Advertisment

ପରିବାରର ସବୁ ମହିଳାଙ୍କୁ ‘ସୁଭଦ୍ରା’ ଟଙ୍କା, ଦ୍ୱନ୍ଦ୍ୱ ଦୂରକଲେ ଉପମୁଖ୍ୟମନ୍ତ୍ରୀ

ପରିବାରରେ ୩ ଜଣ ବା ୪ ଜଣ ମହିଳା ଥାଆନ୍ତୁ, ସମସ୍ତେ ପାଇବେ । ବିଧବା ମହିଳା ବା ଛାତ୍ରବୃତ୍ତି ପାଉଥିବା ଝିଅ ବି ପାଇବେ ଟଙ୍କା ।

author-image
Satyendu Shekher Mishra
Subhadra Scheme

Subhadra Scheme

ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ସଂପର୍କରେ ବଡ଼ ଘୋଷଣା। ପରିବାରର ସବୁ ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଯୋଜନାରେ ଟଙ୍କା। ବିଧାନସଭାରେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି। ଗୋଟିଏ ପରିବାରରେ ୩ ବା ୪ ଜଣ ମହିଳା ଥିଲେ, ବି ସମସ୍ତେ ସୁଭଦ୍ରା ଯୋଜନାରେ ଟଙ୍କା ପାଇବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବିଧବା ମହିଳା ବା ଛାତ୍ରବୃତ୍ତି ପାଉଥିବା ଝିଅ ମଧ୍ୟ ଏହି ଯୋଜନାରେ ଟଙ୍କା ପାଇବେ ବୋଲି ସୂଚନା ଦେବା ସହ ଏହି ଯୋଜନାରେ ହିତାଧିକାରୀ ଚୟନକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି।

Advertisment

ରାଜ୍ୟରେ କେମିତି କାର୍ଯ୍ୟକାରୀ ହେବ ସରକାରଙ୍କ ବହୁ ଚର୍ଚ୍ଚିତ ଯୋଜନା ‘ସୁଭଦ୍ରା’। ଶୁକ୍ରବାର ଆସିଥିଲା SOP । ଆଉ ଗତକାଲି ସୋମବାର ଆସିଥିଲା ନିର୍ଦ୍ଦେଶାବଳୀ।  । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀରେ ପୂର୍ବରୁ ଜାରି SOP ଭଳି ପ୍ରାୟତଃ ସମାନ ରହିଥିଲା । ଅର୍ଥାତ ୨୧ରୁ ଅଧିକ ଓ ୬୦ ବର୍ଷରୁ କମ୍ ବୟସ ମହିଳା ହିଁ ଆବେଦନ କରିପାରିବେ । ଆଧାର କାର୍ଡର ଜନ୍ମ ତାରିଖ ଅନୁଯାୟୀ ବୟସ ଗଣନା କରାଯିବ। ୨୦୨୪-୨୫ ବର୍ଷ ପାଇଁ ଗତ ଜୁଲାଇ ୧ ସୁଦ୍ଧା ବୟସ ୨୧ରୁ ଅଧିକ କିମ୍ବା ୬୦ରୁ କମ୍ ହୋଇଥିବା ଦରକାର। 

ଆବେଦନକାରୀଙ୍କ ଜନ୍ମ ୦୨.୦୭.୧୯୬୪ ପୂର୍ବରୁ କିମ୍ବା ୦୧.୦୭.୨୦୦୩ ପରେ ହୋଇନଥିବ। କିନ୍ତୁ ମନେରଖନ୍ତୁ, ୧ ଜୁଲାଇ ୨୦୨୪ ସୁଦ୍ଧା ୨୧ରୁ କମ୍ କିମ୍ବା ୬୦ରୁ ଅଧିକ ହୋଇଥିଲେ ମିଳିବନି ସୁବିଧା। ମାସକୁ ୧୫ ଶହ ବା ବର୍ଷକୁ ୧୮ ହଜାରରୁ ଅଧିକ ଆର୍ଥିକ ସହାୟତା ପାଉଥିଲେ, ଏପରିକି ଛାତ୍ରବୃତ୍ତି ପାଉଥିଲେ ବି ଅଯୋଗ୍ୟ ହେବେ। ନିଜେ କିମ୍ବା ପରିବାରରେ କିଏ ବର୍ତ୍ତମାନ କିମ୍ବା ପୂର୍ବତନ ସାଂସଦ/ବିଧାୟକ, ୱାର୍ଡମେମ୍ବର/କାଉନସିଲର ଛଡ଼ା ଅନ୍ୟ ପଞ୍ଚାୟତ ପ୍ରତିନିଧି, ଆୟକରଦାତା, ସରକାରୀ ଚାକିରିଆ, ପେନସନଭୋଗୀ ଥିଲେ ପାଇବେନି ସହାୟତା। 

Advertisment

ସେହିପରି ପରିବାରର ଜଳସେଚିତ ଜମି ୫ ଏକର/ଅଣଜଳସେଚିତ ଜମି ୧୦ ଏକର ଥିଲେ, ଟ୍ରାକ୍ଟର, ମିନି-ଟ୍ରକ୍, ଛୋଟ ବାଣିଜ୍ୟିକ ଯାନ ଏବଂ ଅନ୍ୟ ସମାନ ହାଲୁକା ଯାନ କିମ୍ବା ୪ ଚକିଆ ଯାନ ଥିଲେ ଅଯୋଗ୍ୟା ହେବେ। ଯଦି କୌଣସି ଅଯୋଗ୍ୟ ହିତାଧିକାରୀ ସହାୟତା ହାତେଇଥିବେ, ତେବେ ତାଙ୍କ ଠାରୁ ଅର୍ଥ ଆଦାୟ କରାଯିବ। ଠକେଇ ପାଇଁ ଆଇନଗତ ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

କେବଳ ଏତିକି ନୁହେଁ, କେମିତି ଓ କେଉଁଠି ଆବେଦନ କରିବେ ସେନେଇ ନିର୍ଦ୍ଦେଶାବଳୀରେ ବିସ୍ତୁତ ତଥ୍ୟ ଦିଆଯାଇଛି। ‘ସୁଭଦ୍ରା’ ସହାୟତା ପାଇଁ ଉଭୟ ଅଫ୍ ଲାଇନ୍ ଓ ଅନ୍ ଲାଇନରେ ନିର୍ଦ୍ଧାରିତ ଫର୍ମ ଜରିଆରେ ସୁଭଦ୍ରା ପୋର୍ଟାଲରେ ଆବେଦନ କରିବେ। ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ, ମୋ ସେବା କେନ୍ଦ୍ରରେ ମାଗଣାରେ ମିଳିବ ଫର୍ମ। ଆବେଦନକାରୀ ଫର୍ମ ପୂରଣ କରି ମୋ ସେବା କେନ୍ଦ୍ରରେ ଦାଖଲ କରିବେ। ଆବେଦନକାରୀ ଯୋଗ୍ୟ ହେବା ପାଇଁ ଇ-କେୱାଇସି ଘୋଷଣାନାମା ଦେବେ। ଯୋଗ୍ୟ ବିବେଚିତ ହେବା ପରେ ହିତାଧିକାରୀଙ୍କୁ ସୁଭଦ୍ରା କାର୍ଡ ତଥା ଏକ ଏଟିଏମ୍ କମ୍ ଡେବିଟ୍ କାର୍ଡ ପ୍ରଦାନ  କରାଯିବ। 

Advertisment
Advertisment