• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଡ଼ିଶା ଗସ୍ତରେ ଆସି ରାଜ୍ୟ ବିଜେପି ନେତାଙ୍କ କାନରେ ୨୪ ନିର୍ବାଚନ ପାଇଁ ମନ୍ତ୍ର ଫୁଙ୍କିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ କହିଛନ୍ତି, ପ୍ରସଙ୍ଗ ଭିତ୍ତିରେ ରାଜ୍ୟ ସରକାରଙ୍କ ବିରୋଧରେ ଲଢ଼େଇ କର, ମୋଦି ସରକାରଙ୍କ ସଫଳତା ଘରେ ଘରେ ପହଞ୍ଚାଅ । ଏହା ପୂର୍ବରୁ କଟକରେ ପ୍ରଜାତନ୍ତ୍ର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ଓଡ଼ିଶାର ଅଚ୍ଛେଦିନ୍ ଆସିଗଲା ବୋଲି କହିଥିଲେ ଶାହ । ତେବେ ଉତ୍ସବରେ ଶାହଙ୍କ ସହ ଗୋଟିଏ ମଞ୍ଚରେ ନବୀନ ଏକାଠି ବସିବାକୁ ନେଇ ତେରଛା ବାଣ ଛାଡ଼ିଛି କଂଗ୍ରେସ୍ ।

ଓଡ଼ିଶାର ଆସିଗଲା ଅଚ୍ଛେଦିନ୍ । ଏଇ ମାଟିରେ ଜନ୍ମିତ ଦ୍ରୌପଦୀ ମୁର୍ମୁ ଆଜି ମହାମହିମ ପାଲଟିଛନ୍ତି । ସାରା ଦେଶର ଆଦିବାସୀ ଓ ଗରିବଙ୍କ ପାଇଁ ଏହା ଗୌରବର କଥା । ଅନେକ ଓଡ଼ିଆଙ୍କୁ ବି କେନ୍ଦ୍ରରେ ମିଳିଛି ପ୍ରତିନିଧିତ୍ୱର ସୁଯୋଗ । ଆଜି କଟକ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରଖିଛନ୍ତି ଏଭଳି ବକ୍ତବ୍ୟ । ମହାପ୍ରଭୁ ଜଗନ୍ନାଥଙ୍କ ନାମରୁ ଆରମ୍ଭ କରିଥିଲେ ଅଭିଭାଷଣ । ପରେ ଶାହ କହିଥିଲେ ଓଡ଼ିଶା ଭିତରେ ବିକାଶର ଅପାର ସମ୍ଭାବନା ରହିଛି । ପୂରା ଓଡ଼ିଶା ଖଣିଜ ସଂପଦରେ ଭରପୂର ରହିଛି । ତେଣୁ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ମୁଁ ଦେଖିପାରୁଛି ।

ସବୁଠାରୁ ବଡ଼ କଥା ହେଲା ଏଠାରେ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ଅମିତ ଶାହଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଚ୍ଚନାୟକ । ନବୀନ ତାଙ୍କ ଭାଷଣରେ ମିଡିଆକୁ ମନ୍ତ୍ର ଦେଇ କହିଥିଲେ ଗଣତାନ୍ତ୍ରିକ ସମାଜରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି । ବିନା ଭୟ ଓ ପକ୍ଷପାତରେ ମିଡିଆ ନିଜ ଦାୟିତ୍ୱ ନିର୍ବାହ କରିବା ଉଚିତ । ଗଣମାଧ୍ୟମ ରାଜନୀତି ଅପେକ୍ଷା ଲୋକଙ୍କ ପ୍ରକୃତ ସମସ୍ୟା ଦେଖାଉ ।

ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ କେନ୍ଦ୍ର ବିଜେପିର ପ୍ରଥମ ବଡ଼ ନେତା ଭାବେ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିଥିଲେ । କଟକରେ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ଶାହ-ନବୀନ । ହେଲେ ଶ୍ରେୟ ନେବାକୁ କିନ୍ତୁ ବିଜେପି ଓ ବିଜେଡି କେହି ସୁଯୋଗ ହାତଛଡ଼ା କରିନଥିଲେ । ପୋଷ୍ଟର ଓ୍ୱାର୍‌ଠୁ ସମର୍ଥକ ଏକଜୁଟ୍ କରାଇବା ହେଉ, ସବୁଥିରେ ଦୁଇ ଦଳଙ୍କ ବଳ କଷାକଷି ହୋଇଥିଲା ।

 

ସେପଟେ କଟକ କାର୍ଯ୍ୟକ୍ରମ ସାରି ସିଧା ରାଜ୍ୟ ବିଜେପି ମୁଖ୍ୟାଳୟରେ ପହଞ୍ଚିଥିଲେ ଶାହ । ସେଠାରେ ଦଳର ସମସ୍ତ ବିଧାୟକ, ସାଂସଦ, କୋର୍ କମିଟି ସଦସ୍ୟ ଓ ଅଫିସ୍ ବିଅରରଙ୍କ ସହ ଆଲୋଚନା କରି ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତ ହେବାକୁ ଆହ୍ୱାନ ଦେଇଥିଲେ । ତାସହ ଦଳୀୟ ସଂଗଠନକୁ ବୁଥ୍ ଓ ଓ୍ୱାର୍ଡ ସ୍ତରରୁ ମଜଭୁତ୍ କରିବାକୁ ଟାସ୍କ ଦେଇଥିଲେ । ଏହାବାଦ୍ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିରୋଧରେ ଲଢ଼େଇ ଜୋରଦାର କରିବା ସହ ମୋଦି ସରକାରଙ୍କ ସଫଳତା ଘରେ ଘରେ ପହଞ୍ଚାଇବାକୁ ମନ୍ତ୍ର ଦେଇଥିଲେ ।

ତେଣେ ଶାହ-ନବୀନ ଏକାଠି ମଞ୍ଚରେ ବସିବାକୁ ନେଇ ତେରଛା ବାଣ ଛାଡ଼ିଛି କଂଗ୍ରେସ । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଏମାନେ ଆଗରୁ ଏକାଠି ଥିଲେ, ପୁଣି ରହିବେ । ଗତ ୨୨ ବର୍ଷର ବିଜେଡି ଶାସନକାଳ ଭିତରେ ଓଡ଼ିଶାର କିଛି ବିକାଶ ହୋଇନି । ଆସନ୍ତା ନିର୍ବାଚନରେ ଓଡିଶାବାସୀ ଉଚିତ୍ ଜବାବ ଦେବେ ।