• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସେପ୍ଟେମ୍ବରରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଶାହାଙ୍କ ଗସ୍ତର ମାସେ ପରେ ନଡ୍ଡା ଆସୁଥିବାରୁ ଓଡିଶା ଯେ, ବିଜେପି କେନ୍ଦ୍ରୀୟ କମିଟିର ଫୋକସ୍‌ରେ ରହିଛି ସେକଥା ସ୍ପଷ୍ଟ ହୋଇଛି । ସାଧାରଣ ନିର୍ବାଚନ ଲାଗି ସମୟ କମ୍ ଥିବାରୁ ତୃଣମୂଳସ୍ତରରୁ ସଂଗଠନକୁ ମଜବୁତ କରି ବିରୋଧୀରୁ, ଶାସନ ଗାଦିକୁ ଆସିବା ଲାଗି ପ୍ରୟାସ କରିବ ଦଳ । ରାଜନୈତିକ ସମୀକ୍ଷକଙ୍କ ମତରେ ଦଳ ପାଇଁ ସୁଯୋଗ ରହିଛି, କିନ୍ତୁ ବାଟ ସେତେଟା ସହଜ ନୁହେଁ । ଅନ୍ୟପଟେ ବିଜେଡି ଓ କଂଗ୍ରେସ ବି ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି ।

ବିଜେପିର ମିଶନ ୨୦୨୪ । ରାଜ୍ୟରେ କ୍ଷମତା ଦଖଲ ଲାଗି ଦଳର ସଜବାଜ । ଗଲା ୮ ତାରିଖରେ ଆସିଥିଲେ ଗୃହମନ୍ତ୍ରୀ ଅମିତ୍ ଶାହ । ସେପ୍ଟେମ୍ବରରେ ଆସିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ନୂଆକରି ପ୍ରଭାରୀ ଦାୟିତ୍ୱ ପାଇଥିବା ସୁନୀଲ ବଂଶଲ ସେପ୍ଟେମ୍ବର ୫ ଓ ୬ ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ରାଜ୍ୟ ନେତାଙ୍କ ସହ ଆଲୋଚନା କରିବା ପରେ ଆସିବେ ଜେ.ପି ନଡ୍ଡା ।

ଖାଲି ସେତିକି ନୁହେଁ ସେପ୍ଟେମ୍ବର ତୃତୀୟ ସପ୍ତାହରେ ଦଳର ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ । ଯେଉଁଥିରେ ୨୦୨୪ ନିର୍ବାଚନ ଲାଗି ପ୍ରସ୍ତୁତ ହେବାକୁ କର୍ମୀଙ୍କୁ ଗୁରୁମନ୍ତ୍ର ଦିଆଯିବ । ସେହିପରି ଦଳୀୟ ନେତାଙ୍କୁ ଦାୟିତ୍ୱ ବଣ୍ଟନ କରାଯିବ । ତୃଣମୂଳସ୍ତରରେ ଦଳକୁ ମଜବୁତ କରିବା ଲାଗି ଦଳ ରଣନୀତି ପ୍ରସ୍ତୁତ କରିବ । ରାଜ୍ୟର ବିଭିନ୍ନ ସମସ୍ୟାକୁ ଲୋକଙ୍କ ପାଖରେ ପହଞ୍ଚାଇ ସେମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ଲାଗି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବ । ୨୦୨୩ରେ ଆଗୁଆ ନିର୍ବାଚନ ହେବା ନେଇ ଚର୍ଚ୍ଚା ଭିତରେ ବିଜେପି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ।

ଶାସକ ବିଜେଡି ଓ କଂଗ୍ରେସ ବି ଆଗୁଆ ନିର୍ବାଚନ ଗନ୍ଧ ବାରିବା ପରେ ତତ୍ପର ହୋଇଛନ୍ତି । ବିଜେଡି ଯୁବ ଓ ଛାତ୍ର ସଂଗଠନର କଳେବର ବଢାଇବା ସହ ଯୁବ ଭୋଟ ବ୍ୟାଙ୍କ ଉପରେ ନଜର ରଖିଛି । ତେଣେ ରାହୁଲ ଗାନ୍ଧୀ ଆସନ୍ତା ୭ରୁ ଭାରତ ଯୋଡ଼ ଅଭିଯାନ ଆରମ୍ଭ କରିବାକୁ ଯାଉଥିବା ବେଳେ ରାଜ୍ୟ କଂଗ୍ରେସ ଦରଦାମ ବୃଦ୍ଧି ଓ ବେକାରୀ ପ୍ରସଙ୍ଗକୁ ନେଇ ଆରମ୍ଭ କରିଛି ମେହଙ୍ଗାଇ ପେ’ ଚର୍ଚ୍ଚା କାର୍ଯ୍ୟକ୍ରମ ।

ଗଲା ୮ ତାରିଖରେ ଅମିତ ଶାହା ଓଡିଶା ଗସ୍ତ ଅଣରାଜନୈତିକ ଥିଲା । ତେବେ ଏହି ସମୟରେ ସେ ରାଜ୍ୟର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଥିଲେ । ଏମିତିକି ୨୦୨୪ରେ ଓଡ଼ିଶାରେ ବିଜେପି ସରକାର ଗଢିବ ବୋଲି ସେ କର୍ମୀ ଓ ନେତାଙ୍କୁ କହିଲେ । ତେଣୁ ରାଜ୍ୟରେ ଦଳ କିଭଳି କ୍ଷମତା ଦଖଲ କରିପାରିବ ସେଥିଲାଗି ନଡ୍ଡା ଓ ନୂଆ ପ୍ରଭାରୀ ରଣନୀତି ପ୍ରସ୍ତୁତ କରିବେ । ରାଜନୈତିକ ସମୀକ୍ଷକଙ୍କ ମତରେ, ଓଡିଶାରେ ସରକାର ଗଠନ ଲାଗି ଶାହାଙ୍କ ସ୍ୱପ୍ନ ଓ ମିଶନ ୧୨୦ ଅଧାରେ ରହିଛି । ଏହାକୁ ସଫଳ କରିବାକୁ ହେଲେ ଦଳକୁ ତୁରନ୍ତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ହେବ ।

ସାଧାରଣ ନିର୍ବାଚନକୁ ଦୁଇବର୍ଷରୁ କମ୍ ସମୟ । ତେବେ ଯଦି ଆଗୁଆ ନିର୍ବାଚନ ହୁଏ ତେବେ ରାଜନୈତିକ ଦଳଙ୍କ ହାତରେ ସମୟ ବହୁତ୍ କମ୍ । ପଞ୍ଚାୟତ ଓ ପୌର ନିର୍ବାଚନରେ ନୈରାଶଜନକ ପ୍ରଦର୍ଶନ, ବିଜେପି ପାଇଁ ଅଡୁଆକୁ ଆହୁରି ବଢାଇଛି । ତେଣୁ ବିଜେଡିକୁ ପରାସ୍ତ କରି ଶାସନ ହାତେଇବାକୁ ହେଲେ ଦଳକୁ ପକ୍କା ରଣନୀତି ସହ ଆଗକୁ ବଢିବାକୁ ପଡ଼ିବ ।