/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643382158.jpg)
Panchayat Election Music
ଏଥରର ପଞ୍ଚାୟତ ନିର୍ବାଚନ ଟିକେ ଅଲଗା ପ୍ରକାର । ମାନେ ପ୍ରଚାର ଦୃଷ୍ଟିରୁ ଦେଖିଲେ ସଭା, ସମାବେଶ, ରାଲି, ରୋଡ୍ ସୋ ଉପରେ ଲାଗିଛି କଟକଣା । ତା ବଦଳରେ ଦେଖିବାକୁ ମିଳୁଛି ଡିିଜିଟାଲ କ୍ୟାମ୍ପେନିଂ । ଫେସ୍ବୁକ୍, ଟ୍ୱିଟର, ଇନ୍ଷ୍ଟାଗ୍ରାମ ପରି ସୋସିଆଲ ସାଇଟ ଜରିଆରେ ଅଧିକ ପ୍ରଚାର ହେଉଛି । କରୋନା କଟକଣାରେ ଭିଡ଼ ଏଡ଼ାଇବା ସହିତ ଡିଜିଟାଲ କ୍ୟାମ୍ପେନିଂରେ ବେଶ୍ ସହାୟକ ହେଉଛି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ହିଟ୍ ନିର୍ବାଚନୀ ଗୀତ ।
ଗୀତରେ ଗୀତରେ ପ୍ରାର୍ଥୀଙ୍କ ନାଁ, କେଉଁ ପଞ୍ଚାୟତରୁ, କେଉଁ ପଦବୀ ପାଇଁ ଲଢୁଛନ୍ତି, ଏସବୁର ପ୍ରଚାର କରାଯାଉଛି । ନିର୍ବାଚନୀ ପ୍ରତିଶ୍ରୁତି ବି ରହିଛି ଏଥିରେ । ତେଣୁ ରେକର୍ଡିଂ ଷ୍ଟୁଡିଓରେ ଅନୁଭବ ହେଉଛି ପଞ୍ଚାୟତ ନିର୍ବାଚନୀ ଉଷ୍ଣତା । ହିଟ୍ ଟ୍ରାକ୍ରେ ମନମତାଣିଆ ସ୍ୱରରେ ସୁମଧୁର ଗୀତ । ଭୋଟରଙ୍କ ମନ ଜିଣିବାକୁ ମାର୍କେଟରେ ଏବେ ଚାଲିଥିବା ଲୋକପ୍ରିୟ ଟ୍ରାକ୍ରେ ଗୀତ ପ୍ରସ୍ତୁତ କରିବାକୁ ବରାଦ ଦେଇଛନ୍ତି ପ୍ରମୁଖ ଦଳ । ଏପରିକି ସ୍ବାଧୀନ ପ୍ରାର୍ଥୀ ମଧ୍ୟ ସାମାନ ରାସ୍ତାରେ ଚାଲିଛନ୍ତି । ମତଦାତାଙ୍କ ସହିତ ଯେପରି ସଂପର୍କ ଯୋଡ଼ି ହେବ, ସେଥିପାଇଁ ପଶ୍ଚିମ ଓଡ଼ିଶାରେ ସମ୍ବଲପୁରୀ ଗୀତ ଓ ଦକ୍ଷିଣ ଓଡ଼ିଶାରେ କୋରାପୁଟିଆ ଦେଶୀ ଗୀତ ମଧ୍ୟ ପ୍ରସ୍ତୁତ କରାଯାଉଛି । ଗୀତର ମଝିରେ ମଝିରେ ରହିଛି ପ୍ରାର୍ଥୀଙ୍କ ନାଁକୁ ନେଇ ସ୍ୱତନ୍ତ୍ର ନାରା ।
କରୋନା ପାଇଁ ୨ ବର୍ଷ ହେଲା ହାତ ବାନ୍ଧି ବସିଥିବା କଳାକାରଙ୍କ ପାଇଁ ପଞ୍ଚାୟତ ନିର୍ବାଚନ ଆଣିଛି ଅପୂର୍ବ ସୁଯୋଗ । ଭଲ ଦୁଇ ପଇସା ରୋଜଗାର ସହିତ ନିଜର ପ୍ରତିଭା ପ୍ରଦର୍ଶନର ମଧ୍ୟ ମଉକା ମିଳିଛି । କୌଣସି ଦଳ କି ପ୍ରାର୍ଥୀଙ୍କ ଲାଗି ବାଛ ବିଚାର ନାହିଁ । ଯିଏ ବରାଦ ଦେଲା, ତା ପାଇଁ ଗୀତ ହେଉଛି । ପ୍ରାର୍ଥୀଙ୍କୁ ଦେଖି ଫିକ୍ସ କରାଯାଉଛି ବଜେଟ । କଳାକାରଙ୍କ ପାଇଁ ବଡ଼ କଥା ହେଲା, ଏତେ ଦିନ ପରେ ସେମାନେ ଗୀତ ଗାଇବାର ସୁଯୋଗ ପାଇଛନ୍ତି ।
କଣ୍ଠଶିଳ୍ପୀ, ଗୀତିକାର, ସଂଗୀତ ନିର୍ଦ୍ଦେଶକ ଓ ଷ୍ଟୁଡିଓ ଟେକ୍ନିସିଆନଙ୍କୁ ଏବେ ଫୁର୍ସତ ନାହିଁ । ଦିନ ରାତି କାମରେ ଲାଗିଛନ୍ତି, କେମିତି ନିଜ କ୍ଲାଏଣ୍ଟଙ୍କ ମନ ଲାଖି ଗୀତ ପ୍ରସ୍ତୁତ କରିବେ ଏବଂ ସେଇ ଗୀତ ଯେମିତି ହିଟ୍ ହେବ, ଭୋଟରଙ୍କୁ ଭଲ ଲାଗିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)