• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଆସନ୍ତା ୧୦ ତାରିଖରେ ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ ଆୟୋଗ । ଏହାପରେ ଜିଲ୍ଲାପାଳ, ଏସ୍‌ପି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ହେବ । ସେପଟେ ଭୋଟ୍ ପୂର୍ବରୁ ସବୁ ବର୍ଗଙ୍କୁ ସନ୍ତୁଷ୍ଟ କରିବାକୁ ସରକାର ଭରପୂର ଉଦ୍ୟମ କରୁଥିବା ବେଳେ ଫୋକସ୍‌ରେ ଅଛନ୍ତି  ଶିକ୍ଷକ । ତେବେ ଶିକ୍ଷକଙ୍କୁ ହଠାତ୍ ଏତେ ଗୁରୁତ୍ୱ ଦିଆଯିବା ପଛରେ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧୀ । ନିର୍ବାଚନରେ ଶିକ୍ଷକମାନଙ୍କ ପ୍ରମୁଖ ଦାୟିତ୍ୱ ଥିବାରୁ ସେମାନଙ୍କୁ ଖିୁସ୍ କରିବାର ଉଦ୍ୟମ ହେଉଥିବା କୁହଯାଉଛି । ତେବେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଏସବୁ କାର୍ଯ୍ୟକ୍ରମ କେବଳ ଶିକ୍ଷାର ବିକାଶ ଲାଗି ।

ପଞ୍ଚାୟତ ଭୋଟ୍‌କୁ ଯିବା ପୂର୍ବରୁ ସବୁବର୍ଗଙ୍କୁ ଖୁସ୍ କରିବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ । ତେବେ ଫୋକସ୍‌ରେ ରହିଛନ୍ତି ଶିକ୍ଷକ । ସେମାନଙ୍କ ମନ ଜିଣିବା ଲାଗି ନିଆଯାଉଛି ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି । କାରଣ ପଂଚାୟତ ନିର୍ବାଚନରେ ଶିକ୍ଷକମାନଙ୍କର ପ୍ରମୁଖ ଭୂମିକା ରହିଥାଏ । ତେଣୁ ସେମାନଙ୍କର ଦୀର୍ଘଦିନର କିଛି କିଛି ଦାବିକୁ ପୂରଣ କରିଛନ୍ତି ସରକାର ।

ଶିକ୍ଷାକୁ ଫୋକସ୍ କରି ପ୍ରଥମେ ସ୍କୁଲ୍ ରୂପାନ୍ତିକରଣ କାର୍ଯ୍ୟକ୍ରମ କରାଗଲା । ପରେ ୬ ହଜାର ୧୩୧ ଶିକ୍ଷକ ନିଯୁକ୍ତି ଦେଇ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଭୁବନେଶ୍ୱରରେ ଆୟୋଜିତ ହେଲା ଓରିଏଣ୍ଟେସେନ୍ କାର୍ଯ୍ୟକ୍ରମ । ତାପରେ ଅନୁଦାନପ୍ରାପ୍ତ ସ୍କୁଲ୍ ଓ କଲେଜ କର୍ମଚାରୀଙ୍କ ପାଇଁ ଲାଗୁ ହେଲା ସପ୍ତମ ବେତନ କମିଶନ୍ । ଯାହାଦ୍ୱାରା ପ୍ରାୟ ୪୩ ହଜାର ଶିକ୍ଷକ ଉପକୃତ ହେବେ ।

ସେପଟେ ୨୦୧୫ରେ ନିଯୁକ୍ତି ପାଇଥିବା ୮ ହଜାର ୧୦୨ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରାଗଲା । କନିଷ୍ଠ ଶିକ୍ଷକମାନଙ୍କ ଦରମା ପାଖାପାଖି ୫୦ ପ୍ରତିଶତ ବୃଦ୍ଧି କଲେ ସରକାର । କେବଳ ଏତିକି ନୁହେଁ ୧୧ ହଜାର ହାଇସ୍କୁଲ୍ ଶିକ୍ଷକ ନିଯୁକ୍ତି ନେଇ ବିଜ୍ଞପ୍ତି ବି ପ୍ରକାଶ ପାଇଛି । ତେବେ ପଞ୍ଚାୟତ ନିର୍ବାଚନର ଠିକ୍ ପୂର୍ବରୁ ଶିକ୍ଷକମାନଙ୍କୁ ଗୋଟିଏ ପରେ ଗୋଟିଏ ଭେଟି ଦେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ବାରିଛନ୍ତି ରାଜନୈତିକ ଗନ୍ଧ ।

ଏପଟେ ପଂଚାୟତ ନିର୍ବାଚନ ଲାଗି ଜୋରଦାର୍ ପ୍ରସ୍ତୁତିରେ ଲାଗିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ୭ ତାରିଖରେ ସବୁ ଜିଲ୍ଲାର ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଆୟୋଗଙ୍କ ନିକଟରେ ପହଚିଂବ । ଆସନ୍ତା ୧୦ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ଆୟୋଗ । କୋଭିଡ୍ କଟକଣା ଦୃଷ୍ଟିରୁ ପ୍ରତି ଦଳରୁ ଜଣେ ଲେଖାଏଁ ପ୍ରତିନିଧି ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଛି । ସର୍ବଦଳୀୟ ବୈଠକ ପରେ ପରେ ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି । ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ରାଜ୍ୟ ନିର୍ବାଚନ ଆୟୋଗ ଚୂଡାନ୍ତ ବୈଠକ କରିବେ ବୋଲି ଜଣାପଡିଛି । ଏହି ବୈଠକ ୧୨ରେ ବସିବାର ସମ୍ଭାବନା ରହିଛି । ସେପଟେ ଜିଲ୍ଲା ସ୍ତରରେ ମଧ୍ୟ ଚାଲିଛି ପ୍ରସ୍ତୁତି । ବୁଥ୍ ଚିହ୍ନଟ ସହ ବାଲଟ୍ ବକ୍ସ ଓ କର୍ମଚାରୀମାନଙ୍କ ଟ୍ରେନିଂ ଶେଷ ହୋଇଛି ।

ଚଳିତ ଥର ୬ ହଜାର ୭୯୪ ପଂଚାୟତ ଓ ଏହା ଅନ୍ତର୍ଗତ ୯୧ ହଜାର ୯୩ ଓ୍ୱାର୍ଡରେ ନିର୍ବାଚନ ହେବ । ନିର୍ବାଚନ ୫ଟି ପାର୍ଯ୍ୟାୟରେ କରାଯାଇ, ୩ଟି ପର୍ଯ୍ୟାୟରେ ବ୍ଲକ୍‌ସ୍ତରରେ କାଉଣ୍ଟିଂ ହେବ ବୋଲି ଜଣାପଡ଼ିଛି ।