• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଟିକେଟ ବଣ୍ଟାକୁ ନେଇ କଂଗ୍ରେସ ଭବନରେ ଭଙ୍ଗାରୁଜା । ଯୁବ କଂଗ୍ରେସ କର୍ମୀଙ୍କୁ ଅଣଦେଖା କରି ଦଳ ଡେଇଁ ଆସିଥିବା ବ୍ୟକ୍ତିଙ୍କୁ ଟିକେଟ ଦିଆଯାଇଛି । ଏପରିକି କଂଗ୍ରେସରେ ଟିକେଟ ବିକ୍ରି କରାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଯୁବ କଂଗ୍ରେସ କର୍ମୀ । ଜାଣିଶୁଣି କଂଗ୍ରେସକୁ ଦୁର୍ବଳ କରାଯାଉଥିବା ଅଭିଯୋଗ କରି କଂଗ୍ରେସ ଭବନ ଗେଟ୍‌ରେ ତାଲା ପକାଇଛନ୍ତି ଯୁବ କଂଗ୍ରେସ କର୍ମୀ ।

ସୂଚନା ଅନୁସାରେ ଗତକାଲି କଂଗ୍ରେସ ଆଉ ୩ ଲୋକସଭା ଓ ୧୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ସମ୍ବଲପୁର ଲୋକସଭାରୁ ଦୁଲାଲ ଚନ୍ଦ୍ର ପ୍ରଧାନ ଓ ଆସିକାରୁ ଦେବକାନ୍ତ ଶର୍ମା ନିର୍ବାଚନ ଲଢ଼ିବେ । ସେହିପରି କେନ୍ଦୁଝର ଲୋକସଭା ପ୍ରାର୍ଥୀ ବଦଳାଇଥିଲା କଂଗ୍ରେସ । ମୋହନ ହେମ୍ବ୍ରମଙ୍କ ବଦଳରେ ବିନୋଦ ନାଏକଙ୍କୁ ଟିକେଟ୍‌ ଦେଇଥିଲା ଦଳ ।

ସେହିପରି ନିକଟରେ ବିଜେଡି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିବା କେନ୍ଦ୍ରପଡ଼ା ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ କେନ୍ଦ୍ରାପଡ଼ା ଆସନରୁ ଟିକେଟ୍ ପାଇଛନ୍ତି । ଅନ୍ୟପକ୍ଷରେ ନିକଟରେ ବିଜେପି ଛାଡ଼ି କଂଗ୍ରେସରେ ମିଶି ଥିବା ସୋନାଲି ସାହୁଙ୍କୁ ମଧ୍ୟ ଟିକେଟ ମିଳିଛି। ତାଙ୍କୁ ଦଳ ଖୋର୍ଦ୍ଧାରୁ ଟିକେଟ ଦେଇଛି। ଝାରସୁଗୁଡ଼ା ବିଧାନସଭା ଆସନରୁ କଂଗ୍ରେସ ଅମିତା ବିଶ୍ୱାଳଙ୍କୁ ପ୍ରାର୍ଥୀ କରିଥିବା ବେଳେ ବଡ଼ସାହିରୁ କ୍ଷୀରୋଦ ପାତ୍ର, ସୁକିନ୍ଦା- ବିଭୁ ଭୂଷଣ ରାଉତ, କଣ୍ଟାମାଳରୁ ଶରତ ପ୍ରଧାନ, ରାଜନଗରରୁ ଅଶୋକ ପ୍ରତିହାରୀ, ମହାକାଳପଡ଼ାରୁ ଲୋକନାଥ ମହାରଥୀ, ନିମାପଡ଼ାରୁ ସିଦ୍ଧାର୍ଥ ରାଉତରାୟ, ପିପିଲିରୁ ଜ୍ଞାନରଂଜନ ପଟ୍ଟନାୟକ, ଜୟଦେବରୁ କୃଷ୍ଣ ସଗରିଆ, ଚିଲିକାରୁ ପ୍ରଦୀପ ସ୍ୱାଇଁ, କବିସୂର୍ଯ୍ୟନଗରରୁ ସଂଜୟ ମଣ୍ଡଳ ଓ ଗୋପାଳପୁରରୁ ଶ୍ୟାମସୁନ୍ଦର ସାହୁଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।

ତେବେ ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ମଧ୍ୟ ଟିକେଟ୍‌ ବଣ୍ଟାକୁ ନେଇ କଂଗ୍ରେସ ଭବନରେ ହଙ୍ଗାମା କରିଥିଲା କଂଗ୍ରେସ କର୍ମୀ। ନିକଟରେ ସିର୍ଦ୍ଧାଥ ରାଉତରାୟ କଂଗ୍ରେସ ଭବନରେ ଏକ ମିଶ୍ରଣ ପର୍ବ ଆୟୋଜନ କରିଥିଲେ । ଜଟଣୀ ନିର୍ବାଚନ ମଣ୍ଡଳୀର ବିଜେପି ନେତା ସନ୍ତୋଷ ଜେନା କଂଗ୍ରେସରେ ମିଶିବା ନେଇ ଆୟୋଜିତ ହୋଇଥିଲା ମିଶ୍ରଣ ପର୍ବ । ତେବେ ଏହି ମିଶ୍ରଣ ପର୍ବ ପୂର୍ବରୁ କଂଗ୍ରେସ ଭବନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ସନ୍ତୋଷ ଜେନାଙ୍କୁ ବିରୋଧ କରି କଂଗ୍ରେସ ଭବନରେ ହୋ ହଲ୍ଲା କରିଥିଲେ କଂଗ୍ରେସ କର୍ମୀ।

ସେହିପରି କଂଗ୍ରେସ ନେତା ତଥା ମୁଖପାତ୍ର ସୁଦର୍ଶନ ଦାସଙ୍କ ସମର୍ଥକମାନେ ମଧ୍ୟ କିଛିଦିନ ତଳେ କଂଗ୍ରେସ ଭବନରେ ହଙ୍ଗାମା କରିଥିଲେ । ମହିଳା କଂଗ୍ରେସର ରୁଦ୍ଧ ଦ୍ୱାର ବୈଠକ ଚାଲିଥିବା ବେଳେ ଶତାଧିକ ଲୋକ କଂଗ୍ରେସ ଭବନରେ ପହଞ୍ଚି ହୋ ହଲ୍ଲା କରିଥିଲେ।