• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୋଟ୍ ହିଂସା କମିଛି, ହେଲେ ଥମିନି । ଚତୁର୍ଥ ପର୍ଯ୍ୟାରେ ବି ବିଶୃଙ୍ଖଳା.. ଉତ୍ତେଜନା । ପ୍ରଥମ ତିନି ପର୍ଯ୍ୟାୟରେ ଚରମ ଭୋଟ୍ ବିଶୃଙ୍ଖଳାର ମାଳ ମାଳ ଚିତ୍ର ପରେ ଲାଗୁଥିଲା ଚତୁର୍ଥ ପର୍ଯ୍ୟାୟରେ ନିୟନ୍ତ୍ରଣକୁ ଆସିଯିବ । ହେଲେ ଆଜି ବି ଅନେକ ସ୍ଥାନରୁ ଆସିଛି ହିଂସା ଓ ଉତ୍ତେଜନାର ଖବର । କେଉଁଠି ବିଡିଓଙ୍କୁ ଠେଲାପେଲା ତ କେଉଁଠି ପ୍ରିଜାଇଡିଂ ଅଫିସରଙ୍କୁ ଘେରିଛନ୍ତି ଭୋଟର । ବରଗଡ଼ ଲୋହରାଚଟିରେ ରାଜନୈତିକ ହିଂସାରେ ଦୁଇଜଣ ଗୁରୁତର ହୋଇଛନ୍ତି । ଶେଷ ପର୍ଯ୍ୟାୟ ପ୍ରଚାରବେଳେ କାକଟପୁର-ଅସ୍ତରଂଗରେ ପିଟାପିଟି ହୋଇଛନ୍ତି ବିଜେଡି-ବିଜେପି କର୍ମୀ । 

ଜଗତସିଂହପୁର ରାହାମାର ପୋଲିଂ କର୍ମଚାରୀଙ୍କୁ ମାଡ଼, ବିଡିଓଙ୍କୁ ଠେଲାପେଲା । ସୂଚନା ଅନୁସାରେ କୁଜଙ୍ଗ ପଣ୍ଡୁଆ ପଞ୍ଚାୟତର ୧୦ନଂ ବୁଥ୍‌ରେ ନିର୍ବାଚନ ପରେ ବାଲାଟ୍ ବକ୍ସ ଧରି ଫେରିଥିଲେ ପୋଲିଂ ପାର୍ଟି । ରାହାମାସ୍ଥିତ କଣ୍ଟ୍ରୋଲ ରୁମ୍‌ରେ ରଖାଯିବା ପୂର୍ବରୁ ଏକ ନିରୋଳା ସ୍ଥାନରେ ଜଣେ ପୋଲିଂ କର୍ମଚାରୀ ଭୋଟ୍ ବାକ୍ସକୁ ଟାମ୍ପରିଂ କରୁଥିବା କିଛି ଲୋକ ଦେଖିଥିଲେ । ଏହାକୁ ନେଇ ତୀବ୍ର ଉତ୍ତେତନା ପ୍ରକାଶ ପାଇଥିଲା । ଆଉ ଉତ୍ତ୍ୟକ୍ତ ଲୋକେ ପ୍ରଶାସନିକ ଅଧିକାରୀ ଓ ପୋଲିଂ ପାର୍ଟିକୁ ଅଟକାଇ ଦୀର୍ଘ ସମୟ ଧରି ଧାରଣା ଦେଇଥିଲେ ।

ସେପଟେ ଚୌଦ୍ୱାରରେ ଅତି ସହଜରେ ଖୋଲି ଯାଉଛି ଭୋଟ୍ ବାକ୍ସ । ଯାହାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । କଟକ ଟାଙ୍ଗି-ଚୌଦ୍ୱାର ବ୍ଲକ୍ ଗରୁଡ଼ଗାଁର ୧୧ ନମ୍ବର ବୁଥ୍‌ରେ ଆଜି ଏଠାରେ ଶାନ୍ତିଶୃଙ୍ଖଳାରେ ଭୋଟ୍ ଶେଷ ହୋଇଥିଲା, ହେଲେ ଭୋଟ୍ ସରିବା ପରେ ବାଲାଟ୍ ବକ୍ସ ସିଲ୍ କରାଯାଇ ନେବା ବେଳେ ଲକ୍ ଖୋଲି ଯାଇଥିଲା । ଏହି ଘଟଣା ପରେ ଲୋକେ ପ୍ରିଜାଇଡିଂ ଅଫିସରଙ୍କୁ ଘେରିଥିଲେ । ସ୍ଥାନୀୟ ପୋଲିସ ଓ ତହସିଲଦାରଙ୍କ ଉପସ୍ଥିତିରେ ଆଉ ଏକ ଖାଲିବାକ୍ସ ଆଣି ବାଲାଟ୍‌ପେପର ଭର୍ତ୍ତି କରି ସିଲ୍ ହୋଇଥିଲେ ବି ଲୋକେ କିନ୍ତୁ ଏହାର ସୁରକ୍ଷାକୁ ନେଇ ସନ୍ତୁଷ୍ଟ ନଥିବା କହିଛନ୍ତି । ଲୋକେ ଏଠି ରିଂ-ପୋଲିଂ ପାଇଁ ଦାବି କରୁଥିବା ବେଳେ ଭୋଟ୍‌ବାକ୍ସ ଖୋଲିଯିବା ନେଇ ପ୍ରିଜାଇଡିଂ ଅଫିସର ଟେକନିକାଲ୍ ପ୍ରୋବ୍ଲେମ୍ ବୋଲି କହିଛନ୍ତି ।

ଆଜି ଭୋଟ୍ ହିଂସାର ଏକ ତାଜା ଚିତ୍ର ଆସିଛି ବରଗଡ଼ ଲୋହରାଚଟି ପଞ୍ଚାୟତରୁ । ପାଣିକିପାଲ୍ଲି ବୁଥ୍‌ରେ ଦୁଇ ରାଜନୈତିକ ଦଳ ସମର୍ଥକ ଗୋଷ୍ଠୀଙ୍କ ମଧ୍ୟରେ ନିର୍ବାଚନ ଜିତିବାକୁ ନେଇ କମେଣ୍ଟମରାରୁ ଘଟିଛି ଗୋଷ୍ଠୀ ସଂଘର୍ଷ । ଯେଉଁଥିରେ ଅକ୍ଷୟ ଭୋଇ ଓ ରାଜୁ ସାହୁ ନାମକ ଦୁଇଜଣ ଆହତ ହୋଇଛନ୍ତି । ଉଭୟଙ୍କୁ ପ୍ରଥମେ ସୋହେଲା ଓ ପରେ ବରଗଡ଼ ମୁଖ୍ୟ ଡାକ୍ତରଖାନାକୁ ପଠାଇଯାଇଛି । ସ୍ଥିତି ନିୟନ୍ତ୍ରଣ ପାଇଁ ଗାଁରେ ଫୋର୍ସ ମୁତୟନ କରାଯାଇଛି ।

ସେମିତି ପୋଲିଂ ବୁଥ୍ ଆଗରେ ହଲ୍ଲାପଟା ଓ ଉଚ୍ଚବାଚର ଦୃଶ୍ୟ ଦେଖିବାକୁ ମିଳିଛି ଯୋଡ଼ା ବ୍ଲକ ବାଲାଗୋଡା ପଞ୍ଚାୟତରେ । ଏଠାକାର ୨୩ ଓ ୨୫ ନମ୍ବର ବୁଥ୍‌ରେ ଭୋଟିଂ ସରିବା ପରେ ବି କିଛି ଲୋକ ଜବରଦସ୍ତ ପଶିବାକୁ ଉଦ୍ୟମ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । କେନ୍ଦୁଝର ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡିଥିଲା । ତେଣେ ଅନ୍ତିମ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ପ୍ରଚାରର ଶେଷ ଦିନରେ ବି ରାଜନୈତିକ ଦଳର ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁର ଚିତ୍ର ଆସିଛି ।