Advertisment

ଭୋଟ୍ ପୂର୍ବରୁ ଘର ଥୋପ ! କ୍ୟାବିନେଟରେ ପାସ୍ 'ମୋ ଘର' ସ୍କିମ୍, ୩ ଲକ୍ଷ ଯାଏଁ ସବସିଡିରେ ଲୋନ୍

ନିମ୍ନ ମଧ୍ୟବିତ୍ତଙ୍କ ଆଶା ପୂରଣ ନେଇ ଯୋଜନା । ହିତାଧିକାରୀଙ୍କୁ ୩ ଲକ୍ଷ ଯାଏଁ ସବସିଡିରେ ମିଳିବ ଋଣ । ବିରୋଧୀ କହିଲେ ନିର୍ବାଚନୀ ଷ୍ଟଣ୍ଟ ।

author-image
Satyendu Shekher Mishra
Odisha Politics, Mo Ghara Scheme

Odisha Politics, Mo Ghara Scheme

ଭୋଟ୍ ପୂର୍ବରୁ ରାଜ୍ୟ ସରକାରଙ୍କ ଲୋଭନୀୟ ସ୍କିମ୍ । ଘର ପାଇଁ ସବ୍‌ସିଡିରେ ଋଣ ଦେଇ ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ ! ଆଜି ରାଜ୍ୟ କ୍ୟାବିନେଟରେ ‘ମୋ ଘର’ ଯୋଜନାକୁ ମିଳିଛି ଅନୁମୋଦନ । ରାଜ୍ୟରେ ବଳକା ରହିଥିବା କଚ୍ଚା ଘରକୁ ପକ୍କା ଘରରେ ପରିବର୍ତ୍ତନ କରିବା ଏବଂ ନିମ୍ନ ଓ ନିମ୍ନମଧ୍ୟବିତ୍ତ ପରିବାରଙ୍କ ଆଶା ଆକାଂକ୍ଷା ପୂରଣ ଉଦ୍ଦେଶ୍ୟ ନେଇ ଏହି ଯୋଜନା ଆରମ୍ଭ ହେଉଥିବା କହିଛନ୍ତି ରାଜ୍ୟ ସରକାର । ପୂର୍ବରୁ କୌଣସି ବାସଗୃହ ଯୋଜନାରେ ସାମିଲ ହୋଇନଥିବା, ଘର ଅଧା ନିର୍ମାଣ କରିଥିବା, କିମ୍ବା ସଂପ୍ରସାରଣ ଓ ଉନ୍ନତୀକରଣ ରିବାକୁ ଚାହୁଁଥିବା ବ୍ୟକ୍ତି ଏହି ଯୋଜନାରେ ସାମିଲ ହୋଇପାରିବେ ।

Advertisment

ଘର ତିଆରି ପାଇଁ ହିତାଧିକାରୀଙ୍କୁ ସରକାର ସବସିଡିରେ ୧ ଲକ୍ଷରୁ ୩ ଲକ୍ଷ ପର୍ଯ୍ୟନ୍ତ ଋଣ ଯୋଗାଇ ଦେବେ । ୧ ଲକ୍ଷ ଋଣ ପାଇଁ ସାଧାରଣ ବର୍ଗଙ୍କୁ ୩୦ ହଜାର, ଦେଢ଼ ଲକ୍ଷରେ ୪୫ ହଜାର ଓ ୨ ଲକ୍ଷ ଏବଂ ୩ ଲକ୍ଷରେ ୬୦ ହଜାର ପର୍ଯ୍ୟନ୍ତ ସବସିଡି ମିଳିବ । ST/SC ବର୍ଗର ହିତାଧିକାରୀଙ୍କୁ ସାଧାରଣ ବର୍ଗ ଅପେକ୍ଷା ପ୍ରତି ବର୍ଗରେ ଅଧିକ ୧୦ ହଜାର ଟଙ୍କା ରିହାତି ମିଳିବ।

ସେହିପରି ପ୍ରଥମ ବର୍ଷକୁ ବାଦ୍ ଦେଇ ପରବର୍ତ୍ତୀ ୧୦ ବର୍ଷ ମଧ୍ୟରେ ଋଣ ପରିଶୋଧ କରିପାରିବେ। ଯେଉଁମାନଙ୍କର କଚ୍ଚା ଘର କିମ୍ବା ଗୋଟିଏ ବଖରା ଛାତ ଘର ଥିବ, ପରିବାରର ମାସିକ ଆୟ ୨୫ ହଜାରରୁ କମ୍ ହୋଇଥିବ,ପୂର୍ବରୁ ଗୃହ ନିର୍ମାଣ ବାବଦରେ ୭୦ ହଜାର ଟଙ୍କାରୁ କମ୍ ପାଇଥିବେ, ପରିବାରର କୌଣସି ସଦସ୍ୟ ସରକାରୀ ଚାକିରି କରିନଥିବେ, ସେମାନେ ଋଣ ପାଇବାକୁ ଯୋଗ୍ୟ ହେବେ ।

Advertisment

ସେପଟେ ରାଜ୍ୟ ସରକାରଙ୍କ ଏ ନୂଆ ଘର ଯୋଜନାକୁ କେବଳ ନିର୍ବାଚନୀ ଷ୍ଟଣ୍ଟ ବୋଲି କହି ବର୍ଷିଛନ୍ତି ବିରୋଧୀ । କଂଗ୍ରେସ କହିଛି ନିର୍ବାଚନ ଆସିଲେ, ସରକାର ଏଭଳି ନୂଆ ଯୋଜନା ଘୋଷଣା କରି ଲୋକଙ୍କୁ ଭୁଆଁ ବୁଲାନ୍ତି । ପୂର୍ବରୁ ୨୦୧୭ ସୁଦ୍ଧା ସମସ୍ତେ ଘର ପାଇବେ ବୋଲି ଘୋଷଣା କରିଥିଲେ ସରକାର । ତାହା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛି ଦଳ । ସେପଟେ ବିଜେପି ବି ସମାନ ଅଭିଯୋଗ ଆଣି ଏହା ନିର୍ବାଚନ ପ୍ରଚାର ସର୍ବସ୍ୱ ଘୋଷଣା ବୋଲି କହିଛି ।

ଏଣେ ସରକାରଙ୍କ ମୋ ଘର ଯୋଜନା ଘୋଷଣା ପରେ ଆଜି ଯାଏଁ ଘର ଖଣ୍ଡେ ନପାଇ ବାର ଦୁଆର ହେଉଥିବା କିଛି ଯୋଗ୍ୟ ହିତାଧିକାରୀ ବି ଏହି ନୂଆ ସ୍କିମ୍ ନେଇ ସନ୍ଦିହାନରେ ଅଛନ୍ତି । ମୋ ଘର ଯୋଜନାରେ ଋଣ ପାଇବାକୁ ଆସନ୍ତା ଜୁନ୍ ୧୬ରୁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି ।

ଅନ୍ୟପଟେ ମୋ ଘର ଯୋଜନା ସହ ଆଜି ରାଜ୍ୟ କ୍ୟାବିନେଟ ମୋଟ ୧୮ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ଯେଉଁଥିରେ ରହିଛି ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ଚକ ଜମିକୁ ବିକ୍ରୟ ବା ବିଭାଜନ, କୋଣାର୍କ ସୂର୍ଯ୍ୟ ମନ୍ଦିର ଚତୁଃପାର୍ଶ୍ୱ ବିକାଶ ଓ ଏକାମ୍ର କ୍ଷେତ୍ରର ଭଳି ବିକାଶ ପ୍ରସ୍ତାବ । ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପାଇଁ ୩୩୦ କୋଟି ୧୭ ଲକ୍ଷ ଟଙ୍କା ମଂଜୁରୀ ହୋଇଛି । ଚକ ଜମି ବିଭାଜନ ଓ ବିକ୍ରି ନେଇ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ଏଣିକି ଚକ ଜମିକୁ ବିକ୍ରୟ ବା ବିଭାଜନ କରିପାରିବେ ଜମି ମାଲିକ। ପୂର୍ବରୁ ରହିଥିବା ଚକ ଜମି ବିଭାଜନ ଅବୈଧ ନିୟମ ରଦ୍ଦ ହୋଇଛି ।

ସେହିଭଳି କୋଣାର୍କ ସୂର୍ଯ୍ୟ ମନ୍ଦିର ଚତୁଃପାର୍ଶ୍ୱ ବିକଶିତ ଓ ଆକର୍ଷଣୀୟ କରାଯିବା ସଂପର୍କିତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମୋହର ଲାଗିଛି । ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ ଏହି ପ୍ରକଳ୍ପ ଲାଗି ୨୦୯ କୋଟି ୭୩ ଲକ୍ଷ ଟଙ୍କାକୁ ମଂଜୁରୀ ହୋଇଛି । ଏପଟେ ଏକାମ୍ର କ୍ଷେତ୍ରର ବିକାଶ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଂଜୁରୀ ମିଳିଛି । ଏଥିରେ ପୁରୁଣା ଭୁବନେଶ୍ୱରର ବିଭିନ୍ନ ପ୍ରାଚୀନ ସ୍ମାରକୀ ପୁନରୁଦ୍ଧାର ହେବ। ୧୮ ମାସରେ ଏହି କାମ ସରିବ ଏବଂ ଏଥିପାଇଁ ମୋଟ ୧୫୬ କୋଟି ୨୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ।

ସେହିଭଳି ବଲାଙ୍ଗିର ଜିଲ୍ଲାରେ ୬ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ଗଜପତିର ୨ଟି ପାନୀୟ ଜଳ ପ୍ରକଳ୍ପ, VSSUTର ଉନ୍ନତୀକରଣ, ବେସରକାରୀ ଓ ଜୁନିଅର କଲେଜରେ ଲାଇବ୍ରେରୀ ଆଟେଣ୍ଡାଣ୍ଟ ପଦବି ପୂରଣ ଏବଂ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧ୍ୟାଦେଶ ପ୍ରସ୍ତାବକୁ କ୍ୟାବିନଟ୍ ମଂଜୁରୀ ମିଳିଛି ।

BJD Odisha BJP Odisha Politics
Advertisment
Advertisment