ଛା ତାଙ୍କ ପାଖେ ଥିବା ବୈଷୟିକ ଜ୍ଞାନର ଲାଭ ତାଙ୍କ ଗାଁ ଓ ଜନ୍ମମାଟିକୁ ବି କିଛି ମିଳୁ।

Advertisment

ସେମିତି ପୁରୀ ବ୍ରହ୍ମଗିରିର ୩୦ ନମ୍ବର ଜୋନ୍‌ର କଂଗ୍ରେସ ପ୍ରାର୍ଥୀ ଭାବେ ନୋମିନେସନ ଭରିଥିବା ଆଇଟି ପ୍ରଫେସନାଲ ସନ୍ତୋଷ ପ୍ରଧାନଙ୍କ ଉଦ୍ଦେଶ୍ୟ ବି କିଛି କମ୍ ମହତ ନୁହେଁ। କହିଛନ୍ତି ବେଙ୍ଗଳୁରୁରୁ ଭଲ ଚାକିରି ଛାଡ଼ି ଆସିଛି ମାନେ, କରୋନା ଭଳି ଘଡ଼ିସନ୍ଧି ମୁହୁର୍ତ୍ତରେ ନିଜ ଅଞ୍ଚଳର ବେକାର ଯୁବକ-ଯୁବତୀଙ୍କ କାମରେ ଲାଗିବି, ପାରୁପର୍ଯ୍ୟନ୍ତ ସେମାନଙ୍କୁ ସ୍ୱାବଲମ୍ବୀ କରାଇବାକୁ ଚେଷ୍ଟା କରିବି।

ସେମିତି ଦୀର୍ଘ ୨୧ବର୍ଷ ଧରି ସୈନିକ ଭାବେ ଦେଶ ସେବା କରିବା ପରେ ଏବେ ସରପଞ୍ଚ ହୋଇ ଗାଁ ଲୋକଙ୍କ ସେବା କରିବାକୁ ମନ ବଳାଇଥିବା ଏ ଅବସରପ୍ରାପ୍ତ ସିଆରପିଏଫ୍ ଯବାନ ଜଣକ ହେଲେ ଜର୍ଜ ଓ୍ୱିଲିୟମ ଲୁଗୁନ୍। ସୁନ୍ଦରଗଡ଼ ଜିଲ୍ଲା ଉର୍ମେଇ ପଞ୍ଚାୟତରୁ ସରପଞ୍ଚ ପଦ ପାଇଁ ମଇଦାନକୁ ଓହ୍ଲାଇଥିବା ଲୁଗୁନ୍ ଦୃଢ଼ ଆଶାବାଦୀ, ଲୋକେ ତାଙ୍କୁ ନିଶ୍ଚେ ସୁଯୋଗ ଦେବେ।

ତେବେ ଏତେସବୁ ଭିତରେ ଟିକେ ଅଧିକ ଚର୍ଚ୍ଚାରେ କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ। ସେ ଏଥର ଜିଲ୍ଲା ପରିଷଦ ପାଇଁ ନୁହେଁ ବରଂ ସାଲେପୁର ବ୍ଲକ ଓଢ଼ାସିଂହ ସରପଞ୍ଚ ପଦ ପାଇଁ ନାମାଙ୍କନ ଭରିଛନ୍ତି। କହିଛନ୍ତି ବିକାଶରେ ତାଙ୍କ ପଞ୍ଚାୟତ ପଛରେ ପଡ଼ିଛି, ସେଥିରେ ଉନ୍ନତି ଲାଗି ସେ ଏ ଭଳି ନିଷ୍ପତ୍ତି ନେଇଛନ୍ତି।

Odisha Panchayat Election Political Leader
Advertisment
Advertisment