• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ଓଲଟ ପାଲଟ ହେବାକୁ ଯାଉଛି ପଂଚାୟତ ନିର୍ବାଚନ ସଂରକ୍ଷଣ ଗଣିତ । ପୁଣି ମୂଳରୁ ବଦଳିବ ସଂରକ୍ଷଣ ହିସାବ । ପଛୁଆ ବର୍ଗଙ୍କ ଲାଗି ଆଉ ସିଟ୍ ସଂରକ୍ଷଣ ନରହି, ଏହା ଅଣସଂରକ୍ଷିତ ବର୍ଗରେ ରହିବ । ପଂଚାୟତ ନିର୍ବାଚନ ସଂରକ୍ଷଣ ବିଜ୍ଞପ୍ତି ପ୍ରତ୍ୟାହାର କରିବା ନେଇ ରାଜ୍ୟ ସରକାର ହାଇକୋର୍ଟକୁ ଜଣାଇବାପରେ ଏଭଳି ସ୍ଥିତି ଉପୁଜିଛି ।

ଫଳରେ ଆସନ୍ତା ୨୭ ତାରିଖରେ ସଂରକ୍ଷଣର ସାନି ତାଲିକା ପ୍ରକାଶ ପାଇବ । ଏନେଇ ଜିଲ୍ଲାପାଳମାନଙ୍କୁ ଅବଗତ କରିଛି ପଂଚାୟତିରାଜ ବିଭାଗ । ଜିଲ୍ଲା ପ୍ରଶାସନ ବି ସେ ଦିଗରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ହଟିବା ପରେ ଅଣସଂରକ୍ଷିତ ସିଟ୍ ସଂଖ୍ୟା ବଢ଼ିବ । ହିସାବ ଅନୁଯାୟୀ, ନୂଆ ତାଲିକା ଆସିବା ପରେ ମୋଟ୍ ୯୧ ହଜାର ୯୧୩ ଓ୍ୱାର୍ଡ ମଧ୍ୟରୁ ୨୫ ହଜାର ୫୫୨ଟି ଓ୍ୱାର୍ଡ ଅଣସଂରକ୍ଷିତ ବର୍ଗ ଓ ୨୫ ହଜାର ୯୯ଟି ଓ୍ୱାର୍ଡ ମହିଳାଙ୍କ ପାଇଁ ସଂରକ୍ଷିତ ରହିପାରେ ।

ସେହିଭଳି ସରପଞ୍ଚଙ୍କ କ୍ଷେତ୍ରରେ ୧୬୩୧ଟି ଅଣସଂରକ୍ଷିତ ଓ ୧୫୯୯ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିବାର ସମ୍ଭାବନା ରହିଛି । ଠିକ୍ ସେଭଳି ସମିତି ସଭ୍ୟ କ୍ଷେତ୍ରରେ ୧୯୧୬ଟି ଅଣସଂରକ୍ଷିତ ଓ ୧୮୨୩ଟି ସିଟ୍ ମହିଳାଙ୍କ ଲାଗି ରିଜର୍ଭ ରହିବ ବୋଲି କୁହାଯାଉଛି । ଜିଲ୍ଲା ପରିଷଦ ସଭ୍ୟ କଥା ଦେଖିଲେ ୨୫୬ଟି ଅଣସଂରକ୍ଷିତ ଓ ୨୩୧ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିବ ବୋଲି ଜଣାପଡିଛି । ପଂଚାୟତିରାଜ ମନ୍ତ୍ରୀ କହିଛନ୍ତି ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଓବିସି ସିଟ୍‌ଗୁଡ଼ିକ ଅଣସଂରକ୍ଷିତ ସିଟ୍‌କୁ ବଦଳି ଯିବ ।

ପଛୁଆ ବର୍ଗ କମିଶନ୍ ମାଧ୍ୟମରେ ବିସ୍ତୃତ ତଥ୍ୟ ଆସିବାପରେ ହିଁ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ଦିଆଯାଇପାରିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ସରକାର ବାଧ୍ୟ ହୋଇ ପଂଚାୟତ ନିର୍ବାଚନ ସଂପର୍କିତ ସଂରକ୍ଷଣ ବିଜ୍ଞପ୍ତି ପ୍ରତ୍ୟାହାର କଲେ । ଓଡ଼ିଶାରେ କିନ୍ତୁ ୨୦୨୦ ଫେବ୍ରୁଆରୀରେ ପଛୁଆ ବର୍ଗ କମିଶନ ଗଠନ ହୋଇଥିଲା । ଏହାକୁ ପାଖାପାଖି ୨ ବର୍ଷ ହୋଇସାରିଥିଲେ ବି ରାଜ୍ୟରେ ପଛୁଆ ବର୍ଗଙ୍କ ସଂଖ୍ୟା କେତେ ସର୍ଭେ ହୋଇପାରି ନାହିଁ । ଯଦି ସର୍ଭେ ସରିଥାନ୍ତା ତେବେ ଏଭଳି ସ୍ଥିତି ଉପୁଜିନଥାନ୍ତା ଓ ପଛୁଆ ବର୍ଗ ସଂରକ୍ଷଣରୁ ବଂଚିତ ହୋଇନଥାନ୍ତେ ବୋଲି ବିରୋଧୀ କହିଛନ୍ତି ।

ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରି ବର୍ଷିଛନ୍ତି ବିଜେପି ଓ କଂଗ୍ରେସ୍ । ଜବାବରେ ବିଜେଡି କହିଛି, ଆଗାମୀ ପଂଚାୟତ ନିର୍ବାଚନରେ ଦଳ ୨୭ ପ୍ରତିଶତ ଆସନରେ ପଛୁଆ ବର୍ଗଙ୍କୁ ପ୍ରାର୍ଥୀ କରିବ ବୋଲି ପୂର୍ବରୁ ଘୋଷଣା କରିସାରିଛି । ତେଣୁ ପଛୁଆ ବର୍ଗକୁ ଦଳ ଅବହେଳା କରୁନାହିଁ ।

ଜାନୁୟାରୀ ୭ ତାରିଖରେ ରାଜ୍ୟ ସରକାର ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ କରି ରାଜ୍ୟ ନିର୍ବାଚନ ଆୟୋଗକୁ ପ୍ରଦାନ କରିବେ । ତେବେ ଅନୁସୂଚିତ ଜାତି, ଜନଜାତି, ସଧାରଣ ବର୍ଗ ଓ ମହିଳାଙ୍କ ପାଇଁ ଆସନ ସଂରକ୍ଷଣ ରହିବ । ପଛୁଆ ବର୍ଗଙ୍କ ଲାଗି ଆସନ ସଂରକ୍ଷଣ ରହୁନଥିବାରୁ ଅସନ୍ତୋଷ ବଢିବାର ଆଶଙ୍କା ରହିଛି ।