• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଗେ ଲୋକସଭା ପାଇଁ ଯାଜପୁରରୁ ନେତା ଆଣି ଥୋପିଲେ, ଆଉ ଏବେ ବିଧାନସଭା ପାଇଁ ଜଣେ ଅନିଚ୍ଛୁକ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି ବିଜେଡି । ସମ୍ବଲପୁର ସିଟ୍ ରେ ଭେଟେରାନ୍ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ସେ କୁଆଡ଼େ ଖୁସିନଥିବା ଚର୍ଚ୍ଚା ହେଉଛି । ଏମିତିକି ସେ ରେଢ଼ାଖୋଲ ପାଇଁ ଆଶାୟୀ ଥିଲେ, ତେଣୁ ଆଜି ନବୀନ ନିବାସ ଆସି ସୁପ୍ରିମୋଙ୍କୁ ମନ କଥା କହିଥିବା ଶୁଣିବାକୁ ମିଳୁଛି ।

ତେଣେ ସମ୍ବଲପୁରରେ ବିଜେପି ହେଭିୱେଟଙ୍କ ବିରୋଧରେ ପ୍ରସନ୍ନ ଲଢ଼ିଲେ ରାସେଶ୍ୱରୀ ପାଣିଗ୍ରାହୀ ଓ ସିଦ୍ଧାର୍ଥ ଦାଶଙ୍କ ଗୋଷ୍ଠୀ ସମର୍ଥନ ଦେବେ ନା ବିମୁଖ ହେବେ, ତାକୁ ନେଇ ଉଠିଲାଣି ପ୍ରଶ୍ନ । ତେଣୁ ଲଢିବାକୁ ଅନିଛୁକ କି ବିଜେଡିର ଟାଣୁଆ ନେତା ପ୍ରସନ୍ନ ଆଚାର୍ଯ୍ୟ ? ଭୋଟ୍ ଆସିଲେ ଏ ନିର୍ବାଚନମଣ୍ଡଳୀରୁ ସେ ମଣ୍ଡଳୀକୁ ପେଣ୍ଡୁ ଭଳି ତାଙ୍କୁ ଦଳ ଗଡ଼ାଉଥିବାରୁ ବିଜେଡି ଉପରେ ଖପ୍ପା କି ପଶ୍ଚିମ ଓଡ଼ିଶାର ଏ ଟାଣୁଆ ନେତା ?

କାରଣ ୨୦୦୯ରେ ରେଢ଼ାଖୋଲ ବିଧାନସଭା ୨୦୧୪ରେ ବିଜେପୁର ଆସେମ୍ଲି ୨୦୧୯ରେ ବରଗଡ଼ ଲୋକସଭା ଆଉ ୨୦୨୪ରେ ସମ୍ବଲପୁର ବିଧାନସଭା । ଦଳର କ୍ରାଏସିସ୍ ମ୍ୟାନେଜର ହୋଇ ବି କାହିଁକି ନିର୍ଦ୍ଦିଷ୍ଟ ଏକ ନିର୍ବାଚନ ମଣ୍ଡଳୀରେ ପ୍ରସନ୍ନଙ୍କୁ ସ୍ଥାୟୀ ପ୍ରାର୍ଥୀ କରୁନି ଦଳ ? ତାକୁ ନେଇ ନା ନା ଚର୍ଚ୍ଚା ଆଲୋଚନା ।

ତେବେ ସମ୍ବଲପୁର ବିଧାନସଭା ଆସନରେ ବିଜେପିର ହେଭିୱେଟ୍ ତଥା ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ଗତକାଲି ବିଜେଡି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଯୋଦ୍ଧା ଘୋଷଣା କରିବା ପରେ, ସେଠିକା ଦଳୀୟ ରାଜନୈତିକ ପାଣି ଅଧିକ ଗୋଳିଆ ହୋଇଛି । ଏମିତିକି ଟିକେଟ୍ ଘୋଷଣା ପରେ ପ୍ରସନ୍ନ ଅଧିକ ଅସନ୍ତୁଷ୍ଟ ଥିବା ଓ ସମ୍ବଲପୁରରୁ ଲଢ଼ିବାକୁ ଆଦୌ ଆଗ୍ରହୀ ନଥିବା ବି ଶୁଣିବାକୁ ମିଳୁଛି ।

ଯାହାର ପ୍ରତିଫଳନ ସ୍ୱରୂପ ତାଙ୍କୁ ଆଜି ନବୀନ ନିବାସରେ ଦେଖିବାକୁ ମିଳିଛି । ତେବେ ଦଳ ସୁପ୍ରିମୋ ପ୍ରସନ୍ନଙ୍କୁ କଣ ବୁଝାଇଲେ ? ପ୍ରସନ୍ନ ଏଥିରେ କେତେ ସନ୍ତୁଷ୍ଟ ହେଲେ ? ଏହା ଜଣା ପଡ଼ିନଥିଲେ ବି ପ୍ରସନ୍ନ କିନ୍ତୁ ସମ୍ବଲପୁର ନୁହେଁ ରେଢାଖୋଲରୁ ଲଢ଼ିବାକୁ ଅଧିକ ଇଚ୍ଛୁକ ଥିବା ଚର୍ଚ୍ଚା ହେଉଛି ।

ଯେହେତୁ ରେଢାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ଦଳ କିଛି ଦିନ ଧରି କୋଣଠେସା କରିବା ଓ ସେ ମନ୍ତ୍ରୀ ପଦରୁ ବିଦା ହେବା ଘଟଣା ତାଙ୍କ ପତିଆରା ହ୍ରାସ କରିଛି । ତେଣୁ ତାଙ୍କୁ ଆଉ ରେଢାଖୋଲରୁ ଟିକେଟ୍ ନମିଳିବା ଚର୍ଚ୍ଚା ଜୋର ହେଉଥିଲା । ତେଣୁ ସେଠି ଗଲା ଦେଢ଼ ବର୍ଷ ହେଲା ପ୍ରସନ୍ନ ଆଚାର୍ଯ୍ୟ ସଂଗଠନ ତିଆରି କରିଥିଲେ ।

ହେଲେ ଦଳ ତାଙ୍କୁ ସେଠି ଟିକେଟ୍ ନଦେଇ ରୋହିତଙ୍କୁ ରିପିଟ୍ କରିଛି । ତେଣେ ସମ୍ବଲପୁର ବିଧାନସଭା ପାଇଁ ବିଜେଡିରେ ମାଳ ମାଳ ଆଶାୟୀ ପ୍ରାର୍ଥୀ ଥାଇ ଜଣେ ଜିଲ୍ଲା ବାହାରର ନେତାଙ୍କୁ ଟିକେଟ୍ ଦିଆଯିବା ଦଳକୁ ମହଙ୍ଗା ପଡିବ ବୋଲି କହିଲେଣି ରାଜନୀତି ସମୀକ୍ଷକ ।

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ଘର ଆଗରେ ଏକାଠି ହୋଇଛନ୍ତି ତାଙ୍କ ସମର୍ଥକ । ଏବେ ବି ସେମାନଙ୍କ ଦାବି, ସମ୍ବଲପୁରରେ ପ୍ରାର୍ଥୀ ବଦଳାଯାଉ ଓ ଜିଲ୍ଲା ବାହାରର ପ୍ରାର୍ଥୀଙ୍କ ବଦଳରେ ରାସେଶ୍ୱରୀଙ୍କୁ ବିଜେଡି ଟିକେଟ୍ ଦିଆଯାଉ । ଏଣେ ଏସବୁ ଭିତରେ ପ୍ରଶ୍ନ, ସମ୍ବଲପୁର ବିଧାନସଭା ଆସନର ଅନାଗ୍ରହୀ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳର ସମର୍ଥନ ମିଳିବ ନା ଗୋଷ୍ଠୀ କନ୍ଦଳ ତେଜିବ ?

ବିଜେପି ହେଭିୱେଟ୍ ଜୟନାରାୟଣ ମିଶ୍ରଙ୍କ ବିରୋଧରେ ମହା ଲଢ଼େଇରେ ରାସେଶ୍ୱରୀ ଓ ସିଦ୍ଧାର୍ଥ ଦାଶଙ୍କ ଗୋଷ୍ଠୀ ପ୍ରସନ୍ନଙ୍କୁ ସହଯୋଗ କରିବେ ନା ବିମୁଖ ହେବେ ? ଯଦିଓ ପୂରା ପ୍ରସଙ୍ଗରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରତିକ୍ରିୟା ମିଳିନାହିଁ ତେବେ ରାସେଶ୍ୱରୀ କହିଛନ୍ତି, ଦଳ ସୁପ୍ରିମୋଙ୍କ ନିଷ୍ପତ୍ତି ଆମ ପାଇଁ ସର୍ବମାନ୍ୟ ।

ସେମିତି ରୋହିତ ପୂଜାରୀଙ୍କ ଉତ୍ତର- ଟିକେଟ୍ କୁ ନେଇ କାହା ମନରେ ଅସନ୍ତୋଷ ନାହିଁ । ତେଣେ ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର କହିଛନ୍ତି- ଜଣେ ବାହାର ଜିଲ୍ଲାର ନେତା ହିସାବରେ ପ୍ରସନ୍ନ ଆଚାର୍ଯ୍ୟଙ୍କର ସମ୍ବଲପୁର ପ୍ରତି ସବୁବେଳେ ଅସୂୟା ଭାବ ରହିଛି । ଏବେ ଦେଖିବାର କଥା, ଆଗକୁ କୁଆଡ଼େ ଯାଉଛି ସମ୍ବଲପୁରର ବିଜେଡି ରାଜନୀତି ।

  • Reported by:
  • SANJAY JENA , JAGDISH DAS