• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନ୍‌ସନ୍‌ ବୃଦ୍ଧି ଦାବିକୁ ନେଇ ଚର୍ଚ୍ଚା । ଗତ ଶନିବାର ବିଧାନସଭା ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ ନେଇ ବିଜେପି, କଂଗ୍ରେସ ଓ ବିଜେଡି- ସବୁ ଦଳ ଏକାଠି ହୋଇ ଦରମା ବୃଦ୍ଧି ପାଇଁ ଦାବି କରିବା ପରେ ଆଜିି କିଛି ପୂର୍ବତନ ବିଧାୟକ ମଧ୍ୟ ପେନ୍‌ସନ୍ ବୃଦ୍ଧି ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ବିଧାନସଭାରେ ବିଧାୟକଙ୍କ ଦରମାକୁ ୧ ଲକ୍ଷ ବଦଳରେ ୩ ଲକ୍ଷ କରିବାକୁ ଦାବି ହୋଇଥିଲା ବେଳେ, ପୂର୍ବତନ ବିଧାୟକ ବି ଦାବି କରିଛନ୍ତି ସେମାନଙ୍କ ପେନ୍‌ସନ୍ ୩୦ ହଜାର ବଦଳରେ ୫୦ ହଜାରକୁ ବଢୁ । ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ।

ଦରମା ବୃଦ୍ଧି ଦାବି ନେଇ ବିଧାନସଭାରେ ସବୁ ଦଳର ବିଧାୟକଙ୍କ ଏକସ୍ୱର ହେବା ପରେ ଏବେ ଏମିତି ଚର୍ଚ୍ଚା । ବିଧାୟକ ମାନେ ଏବେ ପାଉଛନ୍ତି କେତେ ? ବ୍ୟବସ୍ଥା ଅନୁଯାୟୀ ଓଡ଼ିଶାରେ ବିଧାୟକଙ୍କୁ ଏବେ ମାସକୁ ଲକ୍ଷେ ଟଙ୍କା ଦରମା ମିଳୁଛି । ତା ମଧ୍ୟରୁ କେବଳ ଦରମା ୩୫ ହଜାର, ଆଉ ବିଭିନ୍ନ ଭତ୍ତା ବାବଦକୁ ରହିଛି ୬୫ ହଜାର । ଯେଉଁଥିରେ କନ୍‌ଭେୟାନ୍ସ ପାଇଁ ୧୫ ହଜାର, ମେଡିକାଲ ୫ ହଜାର ଓ ଟେଲିଫୋନ୍ ପାଇଁ ରହିଛି ୮ ହଜାର ଟଙ୍କାର ଭତ୍ତା ।

ଏବେ ଅନ୍ୟ ରାଜ୍ୟର ବିଧାୟକଙ୍କ ଦରମା ଜାଣିବା । ଦରମା ଅଧିକ ନେବାରେ ସବୁଠୁ ଉପରେ ତେଲେଙ୍ଗାନାର ବିଧାୟକ । ଭତ୍ତାକୁ ମିଶାଇ ଏଠି ବିଧାୟକଙ୍କ ଦରମା ପ୍ରାୟ ୨ ଲକ୍ଷ ୭୫ ହଜାର । ବିଧାୟକଙ୍କୁ ଦୁଇ ଲକ୍ଷ ଦରମା ଦେବା ତାଲିକାରେ ଅଛନ୍ତି ମେଘାଳୟ, ଝାଡ଼ଖଣ୍ଡ ଭଳି ୫ଟି ରାଜ୍ୟ । ସେହିପରି ୧୯ଟି ରାଜ୍ୟର ବିଧାୟକଙ୍କ ଦରମା ଓଡ଼ିଶାଠୁ ଅଧିକ ରହିଥିଲା ବେଳେ ଓଡ଼ିଶା ତଳେ ଅଛି ପଞ୍ଜାବ, ଦିଲ୍ଲୀ, ପଶ୍ଚିମବଙ୍ଗ ଭଳି ରାଜ୍ୟ ।

ତେବେ ଗତ ଶନିବାର ଶୂନ୍ୟକାଳରେ ଏହି ପ୍ରସଙ୍ଗରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି ଦରମା ବଢ଼ାଇବାକୁ ଦାବି କରିଥିଲେ ସବୁ ଦଳର ବିଧାୟକ । ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଯୁକ୍ତିଥିଲା-୨୦୧୭ରେ ଶେଷ ଥର ପାଇଁ ବିଧାୟକଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବଢିଥିଲା । ଏବେ ଦରଦାମ ବଢିଥିବା ଏବଂ ଅନ୍ୟ ରାଜ୍ୟ ତୁଳନାରେ ବିଧାୟକମାନେ ଦରମା ବହୁ କମ୍ ପାଉଥିବାରୁ ଏଠି ମଧ୍ୟ ଦରମା ଓ ଗସ୍ତ ଖର୍ଚ୍ଚକୁ ୩ ଲକ୍ଷ ଟଙ୍କାକୁ ବଢ଼ାଯାଉ । ସେହିପରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନିପତି ମଧ୍ୟ ଦରମା ବଢ଼ାଇବାକୁ ଦାବି କରିଥିଲା ବେଳେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଦରମା, ପେନସନ ଏବଂ ମେଡ଼ିକାଲ ଆଲାଉନସ୍ ବଢ଼ାଇବାକୁ ଦାବି କରିଥିଲେ । ବାଚସ୍ପତି ବି ବିଧାୟକଙ୍କ ଦାବି ନେଇ ସରକାର ସୁବିଚାର କରିବାକୁ କହିଥିଲେ ।

ସେପଟେ ଦରମା ପାଇଁ ବିଧାୟକଙ୍କ ଦାବି ପରେ ଆଜି କିଛି ପୂର୍ବତନ ବିଧାୟକ ମଧ୍ୟ ପେନ୍‌ସନ୍ ବୃଦ୍ଧି ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ପୂର୍ବତନ ବିଧାୟକଙ୍କୁ ପେନ୍‌ସନ୍ ବାବଦକୁ ଏବେ ୩୦ ହଜାର ମିଳୁଥିଲା ବେଳେ ଏହାକୁ ୫୦ ହଜାର ଏବଂ ମେଡିସିନ୍ ବାବଦ ମିଳୁଥିବା ୨ ହଜାରକୁ ୧୦ ହଜାର ଟଙ୍କାକୁ ବଢ଼ାଇବା ଲାଗି ସେମାନେ ଦାବି କରିଛନ୍ତି ।

 

ଏଡିଆର୍ ରିପୋର୍ଟ ଅନୁସାରେ ଏବେ ବିଧାନସଭାରେ ଥିବା ବିଧାୟକଙ୍କ ମଧ୍ୟରେ ୯୫ ଜଣ ହେଉଛନ୍ତି କୋଟିପତି । ତେଣୁ ଏଭଳି ସ୍ଥିତିରେ ବିଧାୟକଙ୍କ ଦରମା ବୃଦ୍ଧି ଦାବିକୁ ନେଇ ଏବେ ଜୋର୍ଦାର ଚର୍ଚ୍ଚା ।

ସେପଟେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ କମିଟି ଗଠନ କରିଛନ୍ତି ବିଧାନସଭା ବାଚସ୍ପତି । ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠିତ ହୋଇଛି । ଯେଉଁଥିରେ କଂଗ୍ରେସ ଓ ବିଜେପି ସଦସ୍ୟ ସ୍ଥାନ ପାଇଛନ୍ତି । ଦରମା ଓ ଭତ୍ତା ବୃଦ୍ଧି ନେଇ କମିଟି ଅନୁଧ୍ୟାନ କରି ରିପୋର୍ଟ ଦେବ ବୋଲି ସୂଚନା ମିଳିଛି ।

ତେବେ ବିଧାୟକଙ୍କ ଦରମା ଓ ପେନସନ୍ ବୃଦ୍ଧି ପ୍ରସଙ୍ଗକୁ ନାପସନ୍ଦ କରିଛନ୍ତି ଅନେକ । କହିଛନ୍ତି, ସେମାନେ ତ ଲକ୍ଷାଧିକ ଟଙ୍କା ଦରମା ପାଉଛନ୍ତି । ସେମାନଙ୍କ ଦରମା ବୃଦ୍ଧି କଣ ଦରକାର । ଜନପ୍ରତିନିଧିଙ୍କ ଦରମା ପରିବର୍ତ୍ତେ ଲୋକଙ୍କ ମୌଳିକ ଆବଶ୍ୟକତା ପୁରା କରିବାକୁ ସାଧାରଣରେ ଦାବି ହୋଇଛି ।