• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବରଗଡ଼ ଓ ବିଜେପୁରବାସୀଙ୍କୁ ପୁଣି ଭଣ୍ଡାଇଦେଲେ କି ରାଜ୍ୟ ସରକାର ? ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପ ହେଉ କିମ୍ବା କ୍ୟାନସର ହସ୍ପିଟାଲ୍, ପଦ୍ମପୁରକୁ ଜିଲ୍ଲା ମାନ୍ୟତା ହେଉ ଅବା ଜେଏମ୍ଏଫସି କୋର୍ଟ ପ୍ରତିଷ୍ଠା । ନିର୍ବାଚନବେଳେ ପ୍ରତିଶ୍ରୁତି ଗୋଟିଏ, କାମ କଲାବେଳକୁ ଆଉ ଗୋଟିଏ । ଯେଉଁ ପ୍ରତିଶ୍ରୁତି ଦେଇ ୧୯ ନିର୍ବାଚନୀ ବୈତରଣୀ ପାରି ହୋଇଥିଲେ ମୁଖ୍ୟମନ୍ତ୍ରୀ, ଆଜି ସେସବୁର ଲୋକାର୍ପଣ କରିଥିଲେ ବି ସବୁ ଅଧୁରା । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଜନତା ଓ ବିରୋଧୀ ।

ବରଗଡ଼ ବିଜେପୁରର ଇଏ ସେହି ବହୁ ପ୍ରତୀକ୍ଷିତ ୧୬ଶହ ୭୭ କୋଟି ୪୨ ଲକ୍ଷ ଟଙ୍କାର ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ । ୨୫ ହଜାର ୬୦୦ ହେକ୍ଟର ଜମିକୁ ଜଳସେଚନର ସ୍ୱପ୍ନ ଦେଖାଇ ଆଜି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେବଳ ସେତିକି ନୁହେଁ, ବରଗଡ଼ରେ କ୍ୟାନସର ହସ୍ପିଟାଲ ସହ ୨୧ଶହ ୪୯ କୋଟି ବ୍ୟୟରେ ୬୨ଟି ପ୍ରକଳ୍ପର ମଧ୍ୟ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ୨୬୩ କୋଟି ବ୍ୟୟରେ ଅନ୍ୟ ୨୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ବି କରିଛନ୍ତି । ୨୪ ନିର୍ବାଚନ ପୂର୍ବରୁ ବରଗଡ଼ ଜିଲ୍ଲା ଗସ୍ତ କରି ବିଜେପୁର କନାପୁରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏସବୁ ପ୍ରକଳ୍ପର ଲୋକାର୍ପଣ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ପ୍ରକଳ୍ପ ଗୁଡ଼ିକ ଲୋକାର୍ପତ ହେଲା ସତ । କିନ୍ତୁ, ପ୍ରଶ୍ନ ଉଠୁଛି, ସାଧାରଣ ଜନତା ଓ ଚାଷୀଙ୍କ ଶତପ୍ରତିଶତ ସ୍ୱାର୍ଥ ସାଧନ ହୋଇପାରିବ ତ ? ୨୫ ହଜାର ହେକ୍ଟରରୁ ଅଧିକ ଜମିକୁ ଜଳସେଚନର ଲକ୍ଷ୍ୟ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ବାସ୍ତବତା ହେଉଛି, ବିଜେପୁର ଏବଂ ଗାଇସିଲଟ ବ୍ଲକର ୧୧ଟି ପଞ୍ଚାୟତର ଜମିକୁ ଏବେ ପାଣି ମାଡ଼ିବ ନାହିଁ । କାରଣ ଏବେ ମାତ୍ର ୧୦ ହଜାର ହେକ୍ଟର ଜମି ପାଇଁ ପାଣି ବ୍ୟବସ୍ଥା ହୋଇଥିବାରୁ ବଳକା ୧୫ ହଜାର ହେକ୍ଟର ଜମି ପାଇଁ ଏବେ ପାଣିର ନାଁ ଗନ୍ଧ ନାହିଁ ।

ସେହିପରି ଶହେ ଶଯ୍ୟା ବିଶିଷ୍ଟ କର୍କଟ ରୋଗ ଚିକିତ୍ସା କେନ୍ଦ୍ର ଲୋକାର୍ପିତ ହୋଇଥିଲେ ବି ୩ ଜଣ ଡାକ୍ତର ବର୍ତ୍ତମାନ ପାଇଁ ସାଜିବେ ରୋଗୀଙ୍କ ଭରସା । କେବଳ ଏତିକି ନୁହେଁ, ଏବେ ବି ବିଜେପୁର ବାସୀଙ୍କ ପାଇଁ ଅଧୁରା ରହିଗଲା ଜେଏମଏଫସି କୋର୍ଟ ସ୍ୱପ୍ନ ଓ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରସଙ୍ଗ । ଏଭଳି ଅନେକ ପ୍ରସଙ୍ଗରେ ଜବାବ ଲୋଡ଼ି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଗତକାଲି ବିଜେପୁରରେ ଦେଖିବାକୁ ମିଳିଥିଲା ପୋଷ୍ଟର ବ୍ୟାନର।

ବିଜେପୁରେରେ ୨୦୧୯ରେ ନିର୍ବାଚନ ଲଢ଼ିଥିଲେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେତେବେଳେ ବିଜେପୁରବାସୀଙ୍କୁ ଦେଇଥିଲେ ଜଳସେଚନ ପ୍ରକଳ୍ପର ନିର୍ଭର ପ୍ରତିଶ୍ରୁତି । ପରେ ରୀତା ସାହୁଙ୍କ ପାଇଁ ବିଜେପୁର ଆସନ ଛାଡ଼ିବା ସହ କହିଥିଲେ ଏଠାକାର ବିକାଶ ପାଇଁ ନିଜେ ସେ ଧ୍ୟାନ ଦେବେ । କିନ୍ତୁ ପ୍ରତିଶ୍ରୁତି ଗୋଟିଏ, ପ୍ରକଳ୍ପ କାର୍ଯ୍ୟକାରୀ ହେଲା ବେଳକୁ ଆଉ ଗୋଟିଏ । ଯାହାକୁ ନେଇ ତେଜିଛି ରାଜନୈତିକ ବୟାନବାଜି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ସାଙ୍କେତିକ ପ୍ରକଳ୍ପରେ ଲୋକଙ୍କ ବିକାଶ ହୁଏନି । କେବଳ ଭୋଟ ସର୍ବସ୍ୱ ଯୋଜନା କିଏ କରେ, କ’ଣ କରେ ଲୋକେ ବୁଝିସାରିଛନ୍ତି । ତେବେ ବିଜେଡି କହିଛି, ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ତାହା କରନ୍ତି ।

ତେବେ ଭୋଟ୍ ପୂର୍ବରୁ ଲୋକାର୍ପିତ ଅଧପନ୍ତରିଆ ପ୍ରକଳ୍ପକୁ ନେଇ ଆଶା ଆଉ ନିରାଶାରେ ଥିବା ବରଗଡ଼ ଜିଲ୍ଲାବାସୀ ଆଗାମୀ ନିର୍ବାଚନରେ କି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ତାକୁ ଅପେକ୍ଷା।.