• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଡ଼ିଆ ଲୋକଙ୍କ ମୁଖ୍ୟ ଖାଦ୍ୟ ଭାତ । ତେଣୁ ରାଜ୍ୟକୁ ଶତପ୍ରତିଶତ ଚାଉଳ ଦିଆଯାଉ । କେନ୍ଦ୍ର ସରକାରଙ୍କୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଏ ସଂକ୍ରାନ୍ତ ଚିଠି ପରେ ଚାଉଳ-ଗହମ ଆବଣ୍ଟନନ ଅନୁପାତକୁ ନେଇ ସୃଷ୍ଟି ହୋଇଛି ବିବାଦ । କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ପଠାଯାଇଥିବା ଚିଠିରେ ଦର୍ଶାଯାଇଛି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ରାଜ୍ୟରେ ୩ କୋଟି ୨୬ ଲକ୍ଷ ୪୧ ହଜାର ୮ଶହ ହିତାଧିକାରୀ ରହିଛନ୍ତି ।

ସେମାନଙ୍କୁ ମାସିକ ୮୬ ପ୍ରତିଶତ ଚାଉଳ ଓ ୧୪ ପ୍ରତିଶତ ଗହମ ଦେଉଛି କେନ୍ଦ୍ର । ଓଡ଼ିଆ ଲୋକଙ୍କର ମୁଖ୍ୟ ଖାଦ୍ୟ ଭାତ ହୋଇଥିବାରୁ ଗହମ ଆବଣ୍ଟନ ଦ୍ୱାରା ସେମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଛି । ତା’ଛଡ଼ା ଗ୍ରାମାଂଚଳରେ ପର୍ଯ୍ୟାପ୍ତ ଅଟାକଳ ନଥିବାରୁ ଲୋକେ ହଇରାଣ ହେଉଥିବା କୁହାଯାଉଛି ।

ସେପଟେ ଆସାମ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଓ ଗୋଆକୁ ଶତ ପ୍ରତିଶତ ଚାଉଳ ଏବଂ ରାଜସ୍ଥାନ ଓ ପଂଜାବକୁ କେବଳ ଗହମ ଯୋଗାଣ ହେଉଛି କିନ୍ତୁ ଓଡ଼ିଶାକୁ ଶତପ୍ରତିଶତ ଚାଉଳ ମିଳୁନାହିଁ । ଏହା କେନ୍ଦ୍ରର ଦୋମୁହାଁ ନୀତି ବୋଲି ଅଭିଯୋଗ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରାଜା ସ୍ୱାଇଁ । ସେପଟେ ବିଜେପି କହିଛି ରାଜ୍ୟ ଯାହା ମାଗିବ କେନ୍ଦ୍ର ତାହା ଦେବ । ଏହା କେବଳ ଦୋଷ ଦେବାକୁ ଉଦ୍ୟମ ।

ସେପଟେ ଚାଉଳ-ଗହମ ବିବାଦ ସାମ୍ନାକୁ ଆସିବାପରେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଥିଲା ଓଟିଭି । ହିତାଧିକାରୀମାନେ ଏ ନେଇ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । କିଛି ସ୍ଥାନରେ ଲୋକେ ଅଧା ଚାଉଳ, ଅଧା ଗହମ ଦିଆଯାଉ ବୋଲି ଦାବି କରିଥିବା ବେଳେ ଆଉ କିଛି ସ୍ଥାନରେ ହିତାଧିକାରୀ ଗହମ ଅପେକ୍ଷା କେବଳ ଚାଉଳ ଚାହୁଁଛନ୍ତି ।

ଉଷୁନା ଚାଉଳ ଏଫ୍‌ସିଆଇ ଉଠାଉନଥିବାରୁ ବିଜେଡି ସରକାର କେନ୍ଦ୍ରକୁ ଚିଠି ଲେଖିବା ସହ ସଂସଦରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲା । ଏବେ ଚାଉଳ-ଗହମ ଅନୁପାତକୁ ନେଇ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ ହେବା ପରେ ଆଗକୁ ଏ ଲଢେଇ ରୋଚକ ହେବ ବୋଲି କୁହଯାଉଛି ।